Unknown

 

 

 

 

 

 

 

 

 

 

 

ମାର୍କୋ ପୋଲୋ

ଶ୍ରୀ ଚିତ୍ତରଞ୍ଜନ ଦାସ

 

(୧)

 

ଇତାଲୀ ଦେଶର ଭେନିସ୍ ସହର, ଟୁରିଷ୍ଟ୍‌ମାନଙ୍କର ସହର । ପ୍ରତିବର୍ଷ ଖରାଦିନେ ଟୁରିଷ୍ଟ୍‌ମାନେ ଇୟୁରୋପ ମହାଦେଶର ପ୍ରାୟ ସବୁଦେଶରୁ ଭେନିସ୍ ସହରକୁ ଆସନ୍ତି । ଛୁଟିଦିନ ଗୁଡ଼ିକ ଆନନ୍ଦରେ କଟାଇ ପୁଣି ଘରକୁ ଫେରନ୍ତି। ସହର ବୋଲି କେତେଗୁଡ଼ିଏ ଛୋଟ ଓ ବଡ଼ ଦ୍ୱୀପ,—ଏବଂ ରାସ୍ତା ବୋଇଲେ ଜଳପଥ । ଗୋଟାଏ ସ୍ଥାନରୁ ଆଉ ଗୋଟାଏ ସ୍ଥାନକୁ ଯିବାକୁ ହେଲେ ଷ୍ଟୀମର୍‌ରେ ଯିବାକୁ ହେବ । ସେଠି ଯେଉଁ ବିଶେଷ ପ୍ରକାରର ନୌକା ଲୋକମାନଙ୍କୁ ଏଠାରୁ ସେଠାକୁ ନେଇଯାଏ, ସ୍ଥାନୀୟ ଭାଷାରେ ତାହାକୁ ଗଣ୍ଡୋଲା ବୋଲି କୁହାଯାଏ ।

 

ଭେନିସ୍ ସହର ଏକ ପୁରୁଣା ସହର । ପ୍ରାୟ ସାତ ଶହ ବର୍ଷର ପୁରୁଣା ସହର । ସାତ ଶହ ବର୍ଷ ତଳେ ଭେନିସ୍ ଇୟୁରୋପ ମହାଦେଶର ଦକ୍ଷିଣଦ୍ୱାର ପରି ହୋଇ ରହିଥିଲା । ଭେନିସ୍ ଏକ ପ୍ରସିଦ୍ଧ ବନ୍ଦର ଥିଲା । ଏସିଆ ଓ ଆଫ୍ରିକା ସହିତ ଇୟୁରୋପ ମହାଦେଶର ସବୁ ବାଣିଜ୍ୟ କାରବାର ଏହି ଭେନିସ୍ ବନ୍ଦର ବାଟେ ଚାଲୁଥିଲା । ଭେନିସ୍‌ର ଅଧିବାସୀମାନେ ଧୁରନ୍ଧର ନାବିକ ଥିଲେ । ଦୂରତା ଓ ବିପଦକୁ ନ ମାନି ସେମାନେ ସମୁଦ୍ରରେ ପାଲଟଣା ଜାହାଜ ନେଇ ଦୂର ଦୂର ଦେଶକୁ ଯାଉଥିଲେ । ଦୂର ଓ ନିକଟ କେତେ କେତେ ଦେଶ ସହିତ ବଣିଜ କରୁଥିଲେ । ସାଙ୍ଗରେ ନେଇଥିବା ସଉଦା ବିକି ବିଦେଶରୁ ସଉଦା କିଣି ରତ୍ନବୋଝାଇ ଜାହାଜ ନେଇ ନିଜର ସହରଟିକୁ ଫେରି ଆସୁଥିଲେ । ସେତେବେଳେ ବି ଭେନିସ୍ ସହରର ଜଳପଥଗୁଡ଼ିକୁ ଗଣ୍ଡୋଲା ଦ୍ୱାରା ପାର ହେବାକୁ ପଡ଼ୁଥିଲା ।

 

Image

 

ସାତ ଶହ ବର୍ଷ ତଳେ ଏମିତି ଭେନିସ୍‌ର ଦୁଇଜଣ ବଣିକ, ସେମାନେ ଦୁଇ ଭାଇ ଥିଲେ,—ବିଦେଶରୁ ଜାହାଜ ଚଢ଼ି ଘରକୁ ଫେରିଲେ । ସେମାନେ ହେଉଛନ୍ତି ନିକୋଲୋ ପୋଲୋ ଏବଂ ମାଫେଓ ପୋଲୋ । ଏଇ ଘଟଣାଟି ହେଉଛି ପ୍ରାୟ ୧୨୭୦ ମସିହାର କଥା । ସେମାନେ କୋଉଦିନୁ ଯେ ବିଦେଶକୁ ବଣିଜ କରି ଯାଇଥିଲେ, ସେକଥା ସେମାନଙ୍କ ପଡ଼ାରେ ପ୍ରାୟ କାହାରି ମନେ ନ ଥିଲା । ଅଧିକାଂଶ ଲୋକ ସେମାନେ ଏହାଭିତରେ ନିଶ୍ଚୟ ମରି ଯାଇଛନ୍ତି ବୋଲି ଧରି ନେଇଥିଲେ । ଏମାନେ ବାହାରେ ଥିବା ସମୟରେ ନିକୋଲୋ ପୋଲୋଙ୍କର ସ୍ତ୍ରୀ ମରି ଯାଇଥିଲେ-। ତାଙ୍କର ଗୋଟିଏ ବୋଲି ପୁଅ, ନାଆଁ ମାର୍କୋ । ବାପା ବିଦେଶ ବାହାରିଲାବେଳକୁ ପୁଅ ମାର୍କୋକୁ ମୋଟେ ଛଅ ବର୍ଷ ହୋଇଥିଲା । ବାପା ଓ ଦାଦି ପ୍ରାୟ ଦଶବର୍ଷ ପରେ ଯେତେବେଳେ ଘରକୁ ଫେରିଲେ, ସେତେବେଳେ ପୁଅକୁ ସତର ବର୍ଷ । ସିଏ ବି ସେମାନଙ୍କୁ କିପରି ଚିହ୍ନିପାରନ୍ତା ! ସେ ଯାହାହେଉ, ପଡ଼ିଶାରୁ ପୁରୁଖା ପୁରୁଖା ଲୋକ ଆସି ସେମାନଙ୍କୁ ଚିହ୍ନିଲେ ଓ ତା’ପରେ ସେମାନେ ବିଦେଶରୁ ଘରକୁ ଆଣିଥିବା ଅଦ୍ଭୁତ ସମ୍ପଦଗୁଡ଼ିକୁ ଅବାକ୍ ହୋଇ ଦେଖିବାକୁ ଲାଗିଲେ-। ପୋଲୋ ପରିବାରରେ ବେଶ୍ କେତେଦିନ ଭୋଜିଭାତ ଲାଗିରହିଲା, ମଉଛବ ଲାଗିରହିଲା ।

 

ସତର ବର୍ଷର ପୁଅ ଦାଦି ଓ ବାପାଙ୍କଠାରୁ ସେମାନଙ୍କର ବିଦେଶଯାତ୍ରା ବିଷୟରେ ଯେତିକି ଯେତିକି ଅଧିକ ଶୁଣିଲା, ତାର ଆଖି ଦୁଇଟା ସତେ ଅବା ସେତିକି ସେତିକି ଦୂର ଦୂରାନ୍ତକୁ ଉଡ଼ିଯିବାକୁ ଲାଗିଲା । ସେତେବେଳେ ମଣିଷମାନଙ୍କର ସଂସାର ଭାରି ସାନ ଥିଲା, ଦୃଷ୍ଟିଗୁଡ଼ାକ ମଧ୍ୟ ଭାରି ଅଳପ ଥିଲା । ନିଜ ସହର ବା ଖୁବ୍ ବେଶୀ ହେଲେ ନିଜର ରାଜ୍ୟଟିକୁ ଛାଡ଼ି ସେମାନେ ପ୍ରାୟ ଆଉ କୁଆଡ଼େ ଯାଉ ନ ଥିଲେ । ନିଜର ସ୍ଥାନୀୟ ଭାଷାଟିକୁ ଛାଡ଼ିଦେଲେ ଆଉ ପ୍ରାୟ କୌଣସି ଭାଷା ବୁଝୁ ନ ଥିଲେ । ଆପଣାର ସାନ ହାତପାଆନ୍ତାଟିକୁ ସତେ ଅବା ସମଗ୍ର ସଂସାର ବୋଲି ବୁଝୁଥିଲେ । ବାଳକ ମାର୍କୋ ସେପର୍ଯ୍ୟନ୍ତ କେବଳ ଏହି ଗୋଟିଏ ଭେନିସ୍ ସହରର ମଧ୍ୟ ସବୁ ଅଞ୍ଚଳ ବୁଲି ଦେଖି ନ ଥିଲା । ତା’ର ବାପା ଦାଦି ଦଶବର୍ଷ କାଳ କୁଆଡ଼େ କୁଆଡ଼େ ବୁଲି ଆସିଲେ । ସମୁଦ୍ର ପାରିହେଲେ, ପାହାଡ଼ ପାରିହେଲେ, ମରୁଭୂମି ପାରହେଲେ, ରାଜ୍ୟ ପରେ ରାଜ୍ୟ ପାରିହୋଇ ପୃଥିବୀଟାକୁ ବଡ଼ ବୋଲି ଆବିଷ୍କାର କଲେ । ସେମାନେ ତାତାରମାନଙ୍କର ଦେଶକୁ ଗଲେ, ଚୀନ୍ ଦେଶକୁ ଗଲେ । ଚୀନ୍ ଦେଶର ସମ୍ରାଟଙ୍କଠାରୁ କେତେ ସମ୍ମାନ ପାଇଲେ ଏବଂ ତାଙ୍କର ଦୂତରୂପେ ବର୍ତ୍ତମାନ ଆପଣା ଦେଶକୁ ଫେରିଆସିଲେ ।

 

Image

 

ସେତେବେଳେ ଯିଏ ଦେଶରୁ ଗୋଡ଼ କାଢ଼ି ବିଦେଶକୁ ଯାଉଥିଲା ତାକୁ ନିଜର ରାସ୍ତା ନିଜେ ବାହାର କରିବାକୁ ପଡ଼ୁଥିଲା । ନିଜ ରାସ୍ତାର ମାନଚିତ୍ର ନିଜକୁ ତିଆରି କରିବାକୁ ପଡ଼ୁଥିଲା । ସେତେବେଳେ ଗାଡ଼ି ନ ଥିଲା, ମଟର ନ ଥିଲା, ଜାହାଜ ନ ଥିଲା କି ଉଡ଼ାଜାହାଜ ନ ଥିଲା । ବାଟରେ ଚାହିଁଲା ମାତ୍ରକେ ଦୋକାନବଜାର ମିଳୁ ନଥିଲା । ତେଣୁ ଆପଣାର ଯାବତୀୟ ଯାତ୍ରାସରଞ୍ଜାମକୁ ଯାତ୍ରୀକୁ ପ୍ରାୟ ଆପଣାର ସାଙ୍ଗରେ ଧରି ବାହାରିବାକୁ ପଡ଼ୁଥିଲା । ନିଜର ରସଦ ନିଜେ ବୋହିବାକୁ ପଡ଼ୁଥିଲା । ବାଟଯାକ ଡାକୁ ପରି ରହିଥିଲେ, ସନ୍ଦେହରେ କେଡ଼େ ଚକ୍ଷୁମାନ ବାଟୋଇକୁ ସବୁଆଡ଼ୁ ଅନାଇ ରହୁଥିଲେ । ଯିଏ ସବୁଠାରୁ ଅଧିକ ଲୁଟିନେଇ ପାରୁଥିଲା, ତାହାକୁ ହିଁ ସମସ୍ତେ ଅସଲ ବୀର ବୋଲି ଜାଣୁ ଥିଲେ । ତେଣୁ ନ୍ୟାୟ କହିଲେ ସେତେବେଳେ ଭିନ୍ନ କଥାକୁ ବୁଝାଉଥିଲା । ଏହିସବୁ କାରଣରୁ ସେ ଯୁଗରେ ଅଧିକାଂଶ ଅପ୍ରବାସୀ ହୋଇ ରହିବାକୁ ହିଁ ଭଲ ପାଉଥିଲେ । ଅପ୍ରବାସୀ ହୋଇ ରହିବାକୁ ସୁଖ ବୋଲି କୁହାଯାଉଥିଲା । ଯେଉଁମାନଙ୍କ ରକ୍ତରେ ଏକ ଅନ୍ୟପ୍ରକାର ସାହସ ରହିଥିଲା, ଯେଉଁମାନଙ୍କର ଧାତୁ ଏକ ଅନ୍ୟ ଉପାଦାନରେ ଗଢ଼ା ହୋଇଥିଲା, କେବଳ ସେହିମାନେ ହିଁ କାନ୍ଥ ଡେଇଁ ସେପାଖକୁ ଯିବାକୁ ମନ କରୁଥିଲେ । ପ୍ରବାସକୁ ହିଁ ଜୀବନ ମଣୁଥିଲେ । ଅଜ୍ଞାତ ଜଙ୍ଗଲକୁ ପାର ହୋଇ ଅଜ୍ଞାତ ପାହାଡ଼ର ଶିଖରକୁ ଯିବାକୁ ହିଁ ସୁଖ ବୋଲି ମଣୁଥିଲେ ।

 

ଭେନିସ୍ ସହରର ନିକୋଲୋ ଏବଂ ମାଫେଓ ପୋଲୋ ବୋଧହୁଏ ସେହିପରି ଧାତୁରେ ଗଢ଼ା ହୋଇଥିଲେ । ସେମାନଙ୍କ ହୃଦୟ ଭିତରେ ବୋଧହୁଏ ସେହିପରି ଏକ ରକ୍ତ ପ୍ରବାହିତ ହେଉଥିଲା । ଆମ ସତର ବର୍ଷର ପୁଅ ମାର୍କୋ, ବାପା ଆଉ ଦାଦିଙ୍କୁ ନ ଦେଖିଥିବା ପର୍ଯ୍ୟନ୍ତ ସିଏ ହୁଏତ ଭେନିସ୍ ସହରକୁ ହିଁ ସମଗ୍ର ଜଗତ ବୋଲି ମନେ କରୁଥିଲା । ମାତ୍ର ଦୂରାଗତ ବାପାଦାଦିଙ୍କ ସହିତ ତାର ସମ୍ପର୍କ ବଢ଼ିବା ସଙ୍ଗେ ସଙ୍ଗେ ତା’ ଭିତରେ ମଧ୍ୟ ସତେଅବା କ’ଣ ଗୋଟାଏ ଶୋଇ ରହିଥିଲା, ହଠାତ୍ ଜାଗ୍ରତ ହୋଇ ଉଠିଲା । ତାର ତରୁଣ ନୂଆ ଆଖିଗୁଡ଼ାକ ପାଚେରିଗୁଡ଼ାକୁ ଭାଙ୍ଗି ପକାଇ ଦୂରକୁ ଯିବ ବୋଲି ବ୍ୟାକୁଳ ହୋଇଉଠିଲା । ପୂର୍ବ ଯୋଜନା ଅନୁସାରେ ବାପା ଆଉ ଦାଦିଙ୍କର ପୁଣି ବିଦେଶ କରି ଯିବା କଥା; ସେମାନେ ଯେଉଁ ଦେଶରୁ ଆସିଥିଲେ, ସେମାନଙ୍କର ପୁଣି ସେହି ଦେଶକୁ ଫେରିବା କଥା । ଅତି ଆଗ୍ରହରେ ପୁଅ ମଧ୍ୟ ସାଙ୍ଗରେ ଯିବାକୁ ବାହାରିଲା । ଗୁଣିଆ ଗୁଣ ଚିହ୍ନିଲା ପରି ବାପାଦାଦି ମଧ୍ୟ ମାର୍କୋକୁ ମନାକଲେ ନାହିଁ । ତିନିହେଁ ପୁନର୍ବାର ବିଦେଶଯାତ୍ରା ଲାଗି ସଜ ହେଲେ ।

 

ଆଗରୁ ମାର୍କୋର ବାପା ଓ ଦାଦି ଚୀନ ଦେଶକୁ ଯାଇଥିଲେ । ଚୀନଦେଶର ସମ୍ରାଟ କୁବ୍‌ଲାଇ ଖାଁଙ୍କର ରାଜଦୂତରୂପେ ଏକ ବିଶେଷ ଆଦେଶ ବହନ କରି ସେମାନେ ଇଉରୋପକୁ ଆସିଥିଲେ । ସେମାନଙ୍କର ପୁଣି ସେହି ଚୀନ ଦେଶକୁ ଫେରିଯିବା କଥା, ଦୂରପଥ ଅତିକ୍ରମ କରି ପୁନର୍ବାର ମହାସମ୍ରାଟ କୁବ୍‌ଲାଇ ଖାଁଙ୍କର ଦରବାରରେ ଯାଇ ହାଜର ହେବାକଥା । କୁବ୍‌ଲାଇ ଖାଁ ହେଉଛନ୍ତି ଇତିହାସ ପ୍ରସିଦ୍ଧ ଚେଙ୍ଗିଜ୍ ଖାଁଙ୍କର ବଂଶଧର, ତାଙ୍କର ନାତି । ବଡ଼ ପ୍ରତାପୀ ସମ୍ରାଟ । ତାଙ୍କ ସେହି ଅଞ୍ଚଳର ସମସ୍ତ ତାତାର ଏବଂ ମଙ୍ଗୋଲ ଯୋଦ୍ଧା ଓ ବୀରମାନଙ୍କୁ ପରାସ୍ତ କରି ସେ ଚୀନର ବିପୁଳ ସାମ୍ରାଜ୍ୟଟିକୁ ବସାଇଥିଲେ ଓ ତାହାରି ଉପରେ ରାଜତ୍ୱ କରୁଥିଲେ । ନିକୋଲୋ ଏବଂ ମାଫେଓ ତାଙ୍କରି ଦରବାରରେ ବିଦେଶୀୟ ପାରିଷଦରୂପେ ରହିଥିଲେ । କୁବ୍‌ଲାଇ ଖାଁ ସେହିମାନଙ୍କଠାରୁ ଇଉରୋପ ବିଷୟରେ କେତେ କଥା ଜାଣିଲେ । ଇୟୁରୋପର ଧର୍ମଗୁରୁ ପୋପ୍‌ଙ୍କ ବିଷୟରେ ମଧ୍ୟ ଜାଣିଲେ । ପୋଲୋ ଭ୍ରାତୃଦ୍ୱୟଙ୍କୁ ସେ ପୋପ୍‌ଙ୍କ ନିକଟକୁ ତାଙ୍କର ଦୂତ କରି ପଠାଇବା ଲାଗି ମନସ୍ଥ କଲେ । ସମ୍ରାଟଙ୍କଠାରୁ ବହୁ ପୁରସ୍କୃତ ଭାଇ ଦୁଇଜଣ ଆଦେଶ ପାଳନ କରି ଇୟୁରୋପକୁ ଫେରିଲେ । ଚୀନ ଦେଶକୁ ଗଲାବେଳେ ସମଗ୍ର ମଧ୍ୟ ଏସିଆର ମାର୍ଗଟି ସେମାନଙ୍କର ଜ୍ଞାତ ହୋଇଯାଇଥିଲା । ସେମାନେ ଯେଉଁ ବାଟରେ ଆଗରୁ ଯାଇଥିଲେ, ପ୍ରାୟ ସେହି ବାଟରେ ଭେନିସ୍ ଫେରିଲେ । ସମ୍ରାଟଙ୍କର ବରାଦ ଏବଂ ଆଦେଶ ଅନୁସାରେ ସମସ୍ତେ ତାଙ୍କୁ ସାହାଯ୍ୟ କଲେ, ରସଦ ଯୋଗାଇ ଦେଲେ; ସେମାନେ ଯେପରି ଆପଦଶୂନ୍ୟ ହୋଇ ଯାତ୍ରା କରିପାରିବେ, ସେଥିଲାଗି ସବୁପ୍ରକାର ବ୍ୟବସ୍ଥା କରିଦେଲେ ।

 

ଚୀନ ସମ୍ରାଟ କୁବ୍‌ଲାଇ ଖାଁ ମାଫେଓ ଓ ନିକୋଲୋ ପୋଲୋଙ୍କ ହାତରେ ପୋପ୍‌ଙ୍କ ପାଖକୁ ପତ୍ର ଲେଖିଥିଲେ । ସେହି ପତ୍ରରେ ସେ ଇୟୁରୋପରୁ ଶହେଜଣ ଜ୍ଞାନୀ ଲୋକ ଚୀନଦେଶକୁ ପଠାଇବା ଲାଗି ଅନୁରୋଧ କରି ଲେଖିଥିଲେ । ସେହି ଜ୍ଞାନୀ ଲୋକମାନେ ଚୀନକୁ ଆସି ଖ୍ରୀଷ୍ଟିୟାନ୍ ଧର୍ମ ପ୍ରଚାର କରିବେ, ମଙ୍ଗୋଲମାନଙ୍କୁ ପ୍ରକୃତ ଧର୍ମପଥକୁ ଆଣିବେ, ତାହାହିଁ କୁବ୍‌ଲାଇ ଖାଁଙ୍କର ଇଚ୍ଛା ଥିଲା । ସେହି ଲୋକମାନଙ୍କର ଜରିଆରେ ଚୀନର ଅଧିବାସୀମାନେ ଇୟୁରୋପର କଳା, କାରିଗରୀ ଏବଂ ବିଜ୍ଞାନରୁ ମଧ୍ୟ ନିଶ୍ଚୟ କିଛି ଶିକ୍ଷା କରିପାରିବେ ବୋଲି ମଧ୍ୟ ସମ୍ରାଟ ଚିନ୍ତା କରୁଥିଲେ । ଆଦେଶ ଅନୁସାରେ ଏହି ସବୁ କାର୍ଯ୍ୟ ସାଧନ କରି ପୋଲୋ ଭାଇମାନେ ଚୀନ ଫେରି ଆସିବା ପରେ ସେମାନଙ୍କୁ ଅନେକ ସମ୍ମାନରେ ଭୂଷିତ କରାଯିବ ଓ ଅନେକ ପୁରସ୍କାରଦ୍ୱାରା ପୁରସ୍କୃତ କରାଯିବ ବୋଲି ସମ୍ରାଟ ପ୍ରତିଶ୍ରୁତି ଦେଇଥିଲେ ।

 

(୨)

 

ଦୀର୍ଘପଥ ଅତିକ୍ରମ କରିବାଲାଗି ପୋଲୋ ଭାଇ ଦୁଇଜଣଙ୍କୁ ପ୍ରାୟ ତିନିବର୍ଷ ସମୟ ଲାଗିଥିଲା । କୁବ୍‌ଲାଇ ସେମାନଙ୍କୁ ବାଟ ଦେଖାଇ ଦେବାଲାଗି ସାଙ୍ଗରେ ଯେଉଁ କର୍ମଚାରୀ ଜଣଙ୍କୁ ପଠାଇଥିଲେ, ସିଏ ବି ପୀଡ଼ିତ ହୋଇ ପଛରେ ଅଟକିଗଲେ । କୁବ୍‌ଲାଇ ଖାଁଙ୍କର ପ୍ରଦତ୍ତ ଅନୁମତି ପତ୍ରଟିକୁ ଦେଖାଇ ସେମାନେ ଆପଣା ଉପରେ ନିର୍ଭର କରି ହିଁ ଫେରନ୍ତି ବାଟଟିକୁ ସମ୍ପୂର୍ଣ୍ଣ କରିଥିଲେ । ବାଟଯାକ ବିପଦ ସହିତ ଲଢ଼ି ସ୍ଥଳପଥ ଅତିକ୍ରମ କରି ଯେତେବେଳେ ସେମାନେ ସିରିଆ ଦେଶର ଭୂମଧ୍ୟସାଗର ଉପକୂଳରେ ଆସି ପହଞ୍ଚିଲେ, ସେତେବେଳେ ପୋପ୍‌ଙ୍କର ମୃତ୍ୟୁ ହୋଇଯାଇଛି ବୋଲି ଶୁଣିବାକୁ ପାଇଲେ । ତେବେ ସେମାନେ ସମ୍ରାଟଙ୍କଠାରୁ ଆଣିଥିବା ଚିଠି ପୁଣି କାହାକୁ ଦେବେ ? ଜଣେ ନୂଆ ପୋପ୍ ବଛା ହେବାକୁ ମଧ୍ୟ କିଛି ସମୟ ଲାଗିବ । ଏହିପରି ଭାବି ନିକୋଲୋ ଏବଂ ମାଫେଓ ଆପଣା ଘର ଭେନିସ୍ ଆଡ଼କୁ ଯାତ୍ରା କଲେ । ଘରଲୋକଙ୍କୁ ସଙ୍ଖୋଳି ଆସିବାକୁ ଜାହାଜ ଚଢ଼ି ବାହାରିଲେ ।

 

ଆପଣାର ଘରେ ପହଞ୍ଚି ଦୁଆର ଖଡ଼ ଖଡ଼ କଲାବେଳକୁ ଦାଣ୍ଡରେ ହୁଲସ୍ତୁଲ ପଡ଼ିଗଲା-। ଦୀର୍ଘ ପଥର ଯାତ୍ରାରେ ସେମାନଙ୍କ ପୋଷାକପତ୍ର ଛିଡ଼ି ଯାଇଥାଏ, ସେମାନଙ୍କର ମୁହଁ ଉପରେ ଦୀର୍ଘ କ୍ଳାନ୍ତିର ରେଖାମାନ ଫୁଟି ଉଠୁଥାଏ ଏବଂ ଇତାଲୀୟ ଭାଷାରେ କଥା କହିଲାବେଳକୁ ମଧ୍ୟ ସେମାନଙ୍କ ପାଟିକୁ ଶବ୍ଦ ପଇଟୁ ନ ଥାଏ । ପୁଅ ମାର୍କୋ ପୋଲୋ ଅଚିହ୍ନା ଏହି ଆଗନ୍ତୁକମାନଙ୍କୁ କହୁଥାଏ, ‘‘ଏଇଟା ହେଉଛି ନିକୋଲୋ ପୋଲୋଙ୍କର ଘର । ମୁଁ ତାଙ୍କର ପୁଅ, ମାର୍କୋ । ବାପା ଦଶବର୍ଷ ପୂର୍ବେ ବିଦେଶ ଯାଇଥିଲେ, ଆଉ ଫେରିନାହାନ୍ତି ।’’

 

Image

 

ଏହିପରି ଭାବରେ କିଛି ସମୟ କଥା କଟାକଟି ହେଲା । ତା’ପରେ ବାପପୁଅ ପରସ୍ପରକୁ ଚିହ୍ନିଲେ । ଚାହୁଁ ଚାହୁଁ ଚାରିଆଡ଼େ ଖବର ରାଷ୍ଟ୍ର ହୋଇଗଲା । ସାହିପଡ଼ିଶା ଦଉଡ଼ି ଆସିଲେ । କୁଶଳ ପଚାରିଲେ । ଆଖିଗୁଡ଼ାକୁ ଏଡ଼େ ବଡ଼ କରି ଦୂର ପ୍ରବାସର ଅଦ୍‌ଭୂତ କାହାଣୀମାନ ଶୁଣିଲେ । ମାର୍କୋର ଆଗ୍ରହ ସତେ ଅବା ଅନ୍ୟ ସମସ୍ତଙ୍କର ଆଗ୍ରହକୁ ବଳିଗଲା । ତା’ର ମନ ସତେ ଅବା କେତେ କେତେ ଦୂରକୁ ଧାଇଁଲା,—ସମୁଦ୍ର, ମରୁଭୂମି, ପାହାଡ଼, ଚୀନଦେଶ, କୁବ୍‌ଲାଇ ଖାଁ—ଏମିତି କେତେ କେତେ ଦୂରକୁ । ସିଏ ମଧ୍ୟ ଫେରନ୍ତି ବାଟରେ ବାପା ଦାଦିଙ୍କ ସହିତ ଯିବାକୁ ବାହାରିଲା । ସେମାନେ ବି ରାଜି ହୋଇଗଲେ । ମାର୍କୋ ଘରେ ବାପା ଦାଦିଙ୍କଠାରୁ ଯାହାସବୁ ଶୁଣିଲା, ନିଜର ସାଙ୍ଗମାନଙ୍କ ଆଗରେ କହିବାକୁ ଲାଗିଲା । ସେମାନେ ବିଶ୍ୱାସ କରିପାରିଲେ ନାହିଁ । କାଗଜ ମୁଦ୍ରା, ଛପା ବହି, —ଏଗୁଡ଼ାକ ତ ଏତେ ବଡ଼ ଭେନିସ୍ ସହରରେ ନାହିଁ, ଚୀନ୍‌ରେ ପୁଣି କୁଆଡ଼ୁ ଆସିବ ?

 

ଅପେକ୍ଷା କରି କରି ଏହିପରି ଦୁଇ ବର୍ଷ ଗଲା । ନୂଆ ପୋପ୍ କିଏ ହେବେ, କିଛି ଜଣା ପଡ଼ିଲା ନାହିଁ । ତେଣୁ କୁବଲାଇ ଖାଁଙ୍କ ଚିଠି ଏ ପର୍ଯ୍ୟନ୍ତ ବି ଦିଆହୋଇ ପାରି ନ ଥାଏ । ସମ୍ରାଟ ବାଟ ଚାହିଁ ଚାହିଁ ଶେଷକୁ ଅବିଶ୍ୱାସ କରି ବସିବେ ନାହିଁ ତ ? ଏମାନଙ୍କୁ ବିଶ୍ୱାସଘାତକ ବୋଲି କହିବେ ନାହିଁ ତ ? ଏହିପରି ଭାବି ନିକୋଲୋ ଏବଂ ମାଫେଓ ଘରୁ ବାହାରି ପଡ଼ିଲେ । ଆଗ ଜେରୁଜେଲମ୍ ଯିବାକୁ ହେବ । ସେଠାରୁ ସମ୍ରାଟଙ୍କ ପାଇଁ ପବିତ୍ର ତୈଳ ନେଇ ଯିବାକୁ ମଧ୍ୟ ନିର୍ଦ୍ଦେଶ ରହିଥିଲା । ସାଙ୍ଗରେ ପୁଅ ମାର୍କୋକୁ ଧରି ସେମାନେ ଜେରୁଜେଲମ୍ ବାହାରିଲେ ଏବଂ ତା’ପରେ ଆର୍ମିନିଆରେ ଯାଇ ପହଞ୍ଚିଲେ । ସେଠାରେ ପହଞ୍ଚିବାରେ ଖବର ମିଳିଲା ଯେ ଇତିମଧ୍ୟରେ ନୂଆ ପୋପ୍ ଗାଦିରେ ବସି ସାରିଲେଣି । ତେଣୁ ସେମାନେ ପୁଣି ଫେରିଲେ । ନୂଆ ପୋପ୍‌ଙ୍କ ହାତରେ ଚିଠି ଦେଇ ତାଙ୍କଠାରୁ ଚିଠି ନେଲେ । କିନ୍ତୁ ଶହେ ଧର୍ମଯାଜକ ଓ ବିଜ୍ଞ ବ୍ୟକ୍ତିଙ୍କ ଜାଗାରେ ସେମାନଙ୍କୁ ମୋଟେ ଦୁଇଜଣ ମିଳିଲେ । ଏଡ଼େ ଦୁର୍ଗମ ଦୀର୍ଘ ପଥ ପାର ହୋଇଯିବା ଲାଗି କିଏ ବା କାହିଁକି ରାଜି ହୁଅନ୍ତା ? ତେଣୁ ମାତ୍ର ଦୁଇଜଣଙ୍କୁ ସାଙ୍ଗରେ ଧରି ପୋଲୋ ପରିବାରର ଏହି ଐତିହାସିକ ପୂର୍ବାଭିମୁଖ ଯାତ୍ରା ଆରମ୍ଭ ହେଲା । ଏହା ହେଉଛି ପ୍ରାୟ ୧୨୭୨ ମସିହାର ଆରମ୍ଭ ବେଳର କଥା ।

 

ଏମାନେ ପ୍ରଥମେ ଜାହାଜରେ ବସି ସିରିଆରୁ ଆର୍ମିନିଆ ଗଲେ । ଯାତ୍ରା ଦଳରେ ମୋଟ ପାଞ୍ଚଜଣ,—ନିକୋଲୋ ପୋଲୋ, ମାଫେଓ ପୋଲୋ, ଦୁଇଜଣ ପାଦ୍ରୀ ଏବଂ ତରୁଣ ମାର୍କୋ ପୋଲୋ । ତା’ ବ୍ୟତୀତ ଅନୁଚର, ପରିକର, ବାଟ ଦେଖାଇ ଦେବାର ଲୋକ ଓ ଜିନିଷପତ୍ର ବୋହୁଥିବା କେତୋଟି ଘୋଡ଼ା । ସେମାନେ ଅଳ୍ପ ବାଟ ଯାଇଛନ୍ତି କି ନାହିଁ, ଗୋଟାଏ ଦୁଃସମ୍ବାଦ ଆସି ପହଞ୍ଚିଲା । ମିଶରର ସୁଲତାନ ହଠାତ୍ ଆର୍ମିନିଆ ଆକ୍ରମଣ କଲେ । ସେମାନଙ୍କର ସୈନ୍ୟମାନେ ଯୁଆଡ଼େ ଗଲେ, ସହର ଓ ଗାଆଁମାନଙ୍କୁ ଧ୍ୱସଂ କରିଦେବାକୁ ଲାଗିଲେ । ନିକୋଲୋ ଓ ତାଙ୍କ ଭାଇ ଭାବିଲେ ସେମାନେ ଟିକିଏ ଅନ୍ୟ ବାଟ ଦେଇ ଯିବେ, ଯେପରି ସୈନ୍ୟବାହିନୀର ହାବୁଡ଼ରେ ନ ପଡ଼ିବେ ।

 

ପାଦ୍ରୀ ଦୁଇଜଣ ପ୍ରମାଦ ଗଣିଲେ । ସେମାନେ କହିଲେ, ଆର୍ମିନିଆ ଆକ୍ରମଣ କରିଥିବା ସୈନ୍ୟମାନେ ଅନ୍ୟ ଧର୍ମର ଲୋକ । ହାବୁଡ଼ରେ ପଡ଼ିଗଲେ ସେମାନେ ଖ୍ରୀଷ୍ଟିଆନ ପାଦ୍ରୀମାନଙ୍କୁ ଜୀବନରେ ନ ମାରି କେବେହେଲେ ଛାଡ଼ିବେ ନାହିଁ । ଆମର ଆଉ ଗୋଟିଏ ପାଦ ଆଗକୁ ଯିବାପାଇଁ ବି ସାହସ ହେଉନାହିଁ । ପୋଲୋ ଭ୍ରାତାଦ୍ୱୟ ସେମାନଙ୍କଠାରୁ ପୋପ୍‌ଙ୍କର ଚିଠି ଓ ସେ କୁବ୍‌ଲାଇ ଖାଁଙ୍କ ପାଖକୁ ପଠାଇଥିବା ଉପହାରଗୁଡ଼ିକର ଜିମା ନେଲେ । ପାଦ୍ରୀ ଦୁଇଜଣ ସେହିଠାରୁ ଫେରିଲେ । ଦଳର ଅନ୍ୟ ତିନିଜଣ ଆଗକୁ ଗଲେ । ସେମାନେ ଉତ୍ତର ପୂର୍ବ ଦିଗକୁ ମୁହଁ କରି ଯାତ୍ରା କଲେ । ପ୍ରଥମେ ତାତାରମାନଙ୍କର ଦେଶ ପଡ଼ିଲା । କୁବଲାଇ ଖାଁଙ୍କର ଅନୁମତି ପତ୍ର ପାଖରେ ଥିବାରୁ ସେମାନଙ୍କୁ କୌଣସି ଅସୁବିଧା ହେଲା ନାହିଁ ।

 

Image

 

ଏଇଠି ବାଟରେ ମାର୍କୋ ଜୀବନରେ ପ୍ରଥମ ଥର ପାଇଁ ଗୋଟିଏ ଉଷ୍ଣ ପ୍ରସ୍ରବଣ ଦେଖିଲା । ଆଉ ଗୋଟିଏ ଜାଗାରେ ବଡ଼ ରୂପା ଖଣିଟିଏ ଦେଖିଲା । ତାକୁ ବାପା ଦାଦି କହିଲେ ଯେ ଆହୁରି ଉତ୍ତର ଆଡ଼କୁ ଗୋଟିଏ ଅଞ୍ଚଳ ଅଛି, ଯେଉଁଠାରେ କି କୂଅମାନଙ୍କରେ ପାଣି ବଦଳରେ ତେଲ ରହିଛି । ଲୋକେ ସେହି ତେଲକୁ ବ୍ୟବହାର କରି ମଣିଷ ଓ ଗୃହପାଳିତ ଜନ୍ତୁଙ୍କର ଚର୍ମରୋଗ ଭଲ କରୁଥିଲେ ଓ ରାତିରେ ଦୀପରେ ରଖି ଜାଳୁଥିଲେ । କେତେ କେତେ ଦୂର ଦେଶରୁ ଲୋକେ ସେଠାରୁ ସେହି ତେଲ କିଣି ଆସୁଥିଲେ ।

 

ଦୁର୍ଗମ ଯାତ୍ରାପଥ କ୍ରମେ ମାର୍କୋର ସହନୀୟ ହୋଇଗଲା । ସେ ସାଙ୍ଗରେ ଯାଉଥିବା ଜଣେ ବାଟ ଚିହ୍ନାଳିଠାରୁ ତାତାରମାନଙ୍କର ଭାଷା ମଧ୍ୟ ଶିଖିନେଇ ପାରିଲା । ତା’ପରେ ସେ ସ୍ଥାନୀୟ ଲୋକମାନଙ୍କ ସହିତ ସେମାନଙ୍କ ଭାଷାରେ କଥାବାର୍ତ୍ତା କରିପାରିଲା । ସେମାନେ ମଧ୍ୟ ତାକୁ ଆପଣା ଭିତରର ଜଣେ ଲୋକ ବୋଲି ଭାବିବାକୁ ଆରମ୍ଭ କଲେ । ଆର୍ମିନିଆର ସୀମାପାର ହୋଇ ସେମାନେ ଟାଇଗ୍ରିସ୍ ନଦୀର କୂଳରେ ଅବସ୍ଥିତ ମୋସଲ୍ ସହରରେ ପହଞ୍ଚିଲେ । ସେଠାରେ ଖ୍ରୀଷ୍ଟିଆନ୍ ଓ ମୁସଲମାନ ଉଭୟ ଧର୍ମର ଲୋକ ବାସ କରୁଥିଲେ । ସେଠାରେ ଅନେକ ଲୋକ ଭାରି ସରୁ ସରୁ ସୂତାରେ ଲୁଗା ବୁଣୁଥିଲେ । ସେହି ଲୁଗାଗୁଡ଼ିକୁ ବେପାରୀମାନେ ବିକ୍ରୀ କରିବାପାଇଁ ଇୟୁରୋପର ବଜାର ଯାଏ ବି ନେଉଥିଲେ । ଇୟୁରୋପରେ ତାହାକୁ ମସ୍‌ଲିନ୍ ବୋଲି କୁହାଯାଉଥିଲା ।

 

ଟାଇଗ୍ରିସ୍ ନଦୀର କୂଳେ କୂଳେ ସେମାନେ ତା’ପରେ ବାଗ୍‌ଦାଦ୍ ସହରରେ ଆସି ପହଞ୍ଚିଲେ । ବାଗ୍‌ଦାଦ୍‌ରେ ସେମାନେ ପ୍ରାଚୀନ ମନ୍ଦିରମାନ ଦେଖିଲେ; ଅଧ୍ୟୟନ କେନ୍ଦ୍ରମାନ ବି ଦେଖିଲେ; ଯେଉଁଠି ସ୍ଥାନୀୟ ଛାତ୍ରମାନେ ନାନାପ୍ରକାର ବିଜ୍ଞାନର ଗବେଷଣା କରୁଥିଲେ । ସ୍ଥାନୀୟ କାରିଗରମାନେ ରେଶମ ଲୁଗା ଉପରେ ସୁନା ଜରିର କେତେପ୍ରକାର କାମ ପକାଇ ଦେଉଥିଲେ । ସେସବୁ ବିଦେଶକୁ ପଠା ହେଉଥିଲା ଓ ବିଦେଶୀମାନଙ୍କ ଦ୍ୱାରା ଭାରି ଆଦୃତ ହେଉଥିଲା । ବାଗ୍‌ଦାଦ୍ ସହରରୁ ସେମାନେ ପୂର୍ବମୁହାଁ ହୋଇ ଚାଲିଲେ ଓ ଖଣ୍ଡେଦୂର ମରୁଭୂମି ଏବଂ ପାର୍ବତ୍ୟସ୍ଥାନ ପାରିହୋଇ ପାରସ୍ୟ ଦେଶରେ ଯାଇ ପହଞ୍ଚିଲେ । ପାରସ୍ୟ ହେଉଛି ବର୍ତ୍ତମାନର ଇରାନ୍ । ଏହାପରେ ଯେଉଁ ଦୀର୍ଘ ପାହାଡ଼ ଓ ମରୁଭୂମି ଯାତ୍ରା ଆରମ୍ଭ ହେବ, ସେଥିଲାଗି ଏଇଠୁ ସଜହେବା କଥା । ନିକୋଲୋ ପୋଲୋ ତାଙ୍କ ଯାତ୍ରାର ସହଚର ରୂପେ କେତୋଟି ଗଧ କିଣିଲେ । ବୋଝ ବୋହିବାରେ ଓ ଦୁର୍ଗମ ବାଟ ଚାଲିବାରେ ଗଧମାନେ ସବୁଠାରୁ ବେଶୀ ନିପୁଣ । ତେଣୁ ଘୋଡ଼ାମାନଙ୍କଠାରୁ ସେମାନଙ୍କୁ ଅଧିକ ଦାମ୍ ଦେଇ କିଣିବାକୁ ପଡ଼ିଲା ।

 

Image

 

ପୂର୍ବଦିଗକୁ ବାଟ ଚାଲି ସେମାନେ ପ୍ରାୟ ସମଗ୍ର ଇରାନ୍ ଦେଶକୁ ଅତିକ୍ରମ କଲେ । ମାର୍କୋ ପୋଲୋ ବାଟରେ କପା ଓ ଗହମର କ୍ଷେତ ଦେଖିଲେ, ଅଙ୍ଗୁର ଓ ଫଳ ବଗିଚାମାନ ବି ଦେଖିଲେ । ପାରସ୍ୟର ସବା ପୂର୍ବଭାଗକୁ ଗୋଟିଏ ସହରରେ ସେମାନଙ୍କର ଭାରତୀୟ ବଣିକମାନଙ୍କ ସହିତ ବି ଭେଟ ହୋଇଥିଲା । ସେହି ସହରରେ ପୋଲୋ ପରିବାର କିଛିଦିନ ପାଇଁ ବିଶ୍ରାମ ନେଲେ । କାରଣ ଏହାପରେ ସେମାନଙ୍କ ଯାତ୍ରାର ଅସଲ ଦୁର୍ଗମ ଅଂଶଟି ଆରମ୍ଭ ହେବାକୁ ଯାଉଥିଲା । ଯାତ୍ରାର ପ୍ରଥମ ଭାଗରେ ଖାଲି ତାଳଗଛ ପଡ଼ିଲା । ତା’ପରେ ବନସ୍ପତି ପ୍ରାୟ ଅଦୃଶ୍ୟ ହୋଇଯିବାକୁ ଲାଗିଲା । ତା’ପରେ ତୁଚ୍ଛା ମରୁଭୂମି । ସେହି ମରୁଭୂମିଟିକୁ ପାରିହେବାକୁ ସେମାନଙ୍କୁ ଆଠ ଦିନ ସମୟ ଲାଗିଥିଲା । ଯେଉଁଠାରେ ଯେଉଁଦିନ ରାତି ହେଉଥିଲା, ସେଦିନ ସେମାନେ ସେହିଠାରେ ତମ୍ବୁ ପକାଇ ରହୁଥିଲେ । ଉପରେ ତାରାଖଚିତ ବିଶାଳ ଆକାଶ, ମଣିଷ ଉପରେ ସତେଅବା ଅଜାଡ଼ି ହୋଇ ପଡ଼ିବାପରି ଲାଗୁଥିଲା । ସେମାନେ ସେଇଠି ଚୂଲୀ ଲଗାଇ ରାତିର ଖାଇବା ତିଆରି କରି ନେଉଥିଲେ ଓ ପରଦିନର ଯାତ୍ରାଲାଗି ବିଶ୍ରାମ ଗ୍ରହଣ କରୁଥିଲେ । ରାତିରେ ଶୋଇବା ସମୟରେ ପାଳିକରି ତିନିଜଣଙ୍କ ମଧ୍ୟରୁ ଜଣେ ପହରା ଦେଉଥିଲା ।

 

ଏହି ମରୁଭୂମିଟି ପାରିହୋଇ ସେମାନେ ତିନିଦିନ ପରେ ଆଉ ଗୋଟିଏ ମରୁଭୂମିରେ ଯାଇ ପ୍ରବେଶ କଲେ । ଏଇଟି ଅଧିକ ଦୁର୍ଗମ, ଅଧିକ ବିପଦସଙ୍କୁଳ । ଏହି ମରୁଭୂମିକୁ ପାରି ହେବାଲାଗି ସାତଦିନ ବାଟ ଚାଲିବା କଥା । ପାଣି ପ୍ରାୟ ମିଳୁ ନ ଥିଲା, ତେଣୁ ଦିନମାନର ପାଣିକୁ ସାଙ୍ଗରେ ବୋହିକରି ନେବାକୁ ପଡ଼ୁଥିଲା । ମରୁଭୂମିର ସ୍ଥାନେ ସ୍ଥାନେ ଯେଉଁ ପାଣି ମିଳୁଥିଲା, ତାହାକୁ ପଶୁ ମଧ୍ୟ ପିଉ ନ ଥିଲେ । ମରୁଭୂମି ସରିଲା, ଆହୁରି କେତେ ବାଟ ବି ସରିଲା । ବାଟ ଚାଲିଚାଲି ଆହୁରି କେତୋଟି ଦିନ ଓ କେତୋଟି ରାତି ବି ସରିଲା । ତଥାପି ଚୀନ ଦେଶର ସୀମା ପଡ଼ୁ ନ ଥାଏ । ତରୁଣ ମାର୍କୋ ପୋଲୋ ଭାବୁଥାନ୍ତି, ଏମିତି କ’ଣ ବାଟରେ ବାଟରେ ଜୀବନଟା ଚାଲିଯିବ କି ? ଚୀନ ଦେଶରେ ପହଞ୍ଚିବା କ’ଣ ସମ୍ଭବ ହେବନାହିଁ କି ? ସେ ବାପାଙ୍କୁ ପଚାରିଲେ-। ବାପା ଉତ୍ତର ଦେଇ କହିଲେ, ‘‘ଆହୁରି ଅନେକ ବାଟ ବାକୀ ଅଛି । ସବୁଠାରୁ ଅଧିକ ଦୁର୍ଗମ ପଥ ଏବେ ବି ବାକୀ ଅଛି । ତେଣୁ ଆହୁରି ବାଟ ଚାଲିବାକୁ ହେବ ।’’

 

(୩)

 

ପାରସ୍ୟର ସୀମା ପାରି ହୋଇ ଯେତେବେଳେ ସେମାନେ ଆହୁରି କିଛି ବାଟ ପୂର୍ବକୁ ଯାଇ ସାରିଥିଲେ, ସେତେବେଳେ ନିକୋଲୋ ପୋଲୋ ହିସାବ କରି ଅନୁମାନ ଦ୍ୱାରା ଜାଣିଲେ ଯେ ସେମାନଙ୍କର ମୋଟ ଯାତ୍ରାର ପ୍ରାୟ ଅଧେ ବାଟ ସରିଲା ଓ ଆହୁରି ଅଧେ ଆଗକୁ ରହିଲା । ଦୁଇଟିଯାକ ମରୁଭୂମି ଅତିକ୍ରମ କରି ଯିବାପରେ ସେମାନେ ଏପରି ଏକ ପାହାଡ଼ିଆ ଅଞ୍ଚଳରେ ଆସି ପହଞ୍ଚିଲେ ଯେଉଁଠାରେ କି ଖାଇବା ଜିନିଷ ବୋଲି କିଛି ଦେଖିବାକୁ ମିଳିଲା ନାହିଁ । ସେମାନଙ୍କର ବାଟ ଏହାପରେ ଉତ୍ତରଦିଗକୁ ମୋହିଁଲା । ପାହାଡ଼ ବଢ଼ି ବଢ଼ି ଯାଉଥାଏ । କେତେକ ପାହାଡ଼ ଏତେ ଉଚ୍ଚ ଯେ ସେଗୁଡ଼ିକର ଚୁଡ଼ା ବରଫରେ ଧଳା ହୋଇ ରହିଥାଏ । ରାତିରେ ଏତେ ଥଣ୍ଡା ହେଲା ଯେ ସେମାନଙ୍କର ଦେହ କୋଲ ମାରିଗଲା ପରି ଲାଗିଲା । ନିଆଁ ଜାଳିଲେ ମଧ୍ୟ ଟିକିଏ ହେଲେ ଉଷୁମ ଲାଗୁ ନ ଥାଏ । ମାର୍କୋ ପରିବାର ଏଇଠି ଲୁଣର ପାହାଡ଼ ଦେଖିଲେ । ସେମାନେ ମଧ୍ୟ ସଂଗ୍ରହ କରି କିଛି ଲୁଣ ସାଙ୍ଗରେ ଧରିଲେ । ମାର୍କୋ ପୋଲୋ ଏହି ଅଞ୍ଚଳରେ ତାଙ୍କ ଜୀବନରେ ପ୍ରଥମ କରି ଝିଙ୍କ ପକ୍ଷୀ ଦେଖିଲେ ।

 

ପାହାଡ଼ କାଟି ସେମାନେ ବାଲାଶାନ୍ ରାଜ୍ୟରେ ପହଞ୍ଚିଲେ । ସେଠିକାର ରାଜା ସେମାନଙ୍କୁ କହିଲେ ଯେ ସିଏ ହେଉଛନ୍ତି ଗ୍ରୀସ୍‌ର ମହାବୀର ଆଲେକ୍‌ଜାଣ୍ଡର୍‌ଙ୍କ ବଂଶଧର । ଆଲେକ୍‌ଜାଣ୍ଡର୍‌ ତାଙ୍କର ପାରସ୍ୟ ଅଭିଯାନ କାଳରେ ପାରସ୍ୟ ସମ୍ରାଟଙ୍କର ଗୋଟିଏ ଝିଅକୁ ବିବାହ କରିଥିଲେ ଓ ସେହିଠାରୁ ଏହି ବଂଶଟିର ସୃଷ୍ଟି ହୋଇଥିଲା । ମାର୍କୋ ପରିବାର ଏହି ରାଜ୍ୟରେ ମୂଲ୍ୟବାନ୍ କେତେପ୍ରକାର ପଥରର ଖଣିମାନ ଦେଖିଲେ । ସେଠାରେ ସୁନା ଓ ରୂପାର ଖଣି ବି ଥିଲା । କପା ତିଆରି ଲୁଗାର ଅଭାବ ରହିଥିବାରୁ ଲୋକମାନେ ସାଧାରଣତଃ ଜନ୍ତୁମାନଙ୍କର ଚମଡ଼ାରେ ପୋଷାକ ତିଆରି କରି ପିନ୍ଧୁଥିଲେ ।

 

ଏହି ରାଜ୍ୟରେ ମାର୍କୋ ଅସୁସ୍ଥ ହୋଇ ପଡ଼ିଲେ । ତାଙ୍କର ବାପା ଓ ଦାଦି ଭାବିଲେ, ଦୁର୍ଗମ ପଥର କଠିନ ଯାତ୍ରା ମାର୍କୋଙ୍କୁ ଅସୁସ୍ଥ କରି ପକାଇଛି । ସେହି କାରଣରୁ ସେମାନଙ୍କୁ ସେଠାରେ ପ୍ରାୟ ତିନିମାସ ସମୟ ରହିବାକୁ ହେଲା । ତିନିମାସ ପରେ ସେମାନେ ପୁଣି ବାହାରିଲେ । ଏଥର ସେମାନଙ୍କର ବାଟ କେତେବେଳେ ଉତ୍ତରକୁ ଓ ପୁଣି କେତେବେଳେ ପୂର୍ବକୁ ଗତି କରୁଥାଏ । ସେମାନେ ଯହୁଁ ଯହୁଁ ଆଗକୁ ଯାଉଥାନ୍ତି, ତେଣେ ସ୍ଥାନଗୁଡ଼ିକର ଉଚ୍ଚତା ବଢ଼ି ବଢ଼ି ଯାଉଥାଏ ଓ ଥଣ୍ଡା ବି ବଢ଼ି ବଢ଼ି ଯାଉଥାଏ । ଏଇଟି ହେଉଛି ପାମିର୍ ଅଞ୍ଚଳ, ଭୂଗୋଳ ବହିରେ ଯାହାକୁ ପୃଥବୀର ଛାତ ବୋଲି କୁହାଯାଏ । ପୃଥିବୀର କେତୋଟି ଉଚ୍ଚତମ ପର୍ବତ ଏହି ପାମିର ଅଞ୍ଚଳରେ ଅବସ୍ଥିତ । ଏହି ଶୀତଳ ପାର୍ବତ୍ୟ ଭୂମିରେ ମାର୍କୋ ବଡ଼ ବଡ଼ ଶିଙ୍ଗ ଥିବା ମେଣ୍ଢା ଦେଖିବାକୁ ପାଇଲେ । ଏହି ଅଞ୍ଚଳଟି ପାରି ହେବାକୁ ସେମାନଙ୍କୁ ଦୀର୍ଘ ବାରଦିନ ସମୟ ଲାଗିଲା । ବାଟରେ ଜମି ନାହିଁ, ହୁଏତ ଗଛଟିଏ ବି ନାହିଁ; ଚଢ଼େଇଟିଏ ବି ଦେଖିବାକୁ ମିଳୁନାହିଁ । ରାତିରେ ସେମାନେ ଯେଉଁଠି ରହନ୍ତି ମଝିରେ ନିଆଁ ଜାଳି ଚାରିପାଖରେ ବସି ଶୀତରେ କମ୍ପୁଥାନ୍ତି । ମାର୍କୋ ପୋଲୋଙ୍କର ଇତାଲୀ କଥା ମନେ ପଡ଼ୁଥାଏ । କିନ୍ତୁ ତାଙ୍କ ବୟସରେ ଇତାଲୀରୁ ଆଉ କିଏ ଏହିପରି ଏକ ଅଭିଯାନରେ ବାହାରିପାରିଛି ? —ସେ ମନେ ମନେ ଭାବୁଥାନ୍ତି ଓ ଉଷୁମ ଅନୁଭବ କରୁଥାନ୍ତି ।

 

ପୃଥିବୀର ଛାତ ଉପରକୁ ଉଠି ସେମାନେ ତା’ ପରେ ତଳକୁ ଖସିଲେ ଏବଂ ବେଶ୍ କେତେ ସପ୍ତାହ ବାଟ ଚାଲିବା ପରେ କାଶ୍‍ଗର ସହର ନିକଟରେ ଯାଇ ପହଞ୍ଚିଲେ । କାଶ୍‌ଗର ସହର ହେଉଛି ଚୀନ ଦେଶ ଭିତରେ ଏବଂ ଏଠାରେ ସ୍ୱୟଂ କୁବ୍‌ଲାଇ ଖାଁଙ୍କର ଜଣେ ଉଚ୍ଚପଦସ୍ଥ କର୍ମଚାରୀ ଶାସକ ଭାବରେ ରହିଥିଲେ । ଚୀନ ଦେଶକୁ ପ୍ରବେଶ କରି ଯାତ୍ରୀ ତିନିଜଣ ସତେ ଅବା ବାଟ ସରି ଆସୁଛି ବୋଲି ଅନୁଭବ କରୁଥାନ୍ତି । ଭିତରେ ବେଶ୍ ହାଲୁକା ଅନୁଭବ କରୁଥାନ୍ତି । ମାତ୍ର ତଥାପି ଆହୁରି ଅନେକ ବାଟ ବାକି ରହିଥାଏ । ଗୋବି ମରୁଭୂମି କଥା ଭାବିଲାବେଳକୁ ମନରେ ଏକପ୍ରକାର ତ୍ରାସ ଜାତ ହେଉଥାଏ ।

 

Image

 

‘‘ଏଥର ଗୋବି ମରୁଭୂମି ପଡ଼ିବ’’,—ନିକୋଲୋ ପୋଲୋ କହିଲେ । ସେହି ମରୁଭୂମି ମଧ୍ୟରେ ପ୍ରବେଶ କରିବା ପୂର୍ବରୁ ଆମକୁ ଅନେକ ଦିନ ବିଶ୍ରାମ ନେବାକୁ ପଡ଼ିବ ଓ ବଳ ସଂଗ୍ରହ କରିବାକୁ ପଡ଼ିବ । ସାଙ୍ଗରେ ଯେଉଁ ପୁରୁଣା ଜନ୍ତୁମାନେ ଅଛନ୍ତି, ସେମାନଙ୍କ ଦ୍ୱାରା ଆଉ କାମ ଚଳିବ ନାହିଁ । ଆମକୁ ଏହିଠାରୁ ଜନ୍ତୁ, —ଗଧ ଆଉ ଓଟ କିଣିବାକୁ ହେବ ଏବଂ ସାଙ୍ଗରେ ମାସକର ଖାଇବା ଧରି ବାହାରିବାକୁ ପଡ଼ିବ । ବାଟରେ ରହଣି ଜାଗାରେ ପାଣି ଟୋପାଏ ହୁଏତ ମିଳିପାରେ, କିନ୍ତୁ ଖାଦ୍ୟପଦାର୍ଥ ସବୁଯାକ ସାଙ୍ଗରେ ଧରି ଯିବାକୁ ପଡ଼ିବ । ହଁ, ବାଟରେ ଜନ୍ତୁଗୁଡ଼ିକ ମଧ୍ୟରୁ ଯଦି ଗୋଟିଏ ଦୁଇଟି ମରିଯାନ୍ତି, ତେବେ ଆମେ ସେମାନଙ୍କର ମାଂସ ବି ଖାଇପାରିବା । ଯଦି ଆମେ କୋଉଠି ବାଟବଣା ହୋଇଯିବା ଏବଂ ତେଣେ ଆମ ଖାଦ୍ୟଭଣ୍ଡାର ଖାଲି ହୋଇଯିବ, ତେବେ ଆମେ ହୁଏତ ଆଉ କସ୍ମିନ୍‌କାଳେ ବି କୁବ୍‌ଲାଇ ଖାଁଙ୍କର ଦରବାରରେ ଯାଇ ପହଞ୍ଚି ପାରିବା ନାହିଁ । କିନ୍ତୁ ଯୁବକ ମାର୍କୋ ପୋଲୋ ଆଶାବାଦୀ । ତାଙ୍କର ମନ କହି ଉଠୁଥାଏ ଯେ ସେ ଚୀନର ସମ୍ରାଟ କୁବ୍‌ଲାଇ ଖାଁଙ୍କୁ ନିଶ୍ଚୟ ଭେଟିବେ । କେବଳ ଏହି ଗୋଟିଏ ଯାତ୍ରା ନୁହେଁ, ତାଙ୍କର ଗୋଟାଏ ଜୀବନରେ ସେ ଏହିପରି ଏକାଧିକ ଯାତ୍ରାକୁ ସମ୍ପୂର୍ଣ୍ଣ କରିବେ । ଇତିହାସର ପୃଷ୍ଠାରେ ଆମ ସମସ୍ତଙ୍କର ସ୍ମରଣୀୟ ହୋଇ ରହିବେ ।

 

ମହା ମହା ବିପଦର ମହାପ୍ରାନ୍ତର ହେଉଛି ସେହି ଗୋବି ମରୁଭୂମି । କେତେ କେତେ ପଥିକ ଯେ ଏହି ମରୁଭୂମିରେ ପ୍ରବେଶ କରି ପଥ ଭୁଲିଛନ୍ତି ଓ ପଥ ଭୁଲି ପ୍ରାଣ ହରାଇଛନ୍ତି, ତାହାର ସୁମାରି ନାହିଁ । କେତେ କେତେ ଓଟଙ୍କ ସମେତ କେତେ କାରାଭାନ୍ ଏହାରି ବାଲି ଭିତରେ କୁଆଡ଼େ ହଜି ଯାଇଛନ୍ତି । ଗୋବି ମରୁଭୂମିର ବିପଦ ବିଷୟରେ ଲୋକମୁଖରେ କେତେ କେତେ କାହାଣୀ ରହିଛି । ଲୋକେ କହନ୍ତି, ଏହା ଭିତରେ ଭୂତ ଅଛନ୍ତି, ପିତାସୁଣୀ ଅଛନ୍ତି, ଯେଉଁମାନେ କି ପଥିକମାନଙ୍କର ପଥ ଭୁଲାଇ ନିଅନ୍ତି । ବଡ଼ ବଡ଼ ବାଲି ଖୋଲ ଭିତରେ ପବନ ପଶି ଯେତେବେଳେ ଭଁଅ ଭଁଅ ଗର୍ଜନ କରି ଉଠେ, ସେତେବେଳେ ସତେ ଅବା କୌଣସି ମଣିଷ କେତେ ଦୂରରୁ ତୁମକୁ ଡାକୁଥିଲା ପରି ମନେହୁଏ । କେହି ଯଦି ବାଟରେ ଯାଉ ଯାଉ ଦୁର୍ଭାଗ୍ୟବଶତଃ ପଛରେ ରହିଯାଏ, ତେବେ ଏହି ଡାକ ଶୁଣି ସେ ତାକୁ ସାଙ୍ଗମାନଙ୍କର ଡାକ ବୋଲି ଭ୍ରମ କରେ ଓ ତା’ ପରେ ବାଟବଣା ହୋଇଯାଏ । ବାଲି ଭିତରେ କେତେ ଜାଗାରେ କୁଢ଼ କୁଢ଼ ହାଡ଼ ଜମା ହୋଇଥାଏ ।

Image

 

ଗୋବି ମରୁଭୂମିର ତଟକୁ ଆସି ପୋଲୋ ପରିବାର ଆଗ କିଛିଦିନ ପାଇଁ ବିଶ୍ରାମ କଲେ, ଟାଣୁଆ ବଳୁଆ ଜନ୍ତୁସବୁ କିଣିଲେ, ମରୁଭୂମିର ବାଟ ପାଇଁ ରସଦ ଯୋଗାଡ଼ କଲେ । ପ୍ରତ୍ୟେକ ଜନ୍ତୁଙ୍କ ବେକରେ ଘଣ୍ଟି ବାନ୍ଧିଦେଲେ ଏବଂ ତା’ପରେ ଜଣେ ପୁରୁଣା ବାଟଚିହ୍ନାଳିକୁ ସାଙ୍ଗରେ ଧରି ସେମାନେ ମରୁଭୂମି ଭିତରେ ପ୍ରବେଶ କଲେ । ମାର୍କୋପୋଲୋଙ୍କର ଭିତରଟା କେତେ ଅନିଶ୍ଚିତ ବିପଦର ଆଶଙ୍କାରେ ସତେ ଅବା କମ୍ପି ଉଠୁଥାଏ । ବାଲି ଓ ପାହାଡ଼ର ଏହି ଦୁର୍ଜୟ ରାସ୍ତାରେ ସେମାନଙ୍କୁ ଦୀର୍ଘ ତିରିଣି ଦିନ କାଳ ବାଟ ଚାଲିବାକୁ ପଡ଼ିଲା । ରାତିରେ ଯେଉଁଠି ସୋମନଙ୍କର ଡେରା ପଡ଼ୁଥିଲା, ସେଠି ସେମାନେ ଖୁଣ୍ଟ ପୋତି ଜନ୍ତୁମାନଙ୍କୁ ବାନ୍ଧି ଦେଉଥିଲେ । ନିଜେ ନିକୋଲୋ ପୋଲୋ ହିସାବ କରି ମଣିଷ ଓ ଜନ୍ତୁ ସମସ୍ତଙ୍କ ପାଇଁ ଖୋରାକ ବାହାର କରି ଦେଉଥିଲେ । ବଡ଼ ଭାଗ୍ୟର କଥା, ଏମାନଙ୍କୁ ବାଟରେ ଗୋଟିଏ ବୋଲି ଜନ୍ତୁ ହରାଇବାକୁ ପଡ଼ିଲା ନାହିଁ ଏବଂ ଭୟଙ୍କର ଗୋବି ମରୁଭୂମି ପାର ହୋଇ ଏମାନେ ଏକ ସମତଳ ତୃଣଭୂମିରେ ଆସି ପହଞ୍ଚିଲେ । ତୃଣଭୂମି ସ୍ୱର୍ଗଭୂମି ପରି ଲାଗିଲା । ଏଠି ଘାସ ଥିଲା, କୁଳୁ କୁଳୁ ହୋଇ ସ୍ୱଚ୍ଛ ଜଳର ଝରଣା ବହି ଯାଉଥିଲା । ମରୁଭୁମି ଅତିକ୍ରମ କରିସାରିବା ପରେ ସେମାନେ ପ୍ରଥମେ ଯେଉଁ ବଡ଼ ସହରରେ ପହଞ୍ଚିଲେ, ସେଠାରେ ସେମାନେ ବରଷଟିଏ ରହିଲେ । ଆଗ ସେମାନଙ୍କର ପ୍ରବେଶ ଲାଗି ଅନୁମତିପତ୍ର ଦେବାକୁ ରାଜଧାନୀକୁ ଖବର ପଠାଗଲା ଏବଂ ଲୋକ ଯାଇ ଲୋକ ଫେରିବାକୁ ପ୍ରାୟ ଗୋଟିଏ ବର୍ଷ ଅତିକ୍ରାନ୍ତ ହୋଇଗଲା ।

 

ଏହି ସହରରେ ମାର୍କୋ ପୋଲୋ ମୁସଲମାନ ଓ ବୌଦ୍ଧ ଦୁଇଧର୍ମର ଲୋକଙ୍କୁ ଦେଖିବାକୁ ପାଇଲେ । ଏଠାରେ କେତେ ଖ୍ରୀଷ୍ଟିଆନ୍ ମଧ୍ୟ ବାସ କରୁଥିଲେ । ମାର୍କୋ ପୋଲୋ ଗୋଟାଏ ସହରରେ ଗୀର୍ଜା, ମସ୍‌ଜିଦ୍‌ ଏବଂ ବୌଦ୍ଧ ମନ୍ଦିର ଦେଖିବାକୁ ପାଇଲେ । ଏହି ସହରରେ ଅନେକ ଦିନ ରହିବାରୁ ସେ ସବୁ ଧର୍ମର ଲୋକଙ୍କ ସହିତ ସମ୍ପର୍କ କରିପାରିଲେ, ସମସ୍ତଙ୍କର ରୀତିନୀତି ଜାଣିଲେ, ସମସ୍ତଙ୍କୁ ମଣିଷ ବୋଲି ଚିହ୍ନିବାର ସୁଯୋଗ ପାଇଲେ । ବୌଦ୍ଧ ମନ୍ଦିରଗୁଡ଼ିକରେ ବୁଦ୍ଧଙ୍କର କେଡ଼େ କେଡ଼େ ମୂର୍ତ୍ତି ଶୋଭା ପାଉଥିଲା । ଦଶ ଦଶ ପାଦ ଲମ୍ବର ବୁଦ୍ଧ ମୂର୍ତ୍ତି ଶୟନ ଅବସ୍ଥାରେ ରହିଥିଲେ, ତାଙ୍କ ପାଖରେ ଭକ୍ତମାନେ ଠିଆ ହୋଇ ପୂଜା କରୁଥିଲେ । ବୌଦ୍ଧ ବିହାରମାନଙ୍କରେ ଭିକ୍ଷୁମାନେ ରହୁଥିଲେ, ବୁଦ୍ଧଙ୍କର ପ୍ରଦର୍ଶିତ ପଥରେ ଜୀବନଯାପନ କରୁଥିଲେ ।

 

ଜଣେ ମଣିଷ କେତୋଟି ସ୍ତ୍ରୀ ବିବାହ କରିପାରିବ, ତାହାର କୌଣସି ସୀମା ନ ଥିଲା । ଜଣେ ଜଣେ ତିରିଶି ଜଣ ପର୍ଯ୍ୟନ୍ତ ସ୍ତ୍ରୀଙ୍କୁ ବିବାହ କରିଥିଲେ । ମାତ୍ର ବଡ଼ ସ୍ତ୍ରୀକୁ ସାଧାରଣତଃ ଧର୍ମପତ୍ନୀ ବୋଲି ସ୍ୱୀକାର କରାଯାଉଥିଲା । ସ୍ତ୍ରୀମାନେ କୌଣସି କାରଣରୁ ପରସ୍ପର ମଧ୍ୟରେ କଳହ କଲେ ସ୍ୱାମୀ ସେମାନଙ୍କୁ ଘରୁ ବାହାର କରିଦେଇ ପାରୁଥିଲା । ଓଟ ଓ ଗୋରୁ ଗୃହପାଳିତ ପଶୁ ହୋଇ ରହୁଥିଲେ । ଲୋକମାନେ ପୋଷା ବାଜପକ୍ଷୀମାନଙ୍କ ସାହାଯ୍ୟରେ ଚଢ଼େଇ ଶିକାର କରୁଥିଲେ । ଏହି ଶିକାର ଏହିପରି ଭାବରେ ହେଉଥିଲେ : ଶିକାରୀମାନେ ଘୋଡ଼ାରେ ଚଢ଼ି ଶିକାର କରି ବାହାରିବା ବେଳରେ ସାଙ୍ଗରେ ଗୋଟିଏ ପୋଷା ବାଜପକ୍ଷୀ ଧରି ଯାଉଥିଲେ । ବାଜପକ୍ଷୀଟି ଗୋଟିଏ ଚେନ୍‌ରେ ସେମାନଙ୍କର ନେଡ଼ି ପାଖରେ ବନ୍ଧାହୋଇ ରହୁଥିଲା । ଶିକାରକୁ ଗଲାବେଳେ ସେମାନେ ବାଜପକ୍ଷୀର ମୁଣ୍ଡଟିକୁ ଲୁଗାରେ ଘୋଡ଼ାଇ ରଖୁଥିଲେ । ଯେଉଁ ଚଢ଼େଇକୁ ଶିକାର କରିବା କଥା, ସେଇଟି ଆଖିରେ ପଡ଼ିବାକ୍ଷଣି ଶିକାରୀ ହାତରେ ଥିବା ବାଜପକ୍ଷୀଟିକୁ ତା’ଆଡ଼କୁ ଛାଡ଼ି ଦେଉଥିଲେ । ବାଜପକ୍ଷୀ ସେହି ଚଢ଼େଇଟିର ଆହୁରି ଉପରକୁ ଉଠି ତାକୁ ମାଡ଼ି ବସୁଥିଲା ଓ ତା ସହିତ ମାଟିରେ ଆସି ପଡ଼ୁଥିଲା । ଶିକାରୀ ସଙ୍ଗେ ସଙ୍ଗେ ସେହି ଜାଗାକୁ ଘୋଡ଼ା ଦଉଡ଼ାଇ ଛୁଟି ଯାଉଥିଲା, ବାଜପକ୍ଷୀଟିକୁ ପୁଣି ହାତରେ ବାନ୍ଧି ନେଉଥିଲା ଓ ମଲା ଚଢ଼େଇଟିକୁ ମୁଣିରେ ପକାଇ ଦେଉଥିଲା ।

 

ରାଜଧାନୀ ନିକଟ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ପୋଲୋ ପରିବାର ସମ୍ରାଟଙ୍କ ବିଷୟରେ ନାନା ସମାଚାର ଶୁଣିବାକୁ ପାଇଲେ । ରାଜା ବର୍ତ୍ତମାନ ସିଏ ତିଆରି କରିଥିବା ନୂତନ ପ୍ରାସାଦଟିରେ ରହୁଥିଲେ । ରାଜା ମଧ୍ୟ ପଥର ବିଭିନ୍ନ ସ୍ଥାନରେ ସମ୍ବାଦ ପଠାଇବା ଲାଗି ନିଯୁକ୍ତ ହୋଇ ରହିଥିବା ଘୋଡ଼ାସବାର ସିପାହୀମାନଙ୍କ ସାହାଯ୍ୟରେ ନିକୋଲୋ ପୋଲୋ ଓ ତାଙ୍କର ସାଥୀମାନଙ୍କର ଚୀନ ଭିତରେ ଆସି ପହଞ୍ଚିଥିବାର ଖବର ପାଇଗଲେ । ରାଜଧାନୀରେ ପହଞ୍ଚିବାକୁ ସେମାନଙ୍କର ଆହୁରି ଚାଳିଶି ଦିନର ବାଟ ବାକି ଥାଏ । ସେମାନଙ୍କର ସୁଖସୁବିଧା ପ୍ରତି ଦୃଷ୍ଟି ଦେଇ ସେମାନଙ୍କୁ ରାଜଧାନୀ ପର୍ଯ୍ୟନ୍ତ ସଂଖୋଳି ଆଣିବାକୁ କୁବ୍‌ଲାଇ ଖାଁ କେତେଜଣ ଅଫିସରଙ୍କୁ ସ୍ୱତନ୍ତ ଭାବରେ ସେମାନଙ୍କ ପାଖକୁ ପଠାଇଲେ । ହଳଦିଆ ରେଶମରେ କେଡ଼େ ସମ୍ଭ୍ରାନ୍ତ ଓ ଭବ୍ୟ ଦେଖାଯାଉଥିବା ଏହି ରାଜକର୍ମଚାରୀମାନଙ୍କୁ ଦେଖି ମାର୍କୋ ପ୍ରକୃତରେ ବିସ୍ମିତ ହୋଇଯାଇଥିଲେ । ତାଙ୍କର ବାପା ଓ ଦାଦିଙ୍କୁ ଚୀନର ସମ୍ରାଟ ଏତେ ସମ୍ମାନ ଓ ଶ୍ରଦ୍ଧା ଦେଖାଉଛନ୍ତି ଦେଖି ସେ ନିଶ୍ଚୟ ଗର୍ବ ଅନୁଭବ କରିଥିବେ ।
 

ଶେଷରେ ରାଜଧାନୀରେ ଥିବା ଉଚ୍ଚ ସୌଧଗୁଡ଼ିକର ଧବଳ ଚୂଡ଼ାମାନ ଯେତେବେଳେ ସେମାନଙ୍କର ଦୃଷ୍ଟିଗୋଚର ହେଲା, ସେତେବେଳେ ସେମାନେ ନିଶ୍ଚିତ ଭାବରେ ସେମାନଙ୍କର ଲକ୍ଷ୍ୟସ୍ଥଳରେ ଆସି ପହଞ୍ଚିଲେ ବୋଲି ଜାଣି ଆଶ୍ୱସ୍ତ ହେଲେ । ସେମାନଙ୍କ ପଛରେ ସେମାନେ ଦୀର୍ଘ ସାଢ଼େ ତିନିବର୍ଷର ପଥ ଅତିକ୍ରମ କରି ଆସିଥିଲେ । ପୃଥିବୀର ଇତିହାସରେ ସେମାନଙ୍କ ପୂର୍ବରୁ ଆଉ କୌଣସି ମନୁଷ୍ୟଯାତ୍ରୀ ଗୋଟାଏ ମୁଥରେ ଏତେ ଦୀର୍ଘପଥ କେବେହେଲେ ଅତିକ୍ରମ କରି ନ ଥିଲା । ମାର୍କୋ ପୋଲୋ ଘରୁ ବାହାରିବାବେଳେ ତାଙ୍କୁ ସତର ବର୍ଷ ହୋଇଥିଲା-। ବର୍ତ୍ତମାନ ସେ କୋଡ଼ିଏ ବର୍ଷ ବୟସ ପାର ହୋଇଯାଇଥିଲେ । ସେତେବେଳର କିଶୋର ବର୍ତ୍ତମାନ ପ୍ରାୟ ଜଣେ ଯୁବକ ପରି ଦେଖାଯିବାକୁ ଆରମ୍ଭ କରିଥିଲେ ।

 

(୪)

 

ସମ୍ରାଟଙ୍କର ରାଜପ୍ରାସାଦ ପ୍ରକୃତରେ ଏଡ଼େବଡ଼ ଏକ ସହର ପରି ଦିଶୁଥିଲା । ତାହାରି ଭିତରେ ଦରବାର, ତାହାରି ଭିତରେ ଦୋକାନ ବଜାର, ପୁଣି ତାହାରି ଭିତରେ ବିଦେଶରୁ ଆସୁଥିବା ବଣିମାନଙ୍କର କାରବାର । ମାର୍କୋ ଯେତେ ଅଧିକ ଦେଖୁଥାନ୍ତି, ସେତେ ଅଧିକ ଆଶ୍ଚର୍ଯ୍ୟ ହେବାରେ ଲାଗିଥାନ୍ତି । ରେଶମର ଚିକିଚିକି ପୋଷାକ ପିନ୍ଧିଥିବା କେତେ ଅଫିସର, କେଡ଼େ ସୁନ୍ଦର ସୁନ୍ଦର କୋଠା ଆଉ ବଗିଚା, ହଜାର ହଜାର ସୈନ୍ୟସାମନ୍ତ ଓ ପୁଣି କେତେ କେତେ ଜାତିର ଲୋକେ ଏଇଠି ଏହି ଗୋଟିଏ ରାଜଧାନୀରେ ଆସି ଏକତ୍ର ଠୁଳ ହୋଇଛନ୍ତି ।

 

ନିକୋଲୋ ଓ ମାଫେଓ ପୋଲୋ ରାଜଧାନୀକୁ ଫେରି ଆସିଛନ୍ତି ଖବର ପାଇ ସମ୍ରାଟ କୁବ୍‌ଲାଇ ଖାଁଙ୍କର ଆନନ୍ଦର ସୀମା ରହିଲା ନାହିଁ । ସେମାନଙ୍କ ଲାଗି ସେ ବହୁଦିନରୁ ଅପେକ୍ଷା କରି ବସିଥିଲେ । ସେମାନେ ହୁଏତ ଆଉ ଫେରିବାକୁ ମନ କରିବେ ନାହିଁ ବୋଲି ସେ ବେଳେବେଳେ ଆଶଙ୍କିତ ବି ହେଉଥିଲେ । ସେମାନେ ସାମ୍ରାଜ୍ୟର ସୀମା ଛୁଇଁବା ପରେ ଯେତେବେଳେ ତାଙ୍କ ପାଖରେ ସେହି ଖବରଟି ଆସି ପହଞ୍ଚିଲା, ସେହିଦିନଠାରୁ ସେମାନଙ୍କ ସକାଶେ ସ୍ୱତନ୍ତ୍ର ରହିବା ଘର ଓ ପରିଚାରକ ନିଯୁକ୍ତ କରି ରଖିଥିଲେ । ଦୂରାଗତ ତିନିଜଣଙ୍କୁ ଅତ୍ୟନ୍ତ ଆଦରର ସହିତ ସେହି ଘରକୁ ପାଛୋଟି ନିଆଗଲା ଓ ସେମାନେ ସେଠାରେ କିଛି ସମୟ ବିଶ୍ରାମ ନେବାପରେ ଦରବାରରେ ଆସି ପହଞ୍ଚିଲେ ।

Image

ଦରବାରର କାଇଦାରେ ତିନିଜଣଯାକ ସମ୍ରାଟଙ୍କୁ ସାଷ୍ଟାଙ୍ଗ ସମ୍ମାନ ଜଣାଇଲେ । ସେଦିନ ଖାସ୍ ଏହି ଆଗନ୍ତୁକମାନଙ୍କୁ ଲାଗି ହିଁ କୁବ୍‌ଲାଇ ଖାଁ ଏକ ସ୍ୱତନ୍ତ୍ର ଦରବାର ଡାକିଥାନ୍ତି । ସବୁ ଅଫିସର ଓ ସଭାସଦ୍‌ମାନଙ୍କୁ ଆସିବାଲାଗି ବିଶେଷ ଭାବରେ ଅନୁରୋଧ କରାଯାଇଥାଏ । ସାଢ଼େ ତିନିବର୍ଷର ବାଟ ଶେଷ କରି ଆସିଥିବା ଓ ପ୍ରାୟ ସାତବର୍ଷ କାଳ ସମ୍ରାଟଙ୍କର ଦୂତ ହୋଇ ଇୟୁରୋପ ଯାଇଥିବା ବଣିକମାନଙ୍କୁ ସମ୍ରାଟ ପ୍ରଥମେ କୁଶଳ ପୁଚ୍ଛିଲେ । ଦୁଇଭାଇ ସମସ୍ତ ସମ୍ବାଦ ଦେଇସାରିବା ପରେ ସାଙ୍ଗରେ ଆଣିଥିବା ଚିଠି ଓ ଜେରୁଜେଲମ୍‌ରୁ ଆଣିଥିବା ପବିତ୍ର ତୈଳ ସମ୍ରାଟଙ୍କ ପାଖରେ ନିବେଦନ କଲେ । ସମ୍ରାଟ ଏସବୁ ପାଇ କୃତକୃତ୍ୟ ହୋଇ ପଡ଼ିଲେ ଓ କୃତଜ୍ଞତା ଜଣାଇବାକୁ ସେମାନଙ୍କର ଅନେକ ପ୍ରଶଂସା କରିବାକୁ ଲାଗିଲେ । ଏସବୁ ସରିବା ପରେ ଯାଇ ଆଗନ୍ତୁକ ତୃତୀୟ ବ୍ୟକ୍ତିଟି ଉପରେ ଭଲକରି ନଜର ପକାଇବାକୁ ତାଙ୍କୁ ଟିକିଏ ଫୁରୁସତ୍ ମିଳିଲା ।

 

ତାକୁ ନିକୋଲୋ ପୋଲୋଙ୍କର ଯୁବକ ପୁତ୍ର ମାର୍କୋ ପୋଲୋ ବୋଲି ଚିହ୍ନିବାପରେ ସମ୍ରାଟ ଆହୁରି ଅଧିକ ଖୁସି ହୋଇଗଲେ । ପୁଅ ମଧ୍ୟ ବାପ ପରି ସମାନ ଭାବରେ ସାହସୀ ଓ କର୍ତ୍ତବ୍ୟପରାୟଣ ହୋଇଥିବ ବୋଲି ସିଏ ଦୃଢ଼ଭାବରେ ବିଶ୍ୱାସ କରୁଥିଲେ । ମାର୍କୋ ପୋଲୋଙ୍କୁ ମଧ୍ୟ ସଙ୍ଗେ ସଙ୍ଗେ ନିଯୁକ୍ତି ମିଳିଗଲା ଏବଂ ସେଦିନ ରାତିରେ ଏହି ତିନିଜଣ ସମ୍ମାନିତ ଅତିଥିଙ୍କ ଉଦ୍ଦେଶ୍ୟରେ ସମ୍ରାଟ ଯେଉଁ ଭୋଜିର ଆୟୋଜନ କରିଥିଲେ, ସେଥିରେ ସାମ୍ରାଜ୍ୟର ସବୁ ସାମନ୍ତ ଯୋଗ ଦେଇଥିଲେ ।

 

ଭେନିସ୍ ସହରରୁ ରାଜଧାନୀ ପେକିଙ୍ଗ୍, ଅନାମଧେୟ ଇତାଲୀର ଆହୁରି ଅନାମଧେୟ ଭେନିସ୍ ସହରରୁ ସେତେବେଳେ ପୃଥିବୀର ବୋଧହୁଏ ସର୍ବବୃହତ୍ ସାମ୍ରାଜ୍ୟର ରାଜଧାନୀ ପେକିଙ୍ଗ୍ ସହର । ପୁଣି ବୟସ ମୋଟେ ବାଇଶି ବର୍ଷ । ମାତ୍ର ସାଢ଼େ ତିନିବର୍ଷର ବାଟଚଲା ମାର୍କୋ ପୋଲୋଙ୍କୁ ଇତିମଧ୍ୟରେ ଭାରି ଟାଣ କରିଦେଇଥିଲା । ତାଙ୍କର ଆଖି ଇତିମଧ୍ୟରେ ଅନେକ ପ୍ରଶସ୍ତ ହୋଇ ଯାଇଥିଲା, ନିଜ ଉପରେ ଅନେକ ବିଶ୍ୱାସ ଆସି ଯାଇଥିଲା । ଭବିଷ୍ୟତରେ ଯେପରି ଅନେକ ବଡ଼ କାମ ତାଙ୍କ ଲାଗି ଅପେକ୍ଷା କରି ରହିଛି, କ୍ରମେ ସେ ସେହି କଥାଟିକୁ ସତେଅବା ସତ ବୋଲି ବିଶ୍ୱାସ କରିବାକୁ ଲାଗିଲେ ଏବଂ ସେଇଥିଲାଗି ପବପବ କରି ପ୍ରସ୍ତୁତ ହେବାକୁ ଲାଗିଲେ ।

 

ପ୍ରଥମେ ଭାଷା ଶିଖା । ତାତାର ଭାଷା ନ ଶିଖିଲେ ସେ ତାତାର ଦେଶରେ କୋଉ କାମରେ ଲାଗିପାରିବେ ? ବେଶ୍ କେତେମାସ ଭିତରେ ସେ ତାତାର ଭାଷା ଭଲକରି ଶିଖିନେଲେ, ତା’ସାଙ୍ଗକୁ ଆହୁରି ତିନୋଟି ସ୍ଥାନୀୟ ଭାଷାରେ କଥା କହିପାରିଲେ, ଲେଖିପାରିଲେ । ଭାଷା ଶିଖିଯିବା ପରେ ସମ୍ରାଟ ତାଙ୍କୁ ଦୂର ଦୂର ଜାଗାକୁ ସାମ୍ରାଜ୍ୟର କାର୍ଯ୍ୟରେ ପଠାଇଲେ, ଜଳପଥରେ ପଠାଇଲେ ଓ ସ୍ଥଳପଥରେ ପଠାଇଲେ । ହଁ, ଏବେ ମାର୍କୋ ପୋଲୋ ତାତାର ପୋଷାକ ପିନ୍ଧିବାକୁ ଆରମ୍ଭ କରି ସାରିଥିଲେ, ତାତାର ଖାଦ୍ୟ ଖାଇବାରେ ଅଭ୍ୟସ୍ତ ହୋଇ ଯାଇଥିଲେ, ତାତାରମାନଙ୍କ ସହିତ ଗୋଟାସୁଦ୍ଧା ତାତାର ହୋଇ ଯାଇଥିଲେ । ମାତ୍ର ତାଙ୍କ ଆଖିରୁ ସିଏ ଯେ ତାତାର ନୁହନ୍ତି ସେକଥା ଅତି ସହଜରେ ବାରିହୋଇ ପଡ଼ୁଥିଲା ।

 

ସମ୍ରାଟଙ୍କର ପ୍ରାସାଦକୁ ଲାଗିକରି ଏକ ବିରାଟ ପଶୁ ଉଦ୍ୟାନ ଥିଲା । ଉଦ୍ୟାନଟିର ଚାରିପାଖ ଷୋଳ ମାଇଲ ଲମ୍ବ ଗୋଟିଏ ପାଚେରୀ ଦ୍ୱାରା ଘେରା ହୋଇ ରହିଥିଲା । ସେଠାରେ ସମ୍ରାଟଙ୍କର ଶିକାର ଲାଗି ପଶୁମାନେ ବାସ କରୁଥିଲେ । ସମ୍ରାଟଙ୍କ ବ୍ୟତୀତ ସେହି ଉଦ୍ୟାନରେ ପ୍ରବେଶ କରିବାଲାଗି ଆଉ କାହାରି ଅଧିକାର ନ ଥିଲା । ଉଦ୍ୟାନ ଭିତରେ କେତେ କିସମର ସୁନ୍ଦର ବୃକ୍ଷଲତା ଓ କେତେ କେତେ ସୁଦୃଶ୍ୟ ଝରଣା । ସମ୍ରାଟ କୁବ୍‌ଲାଇ ଖାଁ ମାର୍କୋ ପୋଲାଙ୍କୁ ସେହି ଉଦ୍ୟାନରେ ତାଙ୍କ ସହିତ ଶିକାର କରି ଯିବାଲାଗି ଆଦେଶ ଦେଲେ । ତାଙ୍କ ପାଇଁ ସ୍ୱୟଂ ସମ୍ରାଟଙ୍କର ଅଶ୍ୱଶାଳାରୁ ଅଶ୍ୱ ସଜ କରି ଦିଆଗଲା । ସେହି ଉଦ୍ୟାନର ଗୋଟିଏ ପାଖକୁ ସମ୍ରାଟଙ୍କର ଅଶ୍ୱଶାଳା ଥିଲା । ସେଠାରେ ପ୍ରାୟ ଦଶ ହଜାର ଅଶ୍ୱ ସମ୍ରାଟଙ୍କର ଅନେକ ଭୃତ୍ୟଙ୍କ ଦ୍ୱାରା ପାଳିତ ହୋଇ ରହିଥିଲେ । ଆଉ ଗୋଟିଏ ପାଖରେ ଶିକାରୀ ବାଜପକ୍ଷୀ ମଧ୍ୟ ରହିଥିଲେ । ଉଦ୍ୟାନ ଭିତରେ ରେଶମର ଦଉଡ଼ି ଦ୍ୱାରା ଭିଡ଼ା ହୋଇଥିବା ତମ୍ବୁଘର ମଧ୍ୟ ଥିଲା, ଯେଉଁଠାରେ କି ଶିକାର କରି କ୍ଳାନ୍ତ ହୋଇପଡ଼ିଲେ ସମ୍ରାଟ ଓ ତାଙ୍କର ସାଥିମାନେ ବିଶ୍ରାମ କରି ପାରୁଥିଲେ ।

 

ମଙ୍ଗୋଲ ସମ୍ରାଟ କୁବ୍‌ଲାଇ ଖାଁ ହେଉଛନ୍ତି ଇତିହାସ ପ୍ରସିଦ୍ଧ ଚେଙ୍ଗିଜ୍ ଖାଁ ଙ୍କର ନାତି । ଚେଙ୍ଗିଜ୍ ଖାଁ ଯାଯାବର ତାତାରମାନଙ୍କୁ ଏକତାବଦ୍ଧ କରି ଗୋଟିଏ ସାହସୀ ଜାତିରେ ପରିଣତ କରିଥିଲେ ଏବଂ ସେମାନଙ୍କୁ ପୃଥିବୀ ଜୟ କରିବାକୁ ଭିନ୍ନ ଭିନ୍ନ ଆଡ଼କୁ ପଠାଉଥିଲେ । ଚେଙ୍ଗିଜ୍ ଖାଁ ଙ୍କର ନାମ ଶୁଣିଲେ ଭୁବନଯାକ ଭୟରେ କମ୍ପୁ ଥିଲା । କୁବ୍‌ଲାଇ ଖାଁ ସିଂହାସନରେ ବସିଲା ବେଳେ ତାଙ୍କୁ ଚଉରାଳିଶି ବର୍ଷ ହୋଇଥିଲା ଏବଂ ମାର୍କୋ ପୋଲୋ ଚୀନରେ ଯାଇ ପହଞ୍ଚିଲା ବେଳକୁ ପ୍ରାୟ ଅଣଷଠି ବର୍ଷ ହୋଇଥିଲା । ସେତେବେଳକୁ ସିଏ ସମଗ୍ର ଚୀନ ଭୂଖଣ୍ଡର ସମ୍ରାଟ ହୋଇ ସାରିଥିଲେ । ତାଙ୍କର ସାମ୍ରାଜ୍ୟ ଇଉରୋପ ମହାଦେଶର ସୀମାଠାରୁ ପ୍ରଶାନ୍ତ ମହାସାଗର ଯାଏ ବିସ୍ତୃତ ହୋଇ ରହିଥିଲା, ଉତ୍ତରର ତୁନ୍ଦ୍ରାଞ୍ଚଳଠାରୁ ଭାରତବର୍ଷର ଗ୍ରୀଷ୍ମପ୍ରଧାନ ସମତଳଭୂମି ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲା । ବର୍ତ୍ତମାନ ତାଙ୍କର ଅଗଣିତ ସୈନ୍ୟ ସେନାପତି ଭାବରେ ବିଭିନ୍ନ ଅଞ୍ଚଳକୁ ଯାଇ ରାଜ୍ୟ ପରେ ରାଜ୍ୟ ଜୟ କରୁଥିଲେ । କୁବ୍‌ଲାଇ ଖାଁର ଅର୍ଥ ହେଉଛି ଶାହାଁ ଶାହ, ଅର୍ଥାତ୍ ରାଜାମାନଙ୍କର ରାଜା, ସମ୍ରାଟମାନଙ୍କର ସମ୍ରାଟ ।

 

ପ୍ରଥମକାଳରୁ ହିଁ ସମ୍ରାଟ କୁବ୍‌ଲାଇ ଖାଁ ମାର୍କୋ ପୋଲୋଙ୍କୁ ଭଲ ପାଇବାକୁ ଲାଗିଲେ-। ସେ ତାଙ୍କୁ ନାନା ଦାୟିତ୍ୱ ଦେଇ ରାଜକାର୍ଯ୍ୟରେ ନାନା ସ୍ଥାନକୁ ପଠାଉଥିଲେ । ମାର୍କୋ ଯେତେବେଳେ ଯେଉଁ ସ୍ଥାନକୁ ଯାଉଥିଲେ, ଆପଣାର ଦେଖିବା ଓ ଶୁଣିବା ବିଷୟଗୁଡ଼ିକୁ ଭାରି ଯତ୍ନର ସହିତ ଗୋଟିଏ ଖାତାରେ ଟିପି ଆଣୁଥିଲେ ଓ ସମ୍ରାଟଙ୍କୁ ସେଗୁଡ଼ିକ ଆସି ଶୁଣାଉଥିଲେ । ଏହି ସମସ୍ତ ବିବରଣୀ ସେହି ଦିନଠାରୁ ଗୋଟିଏ ବିରାଟ ପୁସ୍ତକରେ ଏକତ୍ର ସଂଗୃହୀତ ହୋଇରହିଛି । ସେହି ପୁସ୍ତକର ନାମ ହେଉଛି The Book of Marco Polo ବା ମାର୍କୋ ପୋଲୋଙ୍କ ବିବରଣୀ । ତାଙ୍କର ସେହି ଯୁଗରେ ମଧ୍ୟ ବହିଟି ହାତରେ ଅନେକବାର ନକଲ କରାହୋଇ ପ୍ରଚାର କରାଯାଇଥିଲା ଓ ଖୁବ୍ ଶୀଘ୍ର ପ୍ରସିଦ୍ଧି ଲାଭ କରିଥିଲା । ସେହି ପୁସ୍ତକଟି ସକାଶେ ଅନେକ ଲୋକ ଆମର ଏ ଯୁଗରେ ମଧ୍ୟ ମାର୍କୋ ପୋଲୋଙ୍କୁ ସମଗ୍ର ପୃଥିବୀର ଓ ସମଗ୍ର ଇତିହାସର ପ୍ରଖ୍ୟାତତମ ପର୍ଯ୍ୟଟକ ବୋଲି କହି ପାରୁଛନ୍ତି ।

 

ଆଜିକାଲି ଚୀନଦେଶର ରାଜଧାନୀ ପେକିଙ୍ଗ୍ ସହର ଯେଉଁଠାରେ ଅବସ୍ଥିତ ରହିଛି, ପ୍ରାୟ ତାହାରି ନିକଟବର୍ତ୍ତୀ ଗୋଟିଏ ସ୍ଥାନରେ କୁବ୍‌ଲାଇ ଖାଁ ଆପଣାର ଶୀତକାଳୀନ ପ୍ରାସାଦଟି ନିର୍ମାଣ କରିଥିଲେ । ଆଠମାଇଲ ଲମ୍ବର ଚାରୋଟି ପ୍ରାଚୀର ଏହି ପ୍ରାସାଦ ଅଞ୍ଚଳକୁ ଘେରି ରହିଥିଲା । ଏହି ପ୍ରାଚୀର ପରେ ଭିତରକୁ ଆଉ ଗୋଟିଏ ପ୍ରାଚୀର, ତା’ପରେ ପୁଣି ଆଉ ଗୋଟିଏ ପ୍ରାଚୀର; ଏବଂ ତା’ପରେ ସବାମଝିରେ ସମ୍ରାଟଙ୍କର ପ୍ରାସାଦ । ମାର୍କୋ ପୋଲୋ ଏସବୁ ଦେଖି ଅବାକ୍ ହୋଇଗଲେ । କେଡ଼େ ବଡ଼ବଡ଼ କକ୍ଷ, ସେହିପରି ବଡ଼ବଡ଼ ଭୋଜନଶାଳା, ଯେଉଁଠାରେ କି ହଜାର ହଜାର ଲୋକ ଏକତ୍ର ବସି ଭୋଜନ କରିପାରିବେ । ପ୍ରାଚୀରର ସବୁଆଡ଼ କେତେପ୍ରକାର କାରୁକାର୍ଯ୍ୟରେ ପୂରି ରହିଛି । କକ୍ଷ ସେପାଖକୁ ରାଣୀମାନଙ୍କର ଉଆସ, ସୁନା ଓ ରୂପାରେ ଭରି ରହିଥିବା କେତେ କେତେ ଭଣ୍ଡାରଘର । ପ୍ରାସାଦର ଅଳ୍ପଦୂରରେ ସମ୍ରାଟଙ୍କର ନିଜ ଆଗ୍ରହରେ ତିଆରି ହୋଇଥିବା ‘‘ସବୁଜ ଶିଖର’’, —ଯେଉଁଠାରେ କି ରାଜ୍ୟଯାକରୁ ସୁନ୍ଦର ସବୁଜ ଗଛମାନ ଅଣାଯାଇ ରୋପଣ କରାଯାଇଥିଲା । ଶିଖର ପାଖରେ କୁଳୁକୁଳୁ ହୋଇ ବହି ଯାଉଥିବା ଅନେକ ଝରଣା, ଝରଣା ଭିତରେ ସୁନ୍ଦର କେତେ କେତେ ରଙ୍ଗର ମାଛ । ଦେଖିଲେ ଆଖି ପୂରିଯିବ ।

 

ପ୍ରାୟ ବାରହଜାର ଅଶ୍ୱାରୋହୀ ପ୍ରାସାଦଟିକୁ ପହରା ଦେବାଲାଗି ନିଯୁକ୍ତ ହୋଇ ରହିଥିଲେ । କୁବ୍‌ଲାଇ ଖାଁଙ୍କର ଦରବାର ଦେଖି ମାର୍କୋ ପୋଲୋ ଅବାକ୍ ହୋଇ ଯାଇଥିଲେ । ସେହି ଦରବାର ବିଷୟରେ ଆପଣାର ବହିଟିରେ ସେ ଏହିପରି ବର୍ଣ୍ଣନା କରି କହିଛନ୍ତି : ‘‘ଦରବାରରେ ସମ୍ରାଟ ସର୍ବୋଚ୍ଚ ଆସନରେ ବସନ୍ତି, ବାଆଁ ପାଖରେ ତାଙ୍କର ରାଣୀ ବସନ୍ତି । ଡାହାଣ ପାଖକୁ ପୁଅ, ନାତି ଓ ଆତ୍ମୀୟ କୁଟୁମ୍ବଙ୍କ ପାଇଁ ସ୍ଥାନ ନିର୍ଦ୍ଦିଷ୍ଟ ହୋଇ ରହିଥାଏ । ଆହୁରି ତଳକୁ ସାମନ୍ତମାନେ ବସିଥାନ୍ତି, ତା’ପରେ ସେନାପତିମାନେ ଉପରତଳ ହୋଇ ସମସ୍ତେ ଏପରି ଭାବରେ ବସିଥାନ୍ତି, ଯେପରିକି ସମ୍ରାଟ ଯାହାକୁ ଇଚ୍ଛା କରିବେ, ତାକୁ ସିଧା ଅନାଇ ଦେଖିପାରିବେ-। ସମ୍ରାଟଙ୍କର ଭୋଜନ ଏବଂ ଆପ୍ୟାୟନ ଲାଗି କେତେ ସୁଆର ଓ ରାନ୍ଧୁଣିଆ ନିଯୁକ୍ତ ହୋଇ ରହିଥାନ୍ତି । ସେମାନଙ୍କର ନିଶ୍ୱାସ ଯେପରି ସମ୍ରାଟଙ୍କ ଲାଗି ପ୍ରସ୍ତୁତ ହୋଇଥିବା ଆହାରରେ ଯାଇ ନ ବାଜିବ ସେଥିଲାଗି ସେମାନଙ୍କୁ ପାଟି ଓ ନାକ ଉପରେ ଲୁଗା ବାନ୍ଧି କାମ କରିବାକୁ ହୋଇଥାଏ-। ଯେତେବେଳେ ସମ୍ରାଟ ସୁରାପାନ କରିବାକୁ ଇଚ୍ଛା କରନ୍ତି, ସେତେବେଳେ ଜଣେ ପରିକର ତାଙ୍କ ହାତରେ ସୁରାପାତ୍ରଟିଏ ଆଣି ଧରାଇ ଦେଇଯାଏ, ତିନିଖୋଜ ପଛକୁ ହଟିଯାଇ ଆଣ୍ଠୁମାଡ଼ି ଅପେକ୍ଷା କରି ରହେ । ଉପସ୍ଥିତ ଥିବା ଲୋକମାନେ ଲମ୍ବହୋଇ ତଳେ ପଡ଼ିଯାନ୍ତି, ବାଦ୍ୟଗୁଡ଼ିକ ବାଜିବାରେ ଲାଗେ ଏବଂ ସମ୍ରାଟଙ୍କର ସୁରାପାନ ଶେଷ ହେବାଯାଏ ସେହିପରି ବାଜିବାରେ ଲାଗିଥାଏ । ସୁରାପାନ ପରେ ସମସ୍ତେ ତଳୁ ଉଠି ପୁନରାୟ ଆସନ ଉପରେ ବସନ୍ତି । ଦିନମାନ ସମ୍ରାଟ ଯେତେଥର ସୁରାପାନ କରନ୍ତି, ଏହି ଉତ୍ସବଟି ସେତେ ଥର ଅନୁଷ୍ଠିତ ହେଇଥାଏ ।’’

 

ରାଜଧାନୀର ଦରବାରରେ ଉତ୍ସବ ଦିନମାନଙ୍କରେ କେତେ କ’ଣ ହୁଏ । ସମ୍ରାଟ କୁବ୍‌ଲାଇ ଖାଁଙ୍କର ଜନ୍ମଦିନ ହେଉଛି ଏହିପରି ଗୋଟିଏ ଉତ୍ସବର ଦିନ । ଏହି ଦିନଟି ସାଧାରଣତଃ ଶରତ କାଳରେ ପଡ଼େ ଓ ବରଷଯାକର ସର୍ବଶ୍ରେଷ୍ଠ ଉତ୍ସବରୂପେ ପାଳିତ ହୁଏ । ଜନ୍ମଦିନର ଉତ୍ସବ ଉପଲକ୍ଷେ ସମ୍ରାଟ ସୁନାର ପୋଷାକ ପିନ୍ଧନ୍ତି । ସେହିଦିନ ଅତି କମ୍‌ରେ ବାରହଜାର ସାମନ୍ତ ଓ ସେନାପତିମାନକୁ ପୋଷାକ ଉପହାର ଦିଆଯାଏ । ଏହି ପୋଷାକଗୁଡ଼ିକ ଦେଖିବାକୁ ଠିକ୍ ସମ୍ରାଟଙ୍କର ପୋଷାକ ପରି ଦିଶୁଥାଏ ସତ, ମାତ୍ର ସୁନା ପରିବର୍ତ୍ତେ ସୁନେଲି ରଙ୍ଗର ରେଶମ ସୂତାରେ ତିଆରି ହୋଇଥାଏ । ପୋଷାକରେ କେତେ ପ୍ରକାର ମଣିମୁକ୍ତା ଖଚିତ ହୋଇ ରହିଥାଏ । ଏହି ସବୁଯାକ ଜାକଜମକ ସମ୍ରାଟଙ୍କର ଅତଳ ଐଶ୍ୱର୍ଯ୍ୟର ହିଁ ପ୍ରମାଣ ଦିଏ । ତାଙ୍କ କାଳରେ ତାଙ୍କଭଳି ଏଡ଼େ ଧନଶାଳୀ ସମ୍ରାଟ ଯେ ଆଉ କେହି ନ ଥିଲେ, ସେହି କଥାଟିକୁ ପ୍ରମାଣ କରାଇଦିଏ ।

 

ଜନ୍ମଦିନ ଉପଲକ୍ଷେ ରାଜ୍ୟଯାକର କେତେକେତେ ପ୍ରଜା ସମ୍ରାଟଙ୍କ ପାଖକୁ ଜନ୍ମଦିନର ଭେଟିମାନ ପଠାନ୍ତି । ରାଜ୍ୟରେ ବାସ କରୁଥିବା ଖ୍ରୀଷ୍ଟିଆନ୍, ବୌଦ୍ଧ, ମୁସଲମାନ ଓ ଅନ୍ୟ ଯାବତୀୟ ଧର୍ମର ପ୍ରଜାମାନେ ନିଜନିଜର ଧର୍ମମନ୍ଦିରରେ ରାଜାଙ୍କର ଦୀର୍ଘଜୀବନ ଏବଂ ଐଶ୍ଵର୍ଯ୍ୟ ବୃଦ୍ଧି ଲାଗି ପ୍ରାର୍ଥନା କରନ୍ତି । ଜନ୍ମଦିନ ଉତ୍ସବରେ ସମକକ୍ଷ ଆଉ ଗୋଟିଏ ଉତ୍ସବ ହେଉଛି ନବବର୍ଷର ଉତ୍ସବ । ଫେବୃଆରୀ ମାସର ପହିଲାରେ ପାଳିତ ହେଉଥିବା ଏହି ଉତ୍ସବକୁ ସେତେବେଳେ ଶ୍ୱେତ ଉତ୍ସବ ବୋଲି କୁହା ଯାଉଥିଲା । ସେଦିନ ସମ୍ରାଟଙ୍କ ସମେତ ସମସ୍ତେ ଶ୍ୱେତବସ୍ତ୍ର ପରିଧାନ କରୁଥିଲେ । ଶ୍ୱେତ ବର୍ଣ୍ଣର ବସ୍ତ୍ରକୁ ସୌଭାଗ୍ୟର ସଙ୍କେତ ବୋଲି ବିଶ୍ୱାସ କରାଯାଉଥିଲା । ବରଷଟାଯାକ ଯେପରି ସୁଖରେ ଓ ଶୁଭରେ କଟିଯିବ, ନବବର୍ଷ ଦିନ ଶ୍ୱେତବସ୍ତ୍ର ପିନ୍ଧ ତାହାରି କାମନା କରାଯାଉଥିଲା । ସେଦିନ ସମ୍ରାଟଙ୍କର ପ୍ରାସାଦ ଭିତରେ ସାମ୍ରାଜ୍ୟର କେତେ କେତେ ଆଡ଼ୁ ଆସିଥିବା ବହୁମୂଲ୍ୟ ଉପହାରମାନ ଅଜାଡ଼ି ହୋଇ ପଡ଼ୁଥିଲା । ସାମନ୍ତ ଓ ସେନାପତିମାନେ ସେଦିନ ପରସ୍ପରକୁ ସଙ୍ଖୋଳି ପରସ୍ପରର ଘରକୁ ଯାଉଥିଲେ, ପରସ୍ପରକୁ ପ୍ରଣାମ କରୁଥିଲେ ଓ ଧଳାରଙ୍ଗର ଉପହାରମାନ ଦେଇ ପରସ୍ପରର ଶୁଭ ମନାସୁଥିଲେ । ରାଜ୍ୟର ଧନବନ୍ତମାନେ ସମ୍ରାଟଙ୍କ ପାଖରେ ଧଳା ଘୋଡ଼ାମାନ ଆଣି ଭେଟି ଦେଉଥିଲେ ।

 

ସେହିଦିନ ସମ୍ରାଟଙ୍କର ହାତୀଶାଳରେ ଥିବା ପାଞ୍ଚହଜାର ହାତୀ ଶୋଭାଯାତ୍ରାରେ ବାହାରୁଥିଲେ । ହାତୀମାନଙ୍କ ଉପରେ ସୁନାଜରିରେ କେତେ ଚଢ଼େଇ ଓ ଜୀବଙ୍କର କମକଟା ହୋଇଥିବା ହାଉଦାମାନ ପଡ଼ୁଥିଲା । ତା’ପରେ ଓଟମାନଙ୍କର ଧାଡ଼ି ଲାଗୁଥିଲା । ଏହି ପ୍ରାଣୀମାନଙ୍କ ପିଠି ଉପରେ ଥିବା ବାକ୍‌ସମାନଙ୍କରେ ରାଜକୋଷର ଅତୁଳ ଧନରତ୍ନମାନ ପ୍ରଦର୍ଶିତ ହେଉଥିଲା । ରାଜା ଗୋଟିଏ ବିଶେଷ ଜାଗାରେ ପାରିଷଦଙ୍କ ଗହଣରେ ଠିଆ ହେଉଥିଲେ ଓ ତାଙ୍କ ସମ୍ମୁଖରେ ଶୋଭାଯାତ୍ରାଟି ଅତିକ୍ରମ କରି ଯାଉଥିଲା ।

 

ସେଦିନ ସକାଳେ ରାଜ୍ୟଯାକର ସବୁ ରାଜା, ସାମନ୍ତ ଓ ସେନାପତି ଆସି ଦରବାର କକ୍ଷରେ ସମବେତ ହେଉଥିଲେ । ଯେଉଁମାନେ ଭିତରେ ଜାଗା ପାଉ ନ ଥିଲେ, ସେମାନେ ବାହାରେ ଠିଆ ହୋଇ ରହୁଥିଲେ । ସମସ୍ତେ ମର୍ଯ୍ୟାଦା ମୁତାବକ ଠିଆ ହୋଇ ସାରିବା ପରେ ଜଣେ ଉଚ୍ଚପଦସ୍ଥ କର୍ମଚାରୀ ସେମାନଙ୍କୁ ମସ୍ତକ ନତ କରିବାକୁ ଆଦେଶ ଦେଉଥିଲେ । ସଙ୍ଗେ ସଙ୍ଗେ ସମସ୍ତଙ୍କର ମୁଣ୍ଡ ତଳେ ଲାଗି ଯାଉଥିଲା । ‘‘ଭଗବାନ ଆମ ସମ୍ରାଟଙ୍କୁ ଆହୁରି ସୁଖସମୃଦ୍ଧି ଦିଅନ୍ତୁ’’ ବୋଲି କର୍ମଚାରୀ ଜଣକ ପାଟିକରି କହୁଥିଲେ ଓ ସମସ୍ତେ ଏକାବେଳେ ତାହାର ପୁନରାବୃତ୍ତି କରୁଥିଲେ । ତାପରେ ସେମାନେ ସମ୍ରାଟଙ୍କୁ ଚାରିଥର ଲମ୍ବ ହୋଇ ଦଣ୍ଡବତ୍ ପ୍ରଣାମ କରୁଥିଲେ । ତା’ପରେ ସମ୍ରାଟଙ୍କୁ ଉପହାରମାନ ଦିଆ ଯାଉଥିଲା ଓ ତା’ପରେ ସମ୍ରାଟ ସମସ୍ତଙ୍କୁ ଭୋଜିଦ୍ୱାରା ଆପ୍ୟାୟିତ କରୁଥିଲେ ।

 

ମାର୍କୋ ପୋଲୋ କୁବ୍‌ଲାଇ ଖାଁଙ୍କର ଶିକାର ବିଷୟରେ ଭୂରିଭୂରି ବର୍ଣ୍ଣନା କରିଛନ୍ତି । ସମ୍ରାଟ ଶିକାର କରିବାକୁ ଭାରି ଭଲ ପାଉଥିଲେ । ଶିକାରରେ ସାଙ୍ଗରେ ଯିବାଲାଗି ତାଙ୍କ ପ୍ରାସାଦରେ ବାଘ ଓ ଚିତାବାଘମାନ ରହିଥିଲେ । ଶିକାରବେଳେ ହରିଣମାନଙ୍କୁ ଗୋଡ଼ାଇ ଧରିବାଲାଗି ଏମାନଙ୍କୁ କାମରେ ଲଗା ଯାଉଥିଲା । ଜନ୍ତାରେ ପଶି ବଡ଼ ବଡ଼ ଶଗଡ଼ରେ ଲଦାହୋଇ ଏହି ଜନ୍ତୁମାନେ ରାଜାଙ୍କ ସହିତ ପାରିଧିକୁ ଯାଉଥିଲେ । ଶିକାର ଲାଗି ତାଲିମ ପାଇଥିବା ବାଜପକ୍ଷୀମାନେ ମଧ୍ୟ ସମ୍ରାଟଙ୍କ ସାଙ୍ଗରେ ଶିକାରକୁ ଯାଉଥିଲେ ।

 

Image

 

ସେମାନେ ଗଧିଆମାନଙ୍କୁ ଧରିବାରେ କାମରେ ଲାଗୁଥିଲେ । ଖାସ୍ ଶିକାରଲାଗି ପୋଷାହେଉଥିବା କେତେକେତେ କୁକୁର ମଧ୍ୟ ଥିଲେ । ଏହା ବ୍ୟତୀତ କୋଡ଼ିଏ ହଜାର ମଣିଷ ବି ଶିକାରଖେଦା ସକାଶେ ସର୍ବଦା ମହାଯୁଦ ହୋଇ ରହିଥିଲେ । କୁକୁରଙ୍କ ସଂଖ୍ୟା ପାଞ୍ଚହଜାରରୁ କଦାପି କମ୍ ହେବନାହିଁ । ଦଶହଜାର ମଣିଷ ସମ୍ରାଟଙ୍କର ବାଆଁ ପାଖକୁ ରହୁଥିଲେ, ବାକି ଦଶହଜାର ଡାହାଣ ପାଖକୁ ରହୁଥିଲେ । ସେମାନେ ମୁଣ୍ଡୁଳିବାନ୍ଧି ଜଙ୍ଗଲର ଏକ ବୃହତ୍ ଅଞ୍ଚଳକୁ ଘେରି ଯାଉଥିଲେ ଏବଂ ଏହିପରି ତିଆରି ହେଉଥିବା ବୃତ୍ତଟିକୁ କ୍ରମଶଃ ଛୋଟ କରି ଆଣୁଥିଲେ । ତା’ପରେ କୁକୁର ଓ ଅନ୍ୟାନ୍ୟ ପରିକରମାନେ ଜନ୍ତୁମାନଙ୍କ ପଛରେ ଦଉଡ଼ିବାକୁ ଲାଗୁଥିଲେ ଓ ସେମାନଙ୍କୁ ହୁରାଡ଼ି ସାମନାକୁ ନେଇ ଆସୁଥିଲେ ।

 

ମାର୍କେ ପୋଲୋ ତାଙ୍କ ବହିରେ ଏହିସବୁ ଶିକାରଖେଦାର ଅତ୍ୟନ୍ତ ମନୋରମ ବର୍ଣ୍ଣନା କରି ଯାଇଛନ୍ତି । ସମ୍ରାଟ ସାଧାରଣତଃ ଗୋଟିଏ କାଠତିଆରି ବିମାନ ଉପରେ ବସୁଥିଲେ ଓ ସେହି ବିମାନଟିକୁ ଭାରି କାଇଦାରେ ଚାରୋଟି ହାତୀ ଉପରେ ବାନ୍ଧି ରଖା ଯାଉଥିଲା । ବିମାନଟିକୁ ବାହାରପଟୁ ବାଘ ଚମରେ ଆଚ୍ଛାଦିତ କରାଯାଉଥିଲା ଓ ଭିତରପଟେ ସୁନା ଚଦରର ଛାଉଣି କରାଯାଉଥିଲା । ସେହି ବିମାନରେ ତାଙ୍କ ସହିତ ବଛାବଛା ବାରଗୋଟି ବାଜପକ୍ଷୀ ରହିଥାନ୍ତି ଓ ବଛାବଛା ବାରଜଣ କର୍ମଚାରୀ ବି ଥାଆନ୍ତି । ଶିକାର ଲାଗି କୌଣସି ଚଢ଼େଇ ଦେଖାଯିବା ମାତ୍ରକେ ସେ ବାଜମାନଙ୍କୁ ଫିଟାଇ ଆକାଶ ମଧ୍ୟକୁ ଛାଡ଼ିଦିଅନ୍ତି ଓ ବାଜମାନେ ଚଢ଼େଇଟିକୁ ଧରି ତାଙ୍କ ପାଖକୁ ନେଇଆସନ୍ତି । ମାର୍କୋ ପୋଲୋ ଲେଖିଛନ୍ତି ଯେ ଏହିପରି ଶିକାରରୁ ହିଁ କୁବ୍‌ଲାଇ ଖାଁ ସବୁଠାରୁ ଅଧିକ ଆନନ୍ଦ ଲାଭ କରୁଥିଲେ । ଶିକାର ସହିବା ପରେ ସମସ୍ତେ ତମ୍ବୁ ଭିତରକୁ ଫେରି ଆସୁଥିଲେ । ସେଠାରେ ସମସ୍ତଙ୍କ ଲାଗି ଅଲଗା ଅଲଗା ତମ୍ବୁ ଖଟା ହେଉଥିଲା । ଶିକାରରେ ଯାଇଥିବା ସ୍ତ୍ରୀଲୋକମାନଙ୍କ ଲାଗି ମଧ୍ୟ ଅଲଗା ତମ୍ବୁ ଥିଲା । ଏହିପରି ପ୍ରାୟ ଦଶହଜାର ତମ୍ବୁ ପଡ଼ିକରି ରହୁଥିଲା ବୋଲି ମାର୍କୋ ପୋଲୋ ଲେଖିଛନ୍ତି । ସ୍ୱୟଂ ସମ୍ରାଟ ଯେଉଁ ତମ୍ବୁରେ ରହୁଥିଲେ, ସେଥିରେ ଗୋଟାଏ ପୂରା ଦରବାରର ଲୋକଙ୍କ ପାଇଁ ସ୍ଥାନ ରହିଥିଲା । ତମ୍ବୁର ଚାରିଆଡ଼େ କୋମଳ ହରିଣ ଓ ବ୍ୟାଘ୍ର ଚମମାନ ବିଛା ହେଉଥିଲା । ଏହି ବୃହତ ତମ୍ବୁଟିକୁ ରେଶମସୂତାର ଦଉଡ଼ିରେ ଖୁଣ୍ଟିଗୁଡ଼ିକ ସହିତ ବାନ୍ଧି ରଖା ଯାଉଥିଲା ।

 

ବସନ୍ତ କାଳ ଆସିବା ପର୍ଯ୍ୟନ୍ତ ସମ୍ରାଟ ଶିକାର ଆଳରେ ରହୁଥିଲେ । ତା’ପରେ ସେ ଯେଉଁବାଟେ ଯାଇଥିଲେ, ଠିକ୍ ସେହିବାଟେ ତାଙ୍କ ରାଜଧାନୀକୁ ଫେରି ଆସୁଥିଲେ ।

 

(୫)

 

ମାର୍କୋ ପୋଲୋ ପ୍ରଥମେ କିଛି ଦିନ ସମ୍ରାଟ କୁବ୍‌ଲାଇ ଖାଁଙ୍କର ଦରବାରରେ କାର୍ଯ୍ୟ କଲେ, ତାଙ୍କ ପାଖେପାଖେ ରାଜଧାନୀରେ ତାଙ୍କର ଅନୁଚର ହୋଇ ରହିଲେ । ଏହିପରି ଭାବରେ ସେ ସମ୍ରାଟଙ୍କ ପାଖରେ ଆପଣା ନିଷ୍ଠାର ପରିଚୟ ଦେଲେ, ସାହସ ଓ ବିଚକ୍ଷଣତାର ପରିଚୟ ଦେଲେ । ସମ୍ରାଟ କ୍ରମେ ତାଙ୍କୁ ଆପଣାର ଅତି ବିଶ୍ୱସ୍ତଙ୍କ ମଧ୍ୟରେ ଗଣନା କରିବାକୁ ଆରମ୍ଭ କଲେ ଏବଂ ତା’ପରେ ତାଙ୍କୁ ନିଜର ଜଣେ ବିଶେଷ ଦୂତ ଭାବରେ ପଶ୍ଚିମାଞ୍ଚଳର ପ୍ରାନ୍ତରାଜ୍ୟ ଗୁଡ଼ିକୁ ପଠାଇଲେ । ସେହିସବୁ ଅଞ୍ଚଳର ଅବସ୍ଥାକୁ ନିଜ ଆଖିରେ ଦେଖି ସମ୍ରାଟଙ୍କୁ ତାହାର ଏକ ବିବରଣୀ ଦେବା ମାର୍କୋ ପୋଲୋଙ୍କର କାର୍ଯ୍ୟ ହୋଇ ରହିଲା ।

 

ମାର୍କୋ ପୋଲୋଙ୍କର ଏହି ଯାତ୍ରା ପ୍ରାୟ ଚାରିମାସ ଲାଗିଥିଲା । ରାଜଧାନୀର ଦକ୍ଷିଣକୁ ପ୍ରାୟ ଦଶମାଇଲ ବାଟ ଯିବାପରେ ସିଏ ଗୋଟିଏ ନଈ ଉପରେ ପଡ଼ିଥିବା ଅନ୍ତତଃ ତିନିଶହ ଗଜ ଲମ୍ବର ଗୋଟିଏ ପୋଲ ଅତିକ୍ରମ କରିଥିଲେ । ସେହି ପୋଲଟିକୁ ମାର୍କୋ ପୋଲୋ ପୃଥିବୀର ବୃହତ୍ତମ ଏବଂ ସବୁଠାରୁ ସୁନ୍ଦର ପୋଲ ବୋଲି ବର୍ଣ୍ଣନା କରିଛନ୍ତି । ଏହା ଏତେ ଅଧିକ ଚଉଡ଼ା ଥିଲା ଯେ ଦଶଟି ଘୋଡ଼ା ଏହା ଉପରେ କଡ଼କୁ କଡ଼ ହୋଇ ଯାଇପାରୁଥିଲେ । ପାଣି ଭିତରୁ ଉଠିଥିବା ପଚିଶଟି ସ୍ତମ୍ଭ ଉପରେ ପୋଲଟି ଠିଆହୋଇ ରହିଥିଲା । ପୋଲର ଦୁଇ ପାଖରେ ପାଚେରୀ ବି କରାହୋଇଥିଲା ।

 

ତିରିଶି ମାଇଲ ଯିବାପରେ ମାର୍କୋ ପୋଲୋ ଯେଉଁ ସହରରେ ଆସି ପହଞ୍ଚିଲେ, ସେଠାରେ ସେ ବୌଦ୍ଧ ଭିକ୍ଷୁମାନେ ବାସ କରୁଥିବା ଅନେକ ବିହାର ଦେଖିଥିଲେ । ସହରର ଅଧିବାସୀମାନେ ନାନାପ୍ରକାର ବାଣିଜ୍ୟ ବେପାର କରୁଥିଲେ, ନାନାପ୍ରକାର ହାତକାମ ବି ଜାଣିଥିଲେ, ସୁନାଜରିର କାମ ଜାଣିଥିଲେ, ଅତି ସରୁ ଲୁଗାମାନ ବୁଣି ଜାଣିଥିଲେ । ସେମାନେ ସମ୍ରାଟ କୁବ୍‌ଲାଇ ଖାଁଙ୍କର ଦୂତଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସିଏ ତାତାରଙ୍କ ପରି ପୋଷାକ ପିନ୍ଧିଥିଲେ ଏବଂ ତାତାର ଭାଷାରେ କଥା କହୁଥିଲେ ସତ ମାତ୍ର ତାଙ୍କ ମୁହଁରୁ ସେ କୌଣସି ଏକ ଦୂର ବିଦେଶର ଲୋକ ବୋଲି ବାରି ହୋଇ ପଡ଼ୁଥିଲେ । ସିଏ ଯୁଆଡ଼େ ଗଲେ, ସମସ୍ତଙ୍କଠାରୁ ତାଙ୍କୁ କେତେ ସମ୍ମାନ ମିଳିଲା । ସ୍ଥାନୀୟ ଶାସକମାନେ ତାଙ୍କୁ କେତେ ଆଦର ଦେଖାଇଲେ । ମାର୍କୋ ପୋଲୋ ତାଙ୍କର ଯିବା ବାଟରେ କେତେ ଗାଆଁ ଗହଳ ଲୋକବସତି ଦେଖିଲେ । କୃଷି ଓ କାରିଗରି ଲୋକମାନଙ୍କର ପ୍ରଧାନ ଧନ୍ଦା ଥିଲା । ଅଙ୍ଗୁରକ୍ଷେତମାନଙ୍କରେ ଅଙ୍ଗୁର ଚାଷ ହୋଇଥିଲା-। ମାର୍କୋ ପୋଲୋ ସେଠାରୁ ଜାଣିବାକୁ ପାଇଲେ ଯେ ଚୀନର ଯେଉଁସବୁ ଅଞ୍ଚଳରେ ଅତ୍ୟଧିକ ଥଣ୍ଡା ପଡ଼ୁଥିବା ହେତୁ ଅଙ୍ଗୁର ଚାଷ ହୋଇପାରୁ ନ ଥିଲା, ସେହିସବୁ ଅଞ୍ଚଳକୁ ମଧ୍ୟ ଏଠାରୁ ଅଙ୍ଗୁର ରପ୍ତାନୀ ହୋଇ ଯାଉଥିଲା ।

 

ଏହି ଅଞ୍ଚଳରେ ମାର୍କୋ ପୋଲୋ ଅନେକ ବଡ଼ ବଡ଼ ଗଛ ଦେଖିଲେ, ଯାହାକୁ କି ସେ ଆଗରୁ କେବେହେଲେ ଦେଖି ନ ଥିଲେ । ଲୋକମାନେ ସେହି ଗଛମାନଙ୍କରୁ ପତର ସବୁ ତୋଳି ଘରକୁ ନେଉଥିଲେ । ତାଙ୍କ ପାଖରେ ଥିବା ଜଣେ ପରିକର ତାଙ୍କୁ ଜଣାଇଲେ ଯେ ଏଗୁଡ଼ିକ ହେଉଛି ତୁତ ଗଛ । ରେଶମ ପୋକମାନଙ୍କ ପାଇଁ ଏହି ଗଛର ପତ୍ର ତୋଳାହୋଇ ନିଆ ଯାଉଥିଲା, କାରଣ ରେଶମ ପୋକ ଅନ୍ୟ କୌଣସି ଗଛର ପତ୍ର ଖାଉ ନ ଥିଲେ । ଏହି ପୋକମାନଙ୍କଠାରୁ ଲୋକମାନେ ରେଶମ ସୂତା ସଂଗ୍ରହ କରୁଥିଲେ ଓ ସେହି ସୂତାରୁ ଧନୀଲୋକମାନଙ୍କ ପାଇଁ କପଡ଼ା ବୁଣା ହେଉଥିଲା ଏବଂ ବହୁ ପରିମାଣର ରେଶମବସ୍ତ୍ର ଚୀନଦେଶର ବାହାରକୁ ମଧ୍ୟ ପଠାଯାଉଥିଲା । ଏହି ଯାତ୍ରାରେ ମାର୍କୋ ପୋଲୋ ଜୀବନରେ ପ୍ରଥମଥର ପାଇଁ ବାଉଁଶ ଗଛ ଦେଖିଲେ । ବାଉଁଶକୁ ଘର ତିଆରି କରିବାର କାମରେ ବ୍ୟବହାର କରାଯାଉଥିବାର ମଧ୍ୟ ଦେଖିଲେ ।

 

ଏହିପରି ଯାଉ ଯାଉ କ୍ରମେ ପାହାଡ଼ିଆ ଅଞ୍ଚଳ ପଡ଼ିଲା, ଜଙ୍ଗଲ ବି ପଡ଼ିଲା ଓ ସେହି ଜଙ୍ଗଲରେ ବାଘ, ଭାଲୁ ଓ ହରିଣ ପ୍ରଭୃତି ଶିକାର କରିବାର ଜନ୍ତୁମାନେ ମଧ୍ୟ ବାସ କରୁଥିଲେ । ତା’ପରେ ସିଏ ଯେଉଁ ସମତଳ ଅଞ୍ଚଳରେ ଆସି ପହଞ୍ଚିଲେ, ସେଠାରେ ଅଦା ଚାଷ ହୋଇଥିବାର ଦେଖିଲେ । ମାର୍କୋ ପୋଲୋ ଆଗରୁ କେବେ ଅଦା ଗଛ ଦେଖି ନ ଥିଲେ, ଅଦା ଚାଖି ବି ନ ଥିଲେ । ସେତେବେଳେ ଏହି ଅଞ୍ଚଳରେ ଚାଷ କରାଯାଉଥିବା ଅଦା ଚୀନର ବିଭିନ୍ନ ଅଞ୍ଚଳକୁ ରପ୍ତାନୀ ହୋଇ ଯାଉଥିଲା । ଏହି ଅଞ୍ଚଳରେ ବହୁ ପରିମାଣରେ ଧାନ ଏବଂ ଗହମ ମଧ୍ୟ ଚାଷ କରାଯାଉଥିଲା ।

 

ଏହିସବୁ ଅଞ୍ଚଳକୁ ମାର୍କୋ ପୋଲୋ ଏକୁଟିଆ ଯାଇ ନ ଥିଲେ । ସିଏ ସମ୍ରାଟଙ୍କର ଦୂତ ହିସାବରେ ଯାଉଥିଲେ, ତେଣୁ ତାଙ୍କ ସହିତ ସୈନ୍ୟ ଥିଲେ, ଅନେକ ହାକିମହୁକୁମା ଥିଲେ, ଭୃତ୍ୟ ବି ରହିଥିଲେ । ଅଧିକାଂଶ ସମୟରେ ସେ ଘୋଡ଼ା ଚଢ଼ି ଯାଉଥିଲେ, ମାତ୍ର ବେଳେବେଳେ ସେ ଗୋଟିଏ ଚଉକିରେ ବସୁଥିଲେ ଓ ଚାରିଜଣ ମଣିଷ ସେହି ଚଉକିଟିକୁ କାନ୍ଧେଇ କରି ନେଉଥିଲେ । ସବୁଠାରେ ତାଙ୍କୁ କେଡ଼େ ଆଡ଼ମ୍ବର ସହିତ ଅଭ୍ୟର୍ଥନା କରାଯାଉଥିଲା; ସେ ଆସୁଛନ୍ତି ବୋଲି ଆଗରୁ ଖବର ପହଞ୍ଚି ଯାଉଥିଲା, ସବୁ ସହରରେ ତାଙ୍କଲାଗି ରହିବା ଘର ବନ୍ଦୋବସ୍ତ ହୋଇ ରହୁଥିଲା । ରାଜଧାନୀକୁ ଫେରି ଆସି ମାର୍କୋ ପୋଲୋ ସମ୍ରାଟଙ୍କ ଆଗରେ ଦେଖିବା ଅଞ୍ଚଳ ଗୁଡ଼ିକର ବିବରଣୀ ଦେଉଥିଲେ । ସମ୍ରାଟ ତ କେଡ଼େ ବଡ଼ ଏକ ସାମ୍ରାଜ୍ୟର ଶାସକ ଥିଲେ, ତେଣୁ ସାମ୍ରାଜ୍ୟର ସବୁ ଅଂଶକୁ ନିଜେ ବୁଲି ଦେଖିବା ତାଙ୍କ ପକ୍ଷରେ ସମ୍ଭବ ହୁଅନ୍ତା ବା କିପରି ? ସେ ସେଥିଲାଗି ଦୂତମାନଙ୍କ ଉପରେ ନିର୍ଭର କରୁଥିଲେ । ମାର୍କୋ ପୋଲୋ ମଧ୍ୟ ଅଞ୍ଚଳଗୁଡ଼ିକୁ ବୁଲି ଦେଖିଲାବେଳେ ଯାହା ଦେଖୁଥିଲେ, ତାହାକୁ ସଙ୍ଗେ ସଙ୍ଗେ ଟିପାଖାତାରେ ଟିପି ଦେଉଥିଲେ । ତାହାରି ଉପରେ ଭିତ୍ତି କରି ସିଏ ସମ୍ରାଟଙ୍କ ପାଖରେ ବିବରଣ ଦେଲେ । ପୁରୁସ୍କାରସ୍ୱରୂପ ସମ୍ରାଟ ତାଙ୍କୁ ଅନେକ ଐଶ୍ୱର୍ଯ୍ୟ ଦାନ କରିଥିଲେ ।

 

ମାର୍କୋ ପୋଲୋ ଚୀନରେ ପହଞ୍ଚିଲାବେଳକୁ ସମ୍ରାଟ କୁବ୍‌ଲାଇ ଖାଁ ସାଧାରଣତଃ ନିଜେ କୌଣସି ଯୁଦ୍ଧ ଲଢ଼ିବାକୁ ଯାଇ ନ ଥିଲେ । ସେ ନିଜର ପୁତ୍ରମାନଙ୍କୁ ଅଥବା ବଡ଼ ବଡ଼ କର୍ମଚାରୀମାନଙ୍କୁ ସୈନ୍ୟବାହିନୀର ସେନାପତିରୂପେ ନିଯୁକ୍ତ କରି ଯୁଦ୍ଧକୁ ପଠାଉଥିଲେ । କିନ୍ତୁ କେବଳ ଥରେ ରାଜ୍ୟରେ ଗୋଟିଏ ବଡ଼ ଧରଣର ବିଦ୍ରୋହ ହେବାରୁ କୁବ୍‌ଲାଇ ଖାଁ ସେହି ବିଦ୍ରୋହକୁ ଦମନ କରିବା ଲାଗି ଯୁଦ୍ଧଯାତ୍ରା କରି ବାହାରିଲେ । ମାର୍କୋ ପୋଲୋଙ୍କର ବିବରଣୀରୁ ଜଣାପଡ଼ୁଛି ଯେ ସମ୍ରାଟ ତାଙ୍କୁ ମଧ୍ୟ ଆପଣା ସଙ୍ଗରେ ନେଇଥିଲେ ।

 

ସାମ୍ରାଜ୍ୟର ପଶ୍ଚିମାଞ୍ଚଳରେ ଦୁଇଜଣ ସାମନ୍ତ ସମ୍ରାଟଙ୍କ ବିରୁଦ୍ଧରେ ବିଦ୍ରୋହର ଷଡ଼ଯନ୍ତ୍ର କଲେ । ସମ୍ମିଳିତ ଭାବରେ ପ୍ରାୟ ଚାରି ଲକ୍ଷ ଅଶ୍ୱାରୋହୀଙ୍କୁ ନେଇ ସେମାନେ ଗୋପନରେ ସଜବାଜ ହେଉଥିଲେ । କୁବ୍‌ଲାଇ ଖାଁ ଗୁପ୍ତଚରମାନଙ୍କ ଜରିଆରେ ସେହି ଖବରଟି ପାଇ ତୁରନ୍ତ ତାହାର ପ୍ରତିକାର କରି ବାହାରିଲେ । ସର୍ବପ୍ରଥମେ ସେ ସେହି ଅଞ୍ଚଳଟିକୁ ଯାଇଥିବା ସମସ୍ତ ପଥ ଓ ଗିରିପଥକୁ ବନ୍ଦ କରିଦେଲେ । ତାହାଫଳରେ ବିଦ୍ରୋହୀ ସାମନ୍ତ ଦୁଇଜଣ ଆଉ ରାଜଧାନୀରୁ କୌଣସି ଖବର ପାଇ ପାରିଲେ ନାହିଁ । ତା’ପରେ ତୁରନ୍ତ ନିଜର ସୈନ୍ୟବାହିନୀଙ୍କୁ ରାଜଧାନୀରେ ଆସି ଠୁଳ ହେବାର ଆଦେଶ ଦେଲେ । ଏହିପରି ପ୍ରାୟ ସାଢ଼େ ତିନି ଲକ୍ଷରୁ ଅଧିକ ଅଶ୍ୱାରୋହୀ ଏବଂ ଏକ ଲକ୍ଷ ପଦାତିକ ସୈନ୍ୟ ଏକତ୍ର ହୋଇଯିବା ପରେ ମାତ୍ର କୋଡ଼ିଏଟା ଦିନ ମଧ୍ୟରେ ସିଏ ଆକ୍ରମଣ କରିବା ଲାଗି ପ୍ରସ୍ତୁତ ହୋଇଗଲେ । ସମ୍ରାଟ ହୁକୁମ ଦେଲା ମାତ୍ରକେ ତୁରୀ ଓ ଭେରୀମାନ ବାଜିଉଠିଲା ଏବଂ ବିଭିନ୍ନ ରାସ୍ତାରେ ସମସ୍ତେ ପଶ୍ଚିମ ଦିଗକୁ ଅଗ୍ରସର ହେବାକୁ ଆରମ୍ଭ କଲେ । ମାର୍କୋ ପୋଲୋ ସମ୍ରାଟଙ୍କର ଅତ୍ୟନ୍ତ ପାଖଲୋକ ଉଚ୍ଚପଦସ୍ଥମାନଙ୍କର ଗହଣରେ ତାଙ୍କର ପାଖେ ପାଖେ ଯାଉଥିଲେ । ରାତି ଓ ଦିନ ଅନବରତ ଏହି ଯାତ୍ରା ଚାଲିଥିଲା । ପଚିଶ ଦିନ ପରେ ସେମାନେ ବିଦ୍ରୋହୀ ପ୍ରଥମ ସାମନ୍ତଟିର ସମ୍ମୁଖୀନ ହେବାଲାଗି ଆସି ପହଞ୍ଚିଗଲେ । ଆଗରୁ ସବୁ ବରାଦ ହୋଇ ରହିଥିଲା ଓ ଶତ୍ରୁ ପାଖରେ ତାହାର କୌଣସି ସଙ୍କେତ ବି ଆସି ପହଞ୍ଚି ନ ଥିଲା । ତେଣେ ସାହାଯ୍ୟ କରିବାଲାଗି ଅନ୍ୟ ସାମନ୍ତଙ୍କର ସୈନ୍ୟମାନେ ମଧ୍ୟ ଆସି ପହଞ୍ଚି ନ ଥିଲେ ।

 

ଏ ପାଖରେ ସମ୍ରାଟଙ୍କର ପକ୍ଷ, ସେପାଖରେ ଶତ୍ରୁ ପକ୍ଷ ଓ ମଝିରେ ଉଚ୍ଚ ପର୍ବତଶ୍ରେଣୀ-। ସମ୍ରାଟଙ୍କର ସେଇଠି ତମ୍ବୁ ପଡ଼ିଲା । ସୈନ୍ୟବାହିନୀ ଦୁଇଦିନ ବିଶ୍ରାମ କରିବାର ଆଦେଶ ପାଇଲେ । ତା’ପରେ ସେମାନେ ପାହାଡ଼ ଉପରକୁ ଉଠିଗଲେ ଓ ଶତ୍ରୁ ପକ୍ଷର ତମ୍ବୁଗୁଡ଼ିକୁ ଦେଖିବାକୁ ପାଇଲେ । ନିଜେ ସମ୍ରାଟ ଯୁଦ୍ଧକ୍ଷେତ୍ରରେ ସେନାପତିତ୍ୱ ଗ୍ରହଣ କଲେ । ଚାରିଗୋଟି ହାତୀଙ୍କ ପିଠି ଉପରେ ଗୋଟିଏ ବିମାନ ଜବର ହୋଇ ବନ୍ଧା ଯାଇଥିଲା । ହାତୀମାନଙ୍କର ଦେହରକ୍ଷା ପାଇଁ ସେମାନଙ୍କ ଉପରେ ମୋଟା ଚମଡ଼ାର ହାଉଦା ପଡ଼ିଥିଲା । ସମ୍ରାଟ ସେହି ବିମାନ ଉପରେ ବିଜେ ହୋଇ ଯୁଦ୍ଧକୁ ଗଲେ । ସୈନ୍ୟବାହିନୀକୁ ସେ ତିନି ଭାଗରେ ବିଭକ୍ତ କରି ଦୁଇ ଭାଗକୁ ଦୁଇ ପାଖରେ ଆଗକୁ ମାଡ଼ିଯାଇ ଶତ୍ରୁ ପକ୍ଷକୁ ପଛରୁ ଫେରିଯିବାକୁ ଆଦେଶ ଦେଲେ-। ଅଶ୍ୱାରୋହୀ ସୈନ୍ୟଙ୍କ ଆଗରେ ପଦାତିକମାନେ ବର୍ଚ୍ଛା ଓ ଖଣ୍ଡା ହାତରେ ଧରି ଅଗ୍ରସର ହେଉଥିଲେ । ସେମାନେ ଆଗରେ ଥାଇ ଶତ୍ରୁ ପକ୍ଷର ଅଶ୍ୱମାନଙ୍କୁ କାଟି ପକାଉଥିଲେ ।

 

Image

 

ଯୁଦ୍ଧବାଦ୍ୟ ବାଜି ଉଠିଲା, ଢାକ ଓ ଢୋଲମାନ ପ୍ରକମ୍ପିତ ହୋଇଉଠିଲେ । ଶହଶହ ଝାଞ୍ଜ ଏକାଠି ବାଡ଼ିଆ ହୋଇ ଯୁଦ୍ଧ ଆରମ୍ଭ ହେଲା ବୋଲି ସଙ୍କେତ ଦିଆଗଲା । ସମସ୍ତେ ଉନ୍ମତ୍ତ ଚିତ୍କାର କରି ଯୁଦ୍ଧରେ ମାତିଗଲେ । ତୀର ଗୁଡ଼ିକ ମେଘପରି ଆକାଶମଣ୍ଡଳକୁ ଆଚ୍ଛାଦିତ କରି ରଖିଥାନ୍ତି । କେତେ ମଣିଷ ମରୁଥାନ୍ତି, କେତେ ଘୋଡ଼ା ଟଳି ପଡ଼ୁଥାନ୍ତି । ତୀରଗୁଡ଼ିକ ସରିଯିବା ପରେ ଉଭୟ ପକ୍ଷ ବର୍ଚ୍ଛା, ଖଣ୍ଡା ଓ ମୁଷଳ ନେଇ ଯୁଦ୍ଧ କରିବାକୁ ଲାଗିଲେ । ମଲା ସୈନ୍ୟ ଓ ମଲା ଘୋଡ଼ାଙ୍କର କୁଢ଼ରେ ଯୁଦ୍ଧକ୍ଷେତ୍ରରେ ସତେ ଅବା ରାସ୍ତା ବନ୍ଦ ହୋଇ ଆସିଲା । କୁବ୍‌ଲାଇ ଖାଁ ନୀରବରେ ନିଜ ବିମାନଟି ଉପରେ ଥାଇ ଯୁଦ୍ଧ ଦେଖିବାରେ ଲାଗିଥାନ୍ତି ଏବଂ ଅଶ୍ୱାରୋହୀମାନଙ୍କର ସାହାଯ୍ୟରେ ସୈନ୍ୟବାହିନୀର ବିଭିନ୍ନ ଭାଗକୁ ନିର୍ଦ୍ଦେଶମାନ ଦେଉଥାନ୍ତି ।

 

ସକାଳୁ ଦୁଇପ୍ରହର ଯାଏ ତୁମୁଳ ଯୁଦ୍ଧ ଚାଲିଲା ଓ ତା’ପରେ ପଳାଇ ଯିବାକୁ ଚିନ୍ତା କରୁଥିବା ସମୟରେ ବିଦ୍ରୋହୀ ସାମନ୍ତ ସମ୍ରାଟଙ୍କ ସୈନ୍ୟମାନଙ୍କ ହାତରେ ବନ୍ଦୀ ହେଲେ ଏବଂ ସୈନ୍ୟମାନେ ତାଙ୍କୁ ସମ୍ରାଟଙ୍କ ସମ୍ମୁଖରେ ଆଣି ହାଜର କଲେ । ସଙ୍ଗେ ସଙ୍ଗେ ତାଙ୍କ ଲାଗି ମୃତ୍ୟୁ ଦଣ୍ଡର ଆଦେଶ ହେଲା । ଯୁଦ୍ଧରେ ଜୟଲାଭ କରି ସମ୍ରାଟ ସସୈନ୍ୟ ରାଜଧାନୀକୁ ଆସିଲେ ।

 

(୬)

 

ଦୂର ଦେଶର ସବୁ ଦୂର ଦୂର ଲାଗେ । ଆପଣା ଦେଶର ସବୁ ନିଜର ପରି ଲାଗେ । ଅନ୍ୟ ଦେଶର ସବୁ କିଛି ଇତର ଲାଗେ । ମଣିଷ ବିଦେଶକୁ ଗଲେ ସେଠି ଆକାଶଟା ତାକୁ ଅଲଗା ଅଲଗା ଲାଗେ, ପାଣି ଓ ପବନ ବି ଭିନ୍ନ ମନେ ହୁଅନ୍ତି । ଲୋକମାନଙ୍କର ବେଶ, ପୋଷାକ, ଆହାର, ବ୍ୟବହାର, ସବୁ ଭିନ୍ନ ଲାଗେ । ଏ ଯୁଗରେ ଯେତେବେଳେ ପୃଥିବୀ ଏଡ଼େ ସାନ ହୋଇ ସାରିଲାଣି, ସେତେବେଳେ ବି ଆମ ଭିତରୁ ଅଧିକାଂଶଙ୍କୁ ସେହିପରି ଲାଗୁଛି । ଏବଂ ମାର୍କୋ ପୋଲୋଙ୍କ ସମୟରେ ଆଜିକୁ ଦୀର୍ଘପ୍ରାୟ ସାତଶହ ବର୍ଷ ପୂର୍ବେ, ଯେତେବେଳେ ମଣିଷମାନେ ନିଜର ପରିଚିତ ସମାଜ ଓ ପରିଚିତ ଅଞ୍ଚଳଟିକୁ ଛାଡ଼ି ସାଧାରଣରେ ଅନ୍ୟ ଠାବ ମାଡ଼ୁ ନ ଥିଲେ, ସେତେବେଳେ ଦେଶ ଓ ଭାଷାଗୁଡ଼ାକର ସୀମା ଡେଇଁବା ମାତ୍ରକେ ମଣିଷ ଜଙ୍ଗଲ ଭିତରେ ଆସି ପଶିଗଲା ପରି ଅନୁଭବ କରୁଥିବ । ଚୀନ ସାମ୍ରାଜ୍ୟର ସବୁ କଥା, ଲୋକଙ୍କର ଚଳଣି, ଯୁବକ ମାର୍କୋ ପୋଲୋଙ୍କୁ ପ୍ରକୃତରେ କେଡ଼େ ବିଚିତ୍ର ଲାଗି ନଥିବ ! ସୁଖର କଥା, ସିଏ ସେଠାରେ ଯେଉଁଠି ଯାହା ଦେଖିଛନ୍ତି, ସବୁକିଛିକୁ ଟିପି ରଖିଛନ୍ତି ଓ ତାହା ଯୁଗ ଯୁଗ ପରେ ଆମ ସମସ୍ତଙ୍କ ଲାଗି ମଣିଷର ଇତିହାସ ଓ ସମାଜ ବିଷୟରେ କେତେ କେତେ ଖାଦ୍ୟ ଆଣି ଯୋଗାଇ ଦେଉଛି ! ମଣିଷ ପ୍ରତି ପ୍ରଗାଢ଼ ଶ୍ରଦ୍ଧା ନ ଥିଲେ ଏତେ ପ୍ରଗାଢ଼ ଧୈର୍ଯ୍ୟ ସହକାରେ କେହି ଏପରି ଅବିକଳ ଭାବରେ ଆଉ ଏକ ସମାଜ ଓ ଆଉ ଏକ ଚଳଣି ବିଷୟରେ ଏତେ କଥା ଲେଖି ଯାଇ ନ ଥାନ୍ତା ।

 

ଆପଣାର ବହିରେ ଆମେ ସାଧାରଣତଃ ନିଜର କଥା ହିଁ ସବୁଠାରୁ ଅଧିକ ପରିମାଣରେ କହିବାକୁ ଚେଷ୍ଟା କରିଥାଉ । ମାର୍କୋ ପୋଲୋ ଆପଣାର ମନୋରମ ଓ ରୋମାଞ୍ଚକର ଭ୍ରମଣ କାହାଣୀକୁ ଯେଉଁ ବହିଟିରେ ଏକତ୍ର ସଂଗୃହୀତ କରି ସାଇତି ଯାଇଛନ୍ତି ସେଥିରେ ସେ ନିଜ କଥା ପ୍ରାୟ କିଛିହେଲେ ଲେଖି ନାହାନ୍ତି । ନିଜ ବାପା ଓ ଦାଦିଙ୍କ ବିଷୟରେ ବି ଆଦୌ ଗୁଡ଼ାଏ କଥା ଲେଖି ନାହାନ୍ତି । ହଁ ସେମାନେ ଯେ କୁବ୍‌ଲାଇ ଖାଁଙ୍କର ଦରବାରରେ ବେଶ୍ କେତେ ବର୍ଷ ରହି ଅନେକ ଧନ ସମ୍ପତ୍ତି କମାଇଲେ ଏବଂ ଦେଶକୁ ଫେରିଲାବେଳେ ସେଗୁଡ଼ିକୁ ସାଙ୍ଗରେ ବୋହି ଘରକୁ ଆଣିଲେ, ଆମେ ଅନୁମାନ ଦ୍ୱାରା ନିଶ୍ଚିତ ଭାବରେ ତାହା ଜାଣିବାକୁ ପାଇଯାଉ । ସେମାନେ ହୁଏତ କେତେ ମଣି, ମୁକ୍ତା ଓ ମୂଲ୍ୟବାନ ପଥର ସାଙ୍ଗରେ ଧରି ଘରକୁ ଫେରିଥିବେ । ମାର୍କୋ ପୋଲୋ ତାଙ୍କର ଏହି କେତୋଟି ବର୍ଷ ସମୟରେ ଯେତେ ଯେତେ ଦେଶ ଓ ଅଞ୍ଚଳକୁ ଯାଇଥିଲେ, ସେହିସବୁ ଅଞ୍ଚଳର ଲୋକଙ୍କ କଥା ହିଁ ସବୁଠାରୁ ଅଧିକ ପରିମାଣରେ ଲେଖିଛନ୍ତି । କେଉଁ ଦେଶରେ କେତେସବୁ ଅଜବ ଚଳଣିମାନ ରହିଛି, କେଉଁଠି କେତେ ବିଚିତ୍ର ଧାରାରେ ସମାଜ ଚଳୁଛି, ସିଏ ସବୁଠାରୁ ଅଧିକ ଆଗ୍ରହର ସହିତ ସେହି ସବୁ କଥା ଦେଖିଛନ୍ତି ଓ ଆପଣାର ବହିଟିରେ ସେଗୁଡ଼ିକୁ ପ୍ରଧାନତଃ ଲେଖି ରଖିଛନ୍ତି ।

 

ମାର୍କୋ ପୋଲୋ ଦେଶକୁ ଫେରି ଯେତେବେଳେ ନିଜର ଆତ୍ମୀୟ ଓ ପଡ଼ୋଶୀମାନଙ୍କ ବିଷୟରେ ଏହିସବୁ କଥା କହିଥିବେ, ସେତେବେଳେ ତାଙ୍କ କଥାକୁ ନିଶ୍ଚୟ କେହିହେଲେ ବିଶ୍ୱାସ କରିନଥିବେ । ନିଜର ବହିଟିରେ ମଧ୍ୟ ସେ ଯେତେବେଳେ ସେହି କଥାଗୁଡ଼ିକୁ ଲେଖିଥିବେ, ସେତେବେଳେ ବି ହୁଏତ କେହି ତାଙ୍କୁ ବିଶ୍ୱାସ କରିନଥିବେ । ମାତ୍ର, ପରବର୍ତ୍ତୀ ଶତାବ୍ଦୀମାନଙ୍କରେ ଯେତେବେଳେ ପୃଥିବୀର ଏହିସବୁ ଅଗମ୍ୟ ଓ ଦୂରଦୂରାନ୍ତ ଅଞ୍ଚଳ ଲୋକମାନଙ୍କର ଗୋଚରକୁ ଆସିଲା ସେତେବେଳେ ଯାଇ ଜଣାପଡ଼ିଲା ଯେ ମାର୍କୋ ପୋଲୋ ଯାହା ବହିରେ ଲେଖିଥିଲେ, ତାହା ପ୍ରକୃତରେ ସତ ହିଁ ଲେଖିଥିଲେ; ସିଏ ଯାହା ଲେଖିଥିଲେ ପ୍ରକୃତରେ ଦେଖିଥିଲେ ବୋଲି ହିଁ ଲେଖିଥିଲେ । ସେହିସବୁ ଅଞ୍ଚଳକୁ ଯେତେବେଳେ ଅନ୍ୟ ପର୍ଯ୍ୟଟକମାନେ ବି ଗଲେ, ସେତେବେଳେ ସେମାନେ ବି ସେହି କଥା ଦେଖିବାକୁ ପାଇବାରୁ, ମାର୍କୋ ପୋଲୋ ଯାହାସବୁ ଲେଖିଥିଲେ, ସେସବୁ ପ୍ରକୃତ କଥା ବୋଲି ପ୍ରମାଣିତ ହେଲା ।

 

ମାର୍କୋ ପୋଲୋଙ୍କର ବିବରଣୀରୁ ଆମେ ଜାଣିବାକୁ ପାଉଛୁ ଯେ ଚୀନଦେଶର କୌଣସି ଏକ ଅଞ୍ଚଳରେ ଏହିପରି ଏକ ବିଚିତ୍ର ପ୍ରଥା ରହିଥିଲା । ଜଣେ ମାଆ ପିଲାଟିଏ ଜନ୍ମ କରି ସାରିବାପରେ ସିଏ ସଙ୍ଗେ ସଙ୍ଗେ ବିଛଣାରୁ ଉଠି ପିଲାଟିକୁ ଗାଧୋଇ ଦେଉଥିଲା ଓ ଲୁଗା ପିନ୍ଧାଇ ଦେଉଥିଲା । ତା’ପରେ ସ୍ୱାମୀ ଆସି ମାଆର ଭୂମିକାଟିକୁ ଗ୍ରହଣ କରୁଥିଲା ଏବଂ ପିଲାଟି ପାଖରେ ଶୋଉଥିଲା ଓ ତା’ର ସକଳ ଯତ୍ନ ନେଉଥିଲା । ଅବଶ୍ୟ, ପିଲାକୁ ଭୋକ ଲାଗିଲେ ଯାଇ ମାଆ ସେଠାକୁ ଆସି ଥନ ଦେଇ ଯାଉଥିଲା । ତା’ପରେ ସେ ଘରର ନାନା କାମରେ ବ୍ୟସ୍ତ ରହୁଥିଲା ଏବଂ ବାପ ଚାଳିଶିଦିନ ପାଇଁ ପିଲା ସହିତ ବିଛଣା ଉପରେ ଶୋଇ ରହୁଥିଲା ଓ ପିଲାର ତତ୍ତ୍ୱ ନେଉଥିଲା । ଏବଂ ସେହି ସମୟରେ ବନ୍ଧୁ, କୁଟୁମ୍ବ ଓ ଆତ୍ମୀୟମାନେ ପିଲାଟିକୁ ଦେଖିବାଲାଗି ଅନ୍ତୁଡ଼ିଘରକୁ ଆସୁଥିଲେ ଏବଂ ପିଲାଟିଏ ଜନ୍ମ ହେଲା ବୋଲି ବାପକୁ ଅଭିନନ୍ଦନ ଜଣାଇ ଯାଉଥିଲେ ।

 

ସେତେବେଳେ ଚୀନର ଲୋକମାନେ ସୁନାକୁ ମୁଦ୍ରାରୂପେ ବ୍ୟବହାର କରୁଥିଲେ । ଅଳ୍ପ ଦାମ୍‌ର ଜିନିଷ କିଣିଲାବେଳେ ମୁଦ୍ରା ବଦଳରେ ସାନସାନ କଉଡ଼ିଦ୍ୱାରା କାରବାର ହେଉଥିଲା । ସୁଦୂର ଶ୍ୟାମ ଦେଶର ସମୁଦ୍ର ଉପକୂଳରୁ ଏହିସବୁ କଉଡ଼ି ସଂଗୃହୀତ ହୋଇ ପଇସାରୂପେ ବ୍ୟବହୃତ ହେବାଲାଗି ବଣିକମାନଙ୍କ ଦ୍ୱାରା ଚୀନଦେଶକୁ ଆସୁଥିଲା । ସେତେବେଳେ ପୁରୁଷ ଓ ସ୍ତ୍ରୀ ଉଭୟେ ଆପଣାର ଦାନ୍ତକୁ ସୁନା ପାତିଆରେ ଛୁଆଣି କରୁଥିଲେ । ଭାରି ଯତ୍ନ ସହକାରେ ପାତିଆଗୁଡ଼ିକୁ ଦାନ୍ତ ଉପରେ ବସାଇ ଦିଆଯାଉଥିଲା । ଓ ତାହା ସବୁ ସମୟରେ ଦାନ୍ତ ଉପରେ ରହୁଥିଲା । ଏହିସବୁ ପାତିଆ ଲଗାଇବା ଦ୍ୱାରା ଦାନ୍ତର ସୌନ୍ଦର୍ଯ୍ୟ ବଢ଼େ ଏବଂ ଦାନ୍ତର କ୍ଷୟ ମଧ୍ୟ ବନ୍ଦହୁଏ ବୋଲି ସେ ଦେଶରେ ଲୋକେ ବିଶ୍ୱାସ କରୁଥିଲେ । ସେତେବେଳେ ପୁରୁଷମାନେ ହାତରେ ଏବଂ ଗୋଡ଼ରେ ଚିତା କୁଟାଉଥିଲେ । ପ୍ରଥମେ ପାଞ୍ଚଟା ଛୁଞ୍ଚିର ମୁନକୁ ଏକାଠି କରି ଦେହର ମାଂସ ଉପରେ ରକ୍ତ ବୋହିଲା ପର୍ଯ୍ୟନ୍ତ ଚଳାଇ ଗାରଗୁଡ଼ିକୁ ଟଣା ଯାଉଥିଲା । ତା’ପରେ ଛୁଞ୍ଚିଦ୍ୱାରା ହେଉଥିବା ଗାତଗୁଡ଼ିକରେ ଗୋଟାଏ କଳାରଙ୍ଗ ପଦାର୍ଥକୁ ଆଣି ବୋଳି ଦିଆଯାଉଥିଲା-। କଟାଗୁଡ଼ାକ ଅଳ୍ପ ଦିନରେ ଭଲହୋଇ ଯାଉଥିଲା, ମାତ୍ର ରଙ୍ଗଗୁଡ଼ିକ ଚମଡ଼ା ଉପରେ ସ୍ଥାୟୀ ହୋଇ ରହୁଥିଲା । ଯାହାର ଦେହରେ ଯେତେବେଶୀ ଚିତା କୁଟା ହେଉଥିଲା, ସମାଜରେ ସମସ୍ତେ ତାକୁ ସେତିକି ଅଧିକ ସମ୍ମାନର ଚକ୍ଷୁରେ ଦେଖୁଥିଲେ ।

 

ପୁରୁଷମାନେ ଘୋଡ଼ା ଚଢ଼ିବା, ଶିକାର କରିବା ଏବଂ ଯୁଦ୍ଧକୁ ଯିବା ବ୍ୟତୀତ ଆଉ କୌଣସି କାର୍ଯ୍ୟକୁ ବିଶେଷ ଗୁରୁତ୍ୱ ଦେଉ ନ ଥିଲେ । ଘର ଚଳାଇବାର ସବୁଯାକ ଦାୟିତ୍ୱ ସ୍ତ୍ରୀମାନଙ୍କ ଉପରେ ନ୍ୟସ୍ତ ରହୁଥିଲା ଓ କ୍ରୀତଦାସମାନେ ସେମାନଙ୍କୁ ସାହାଯ୍ୟ କରିବାଲାଗି ମହଜୁଦ ରହୁଥିଲେ । କ୍ରୀତଦାସମାନଙ୍କୁ ହାଟରୁ କିଣି ଆଣିବାକୁ ପଡ଼ୁଥିଲା ଅଥବା ସେମାନେ ଯୁଦ୍ଧରୁ ଧରାହୋଇ ଆସୁଥିଲେ । ଚୀନଦେଶରେ ଏପରି ଗୋଟିଏ ଅଞ୍ଚଳ ଥିଲା ଯେଉଁଠାରେ ଲୋକମାନେ କୌଣସି ପ୍ରକାର ଠାକୁର ମୂର୍ତ୍ତି ପୂଜା କରୁନଥିଲେ କିମ୍ବା ସେହି ଅଞ୍ଚଳରେ କୌଣସି ମନ୍ଦିର ମଧ୍ୟ ନ ଥିଲା । ସେମାନେ ବଡ଼ବଡ଼ୁଆଁଙ୍କୁ ପୁଜୁଥିଲେ ଅର୍ଥାତ୍ ପରିବାରର ପୂର୍ବପୁରୁଷମାନଙ୍କୁ ପୂଜା କରୁଥିଲେ । ସେମାନଙ୍କର ଜନ୍ମ ସେହି ପୂର୍ବପୁରୁଷଙ୍କଠାରୁ ହୋଇଛି ଓ ସେହିମାନଙ୍କର ସମ୍ପତ୍ତି ହିଁ ସେମାନଙ୍କୁ ଉତ୍ତରାଧିକାରୀ ଭାବରେ ମିଳିଛି ବୋଲି ସୋମନେ ପୂର୍ବପୁରୁଷମାନଙ୍କର ପୂଜା କରୁଥିଲେ, ସେମାନଙ୍କୁ ପ୍ରାର୍ଥନା କରୁଥିଲେ, ସେମାନଙ୍କ ଉଦ୍ଦେଶ୍ୟରେ ମନ୍ତ୍ରପାଠ କରୁଥିଲେ, ଭଲଦିନମାନଙ୍କରେ ସେମାନଙ୍କର ସମାଧିସ୍ଥାନଗୁଡ଼ିକୁ ଦେଖିବାଲାଗି ଶ୍ମଶାନଙ୍କୁ ଯାଉଥିଲେ ଓ ସମାଧିଗୁଡ଼ିକୁ ପବିତ୍ର ସ୍ଥାନ ବୋଲି ମନେକରି ସେଗୁଡ଼ିକୁ ଭାରି ହିପାଜତରେ ରଖୁଥିଲେ ।

 

ଚୀନ ଲୋକେ ଖାଦ୍ୟକୁ ପାତ୍ରରେ ରଖି ଦୁଇଖଣ୍ଡ କାଠି ସାହାଯ୍ୟରେ ଆହାର କରୁଥିଲେ । ସେମାନେ ଗୋରୁମାଂସ ଖାଉଥିଲେ ମେଣ୍ଢାମାଂସ ଖାଉଥିଲେ ଓ ଚଢ଼େଇ ମାଂସ ଖାଉଥିଲେ । ମାଂସକୁ ସେମାନେ ରାନ୍ଧିକରି ନ ଖାଇ ନିମ୍ନଭାବରେ ପ୍ରସ୍ତୁତ କରି ଖାଉଥିଲେ । ମାଂସକୁ ମିନିମିନି କରି କାଟି ଲୁଣରେ ଜୁଆଇ ରଖୁଥିଲେ ଓ ତା’ପରେ ସେଥିରେ କେତେ ପ୍ରକାରର ମସଲା ଆଣି ପକାଉଥିଲେ । ଧନୀ ଲୋକମାନେ ସିନା ଏହିପରି ଭାବରେ ଖାଉଥିଲେ, ମାତ୍ର ଗରିବ ଲୋକେ ତାହାକୁ ରସୁଣର ରସରେ ବେଶ୍ କିଛିଦିନ ପାଇଁ ବୁଡ଼ାଇ ରଖୁଥିଲେ ଓ ତା’ପରେ ସତେ ଅବା ରନ୍ଧା ହୋଇଥିବା କୌଣସି ପଦାର୍ଥ ପରି ତାହାକୁ ଖାଉଥିଲେ । ଗୋଟିଏ ଜାତିରେ ବହୁ ପୂର୍ବକାଳରୁ ଏକ ଅତ୍ୟନ୍ତ ନିଷ୍ଠୁର ପରମ୍ପରା ଚଳି ଆସୁଥିଲା । ଯେତେବେଳେ ଏକାଧାରରେ ଜଣେ ସୌନ୍ଦର୍ଯ୍ୟବାନ୍ ଓ ସାହସୀ ବିଦେଶୀ ଲୋକ ପ୍ରୟୋଜନରେ ପଡ଼ି ସେହି ଜାତିର କାହାରି ଘରେ ରାତିଟିଏ କଟାଉଥିଲା, ସେତେବେଳେ ସମସ୍ତେ ମିଶି ତାକୁ ହତ୍ୟା କରୁଥିଲେ । ତା’ର ଟଙ୍କା ପଇସା ଲୁଟି କରିବାଲାଗି ନୁହେଁ, ମାତ୍ର ତା’ର ଆତ୍ମା ଓ ଭଲଗୁଣଗୁଡ଼ିକ ଯେପରି ପରିବାର ଭିତରେ ରହିଯିବ ଓ ପରିବାରର ଯାବତୀୟ ବ୍ୟାପାର ଯେପରି ସଫଳତା ହାସଲ କରିବ, ସେହି ମତଲବରେ ହିଁ ସେହି ବିଦେଶୀକୁ ହତ୍ୟା କରାଯାଉଥିଲା । ତେଣୁ ଯାହା ଘରେ ଏହି ହତ୍ୟାଟି ଅନୁଷ୍ଠିତ ହେଉଥିଲା, ତାକୁ ସମସ୍ତେ ଭାରି ସମ୍ମାନ କରୁଥିଲେ, କାରଣ, ମୃତ ବ୍ୟକ୍ତିଟିର ଆତ୍ମା ସେହି ଘରଟିରେ ଆସି ରହିଗଲା ବୋଲି ସମସ୍ତେ ବିଶ୍ୱାସ କରୁଥିଲେ । ମାତ୍ର କୁବ୍‌ଲାଇ ଖାଁ ଯେଉଁଦିନଠାରୁ ସେହି ପ୍ରଦେଶଟିକୁ ଜୟ କରିନେଲେ ସେହି ଦିନଠାରୁ ଏହିପରି ହତ୍ୟାକାରୀମାନଙ୍କୁ କଠୋର ଦଣ୍ଡ ଦିଆଗଲା ଏବଂ ପ୍ରଥାଟିକୁ ନିଷିଦ୍ଧ କରାଗଲା ।

 

Image

 

ମାର୍କୋ ପୋଲୋଙ୍କର ବିବରଣୀ ଅନୁସାରେ ଗୋଟିଏ ସହରରେ ଏପରି କିମିଆ କରୁଥିବା କେତେଜଣ ଗୁଣିଆ ଥିଲେ, ଯେଉଁମାନେ କି ଆପଣାକୁ ବୈଦ୍ୟ ବୋଲି କହୁଥିଲେ । କୌଣସି ଧନୀଲୋକର ଘରେ କେହି ଅସୁସ୍ଥ ହୋଇ ପଡ଼ିଲେ ଏହିପରି ଜଣେ ବୈଦ୍ୟଙ୍କୁ ଖବର ଦିଆଯାଉଥିଲା । ବୈଦ୍ୟ ଆସି ଠାକୁରଙ୍କ ପାଖରେ ବଳି ପ୍ରଭୃତି ଦେଉଥିଲେ ଏବଂ ଏଣେ ଅସୁସ୍ଥ ବ୍ୟକ୍ତିଜଣକ ତା’ର କିପରି କ’ଣ ଅସୁସ୍ଥତା ହୋଇଛି ତାହା ବର୍ଣ୍ଣନା କରି କହୁଥିଲା । ତା’ପରେ ବାଜାବାଲାମାନେ ଆସି ଠାକୁରଙ୍କ ଆଗରେ କେତେପ୍ରକାର ବାଦ୍ୟଯନ୍ତ୍ର ବଜାଉଥିଲେ । ଠାକୁରଙ୍କମାନଙ୍କୁ ସନ୍ତୁଷ୍ଟ କରିବାଲାଗି ନାଚୁଥିଲେ ଓ ଗୀତ ଗାଉଥିଲେ । କୌଣସି ଜଣେ ବ୍ୟକ୍ତିକୁ ପ୍ରେତ ଲାଗିବା ପର୍ଯ୍ୟନ୍ତ ବାଜା ବାଜୁଥିଲା । ତା’ପରେ ସେହି ପ୍ରେତକୁ ରୋଗର କାରଣ ଓ ପ୍ରତିକାର ବିଷୟରେ ପ୍ରଶ୍ନ କରାଯାଉଥିଲା । ଯେଉଁ ଠାକୁର କ୍ରୋଧ କରିଥିବା ହେତୁ ଏହି ଅସୁସ୍ଥତାଟି ହୋଇଛି, ପ୍ରେତ ତାହା କହି ଦେଉଥିଲା । ତା’ପରେ ସମସ୍ତେ ଆସି ସେହି ଠାକୁରଙ୍କ ପାଖରେ ଅଧିଆ ପଡ଼ୁଥିଲେ, ତାଙ୍କୁ ପ୍ରାର୍ଥନା କରୁଥିଲେ ଏବଂ ଅସୁସ୍ଥତା ଭଲ ହୋଇଗଲେ ତାଙ୍କୁ ଆଉ କେତେଟି କଳାମେଣ୍ଢା ବଳି ଦିଆଯିବ, ତାହାର ପ୍ରତିଶ୍ରୁତି ଦେଉଥିଲେ । ତା’ପରେ ସେତିକିଟି ମେଣ୍ଢା କିଣି ବଳି ଦିଆଯାଉଥିଲା, ଠାକୁରଙ୍କ ଆଗରେ ଧୂପଧୂଆଁ, ନୈବେଦ୍ୟ କରାଯାଉଥିଲା । ବଳି ମାଂସ ରନ୍ଧା ହୋଇ ସୁରା ସହିତ ଠାକୁରଙ୍କୁ ଭୋଗ ଦିଆଯାଉଥିଲା ଓ ସମସ୍ତେ ମହୋତ୍ସବ କରି ସେହି ମାଂସକୁ ଭୋଜନ କରୁଥିଲେ । ଏହିସବୁ ଉତ୍ସବ ବଢ଼ି ସାରିବା ପରେ ବୈଦ୍ୟମାନେ ଦକ୍ଷିଣା ସହିତ ଆପଣା ଘରକୁ ଫେରି ଯାଉଥିଲେ । ଯଦି ରୋଗୀର ରୋଗ ଭଲ ହୋଇ ଯାଉଥିଲା, ତେବେ ଠାକୁରଙ୍କର ଦୟାରୁ ତାହା ହେଲା ବୋଲି କୁହାଯାଉଥିଲା; ଯଦି ରୋଗୀ ମରି ଯାଉଥିଲା, ତେବେ ବଳି ପ୍ରଭୃତିରେ ନିଶ୍ଚୟ କେଉଁଠି କିଛି ବ୍ୟାଘାତ ଘଟିଲା ବୋଲି ସମସ୍ତେ ବିଶ୍ୱାସ କରୁଥିଲେ ।

 

ହାଙ୍ଗ୍-ଚାଓ ସେତେବେଳେ ଚୀନର ଗୋଟିଏ ଭାରି ବଡ଼ ସହର ଥିଲା । ସେହି ସହରରେ ଅନେକ ଲୋକ ବାସ କରୁଥିଲେ । ଯେଉଁମାନେ ତାରାମାନଙ୍କର ଚଳନରୁ ଭବିଷ୍ୟ କଥା କହି ପାରୁଥିଲେ, ସେହି ସହରର ଲୋକମାନେ ସେମାନଙ୍କୁ ଭାରି ସମ୍ମାନ ଦେଖାଉଥିଲେ । ତାରାମାନଙ୍କର ଗତି ଅନୁସାରେ ମଣିଷର ସୌଭାଗ୍ୟ ଅଥବା ଦୁର୍ଭାଗ୍ୟ ପଡ଼ୁଥିଲା ବୋଲି ସେମାନେ ବିଶ୍ୱାସ କରୁଥିଲେ । ପିଲାଟିଏ ଭୂମିଷ୍ଠ ହେବା ମାତ୍ରକେ ତାହାର କ୍ଷଣ, ଲିତା ଓ ଘଟିକାକୁ ଟିପି ରଖା ଯାଉଥିଲା ଓ ପିଲାଟି କେଉଁ ନକ୍ଷତ୍ର ଓ କେଉଁ ଚନ୍ଦ୍ରରେ ଜନ୍ମ ହୋଇଛି, ସେ କଥାଟିକୁ ମଧ୍ୟ ନିରୁପଣ କରି ଦିଆଯାଉଥିଲା । ଏହିସବୁ ତାହାର ଜାତକପତ୍ର ରୂପେ ଲେଖାହୋଇ ରହୁଥିଲା, ଏବଂ ସିଏ ବଡ଼ ହେବା ପରେ କୁଆଡ଼କୁ ଯାତ୍ରା କରୁଥିବା ସମୟରେ କ’ଣ ଗୋଟିଏ ନୂଆକାମ ଆରମ୍ଭ କରିବା ସମୟରେ ଏବଂ ତା’ର ବିବାହ ସମୟରେ ଜାତକଟିରୁ ତା’ର ଭଲମନ୍ଦ ଗଣନା କରାଯାଉଥିଲା । ଜାତକ ଦେଖୁଥିବା ଲୋକ ଯେପରି ପରାମର୍ଶ ଦେଉଥିଲା, ସେହି ଅନୁସାରେ ସବୁ କାର୍ଯ୍ୟ କରାଯାଉଥିଲା । ସହରର ସବୁ ରାସ୍ତାକଣରେ ଏପରି ଲୋକ ମିଳୁଥିଲେ ଓ ସେମାନଙ୍କ ଦ୍ୱାରା ଗଣାପୋଛା ନ କରାଇ କୌଣସି ବିବାହ କାର୍ଯ୍ୟ ଅନୁଷ୍ଠିତ ହେଉ ନ ଥିଲା ।

 

ଯେତେବେଳେ କୌଣସି ଧନୀ ଓ ସମ୍ଭ୍ରାନ୍ତ ବ୍ୟକ୍ତିର କାଳ ହୋଇଯାଉଥିଲା, ସେହି ସହରରେ ଲୋକମାନେ ତାହାକୁ ଏହିପରି ଭାବରେ ପାଳନ କରୁଥିଲେ । ମୃତବ୍ୟକ୍ତିର ଆତ୍ମୀୟସ୍ୱଜନ, ସ୍ତ୍ରୀପୁରୁଷ ସମସ୍ତେ ପୁରୁଣା ମୋଟା ଲୁଗା ପିନ୍ଧି ତା’ ସହିତ ଶ୍ମଶାନକୁ ଯାଉଥିଲେ । ସେମାନଙ୍କ ସହିତ ଆହୁରି କେତେ ଲୋକ ବାଜା ବଜାଇ ଯାଉଥିଲେ । ଠାକୁରମାନଙ୍କର ସ୍ତୁତି ଗାଉଥିବା ଲୋକମାନେ ମଧ୍ୟ ରହିଥିଲେ । ସମସ୍ତେ ଶ୍ମଶାନରେ ପହଞ୍ଚିବା ପରେ ମୃତ ଦେହକୁ ଗଦାଏ କାଠ ଉପରେ ରଖି ଯୂଇ ଜଳାଇ ଦିଆଯାଉଥିଲା । ଯୂଇ ଜଳିବା ମାତ୍ରକେ ସମସ୍ତେ ତା’ ଉପରକୁ ରେଶମ ବସ୍ତ୍ର ଓ ରୌପ୍ୟମୁଦ୍ରାମାନ ଫିଙ୍ଗୁଥିଲେ । କାଗଜରେ ଚାକର, ଚାକରାଣୀ, ଘୋଡ଼ା ଓ ଓଟମାନଙ୍କର ଚିତ୍ର ଆଙ୍କି ସେହି ଅଗ୍ନିକୁ ସମର୍ପଣ କରୁଥିଲେ । ସମସ୍ତେ ବିଶ୍ୱାସ କରୁଥିଲେ ଯେ ପରଲୋକରେ ମରିଥିବା ମଣିଷଟି ଏହିସବୁ ସମ୍ପତ୍ତିର ଅଧିକାରୀ ହେବ, ଅର୍ଥାତ୍ ଏହିସବୁ ଦାସଦାସୀ ଏବଂ ପଶୁମାନଙ୍କୁ ଭୋଗ କରିବ, ଏହିସବୁ ଦାମିକା ବସ୍ତ୍ରକୁ ପିନ୍ଧି ପାରିବ । ପଇସାଗୁଡ଼ିକୁ ନିଜେ ଖର୍ଚ୍ଚ କରିପାରିବ । ଶବ ସମେତ ସବୁ ସାମଗ୍ରୀ ପୋଡ଼ି ପାଉଁଶ ହୋଇସାରିବା ପରେ ସେମାନେ କିଛି ସମୟ ଲଗାଏତ ସେଠାରେ ବାଦ୍ୟମାନ ବଜାଉଥିଲେ ଓ ଖୁବ୍ ଶବ୍ଦ କରୁଥିଲେ । ଏହାଦ୍ୱାରା ଦେବତାମାନେ ପ୍ରସନ୍ନ ହୋଇ ମୃତବ୍ୟକ୍ତିଟିର ଆତ୍ମାକୁ ଗ୍ରହଣ କରିବେ ବୋଲି ବିଶ୍ୱାସ କରାଯାଉଥିଲା ।

 

ଆଉ ଗୋଟିଏ ବିଚିତ୍ର ପ୍ରଥା ବିଷୟରେ ମାର୍କୋ ପୋଲୋ ତାଙ୍କ ପୁସ୍ତକରେ ଲେଖିଛନ୍ତି ଯାହାକୁ ଆମେ ଏ ଯୁଗରେ ପଢ଼ିଲେ ଆଦୌ ବିଶ୍ୱାସ କରିବାକୁ ମନ କରିବାନାହିଁ । ମରି ଯାଇଥିବା ସନ୍ତାନମାନଙ୍କ ଭିତରେ କିପରି ବିଭାଘର ହେବାର ଚଳଣି ଚୀନଦେଶର ଗୋଟିଏ ପ୍ରଦେଶରେ ରହିଥିଲା, ମାର୍କୋ ପୋଲୋ ସେହି କଥା ବର୍ଣ୍ଣନା କରି ଲେଖିଛନ୍ତି । ମନେ କରାଯାଉ ଜଣକର ପୁଅଟିଏ ଅଛି ଓ ଆଉ ଜଣକର ଝିଅଟିଏ ଅଛି । ସେମାନେ ହୁଏତ ଅନେକ ବର୍ଷ ତଳେ ମରି ଯାଇଛନ୍ତି ମାତ୍ର ବାପମାଆ ମନ କଲେ ଦୁହିଁଙ୍କ ମଧ୍ୟରେ ବିଭାଘର କରାଇ ପାରୁଥିଲେ । ପ୍ରଥମେ ହୋମକୁଣ୍ଡଟିଏ ସଜା ଯାଉଥିଲା; ତାପରେ ସେମାନେ କାଗଜ ଉପରେ ଦାସଦାସୀ, ଘୋଡ଼ା ଓ ଅନ୍ୟ ପ୍ରକାରର ଜନ୍ତୁ, ନାନାପ୍ରକାର ପୋଷାକ, ଟଙ୍କାପଇସା ଓ ଘରର ଆସବାବପତ୍ରର ଚିତ୍ର ଆଙ୍କି ଦେଉଥିଲେ ଏବଂ ସେହିସବୁ ଚିତ୍ରକୁ ହୋମକୁଣ୍ଡ ମଧ୍ୟରେ ସମର୍ପଣ କରି ଦେଉଥିଲେ । ସେମାନେ ବିଶ୍ୱାସ କରୁଥିଲେ ଯେ ହୋମକୁଣ୍ଡର ଅଗ୍ନି ସେହିସବୁ ସାମଗ୍ରୀ ପରଲୋକକୁ ନେଇଯାଇ ପାରିବ ଓ ପିଲା ଦୁଇଟି ସେଠାରେ ବିଧିପୂର୍ବକ ବିବାହ କରି ଆରାମର ସହିତ ଜୀବନଯାପନ କରିବେ । ଏହି ବିବାହ ଅନୁଷ୍ଠାନ ପରେ ଦୁଇପକ୍ଷର ପିତାମାତା ଆପଣାକୁ ପରସ୍ପରର ସମ୍ବନ୍ଧୀ ବୋଲି ମନେ କରୁଥିଲେ ଏବଂ ସତେ ଯେପରି ବଞ୍ଚିଥିବା ଦୁଇ ପିଲାଙ୍କ ମଧ୍ୟରେ ଏହି ବିବାହଟି ଅନୁଷ୍ଠିତ ହୋଇଛି, ସେହିପରି ଅନୁଭବ କରୁଥିଲେ ।

 

(୭)

 

ହାଙ୍ଗ୍-ଚାଓ ସହରକୁ ମାର୍କୋ ପୋଲୋ ଏକାଧିକ ବାର ଯାଇଥିଲେ । ତାଙ୍କ ମତରେ ସେହି ସମୟରେ ହାଙ୍ଗ୍-ଚାଓ ସମ୍ଭବତଃ ପୃଥିବୀର ବୃହତ୍ତମ ସହର ଥିଲା ଓ ଆପଣାର କେନାଲଗୁଡ଼କ ହେତୁ ତାଙ୍କର ନିଜ ସହର ଭେନିସ୍‌କୁ ମନେ ପକାଇ ଦେଉଥିଲା । ସେଠାରେ ଅସୁମାରି କେତେକ ଲୋକବାସ କରୁଥିଲେ । ମାର୍କୋ ପୋଲୋ ଏହିପରି ଭାବରେ ସହରଟିର ବର୍ଣ୍ଣନା କରିଛନ୍ତି ।

 

ଅନ୍ତତଃ ଏକଶହ ବର୍ଗମାଇଲ ଆକ୍ରାନ୍ତରେ ସହରଟି ବ୍ୟାପ୍ତ ହୋଇ ରହିଥିଲା । ସହର ଭିତରେ କେତେ କେତେ କେନାଲ ଏମୁଣ୍ଡରୁ ସେମୁଣ୍ଡ ଯାଏ ଲମ୍ବି ରହିଥିଲା । ସହରର ଗୋଟିଏ ପାଖରେ ନଦୀ ଓ ଅନ୍ୟ ପାଖରେ ମିଷ୍ଟଜଳ ବିଶିଷ୍ଟ ଗୋଟିଏ ବଡ଼ ହ୍ରଦ । ହାଙ୍ଗ୍-ଚାଓ ସହରର ରାସ୍ତାଗୁଡ଼ିକ ପ୍ରଶସ୍ତ ଥିଲା ହାଟ ଓ ବଜାରରେ କେତେ କେତେ କାରବାରର ଗହଳି ଲାଗି ରହିଥିଲା-। ସହରର ଯେକୌଣସି ସ୍ଥାନକୁ ଉଭୟ ସ୍ଥଳପଥ ଓ ଜଳପଥ ଦ୍ୱାରା ଯାଇ ହେଉଥିଲା । ନୌକାସବୁ କେନାଲ ପଥରେ ଏବଂ ଶକଟମାନ ସ୍ଥଳପଥରେ ମାଲ ସରବରାହ କରୁଥିଲେ । ବିଭିନ୍ନ ଆକାରର ପୋଲଗୁଡ଼ିକର ସଂଖ୍ୟା ପ୍ରାୟ ବାରହଜାର ପର୍ଯ୍ୟନ୍ତ ରହିଥିଲା । ପ୍ରଧାନ ପ୍ରଧାନ ପୋଲଗୁଡ଼ିକ ଏପରି କୁଶଳ ଭାବରେ ଧନୁ ଆକାରରେ ତିଆରି ହୋଇଥିଲା ଯେ ତା’ତଳେ କେନାଲରେ ବୃହତ ନୌକାମାନେ ମଧ୍ୟ ଯାଇ ପାରୁଥିଲେ । କରୁଥିଲେ । କାରଖାନାର ମାଲିକମାନେ ନିଜେ କୌଣସି କାର୍ଯ୍ୟ କରୁ ନ ଥିଲେ । ସେମାନେ ରେଶମ ପୋଷାକ ପିନ୍ଧି ଆରାମରେ ଗୋଟିଏ ଜାଗାରେ ବସୁଥିଲେ ଓ ଶ୍ରମିକମାନେ ଠିକ୍ ଭାବରେ କାର୍ଯ୍ୟ କରୁଛନ୍ତି କି ନାହିଁ, ସେକଥା ଦେଖୁଥିଲେ । ମାଲିକମାନଙ୍କର ଗୃହିଣୀମାନେ ମଧ୍ୟ ହାତରେ କୌଣସି କାମ କରୁ ନ ଥିଲେ । ରୂପରେ ସୁନ୍ଦରୀ ଥିଲେ ସତ, ମାତ୍ର ପୂରା ଅଳସୁଆ ଭାବରେ ସମୟ କଟାଉଥିଲେ । ସେମାନଙ୍କର ରେଶମ ପୋଷାକରେ ମଣିମୁକ୍ତା ଖଚିତ ହୋଇ ରହିଥିଲା । କାଠ ତିଆରି ଘରଗୁଡ଼ିକରେ କାଠରେ କେତେପ୍ରକାର କାରୁକାର୍ଯ୍ୟ ହୋଇଥିଲା ।

 

ସହରରେ ସବୁବେଳେ ବିଦେଶୀମାନଙ୍କୁ ଦେଖିବାକୁ ମିଳୁଥିଲା । ସମସ୍ତେ ବଣିଜ କରି ନିଜନିଜ ଦେଶରୁ ସେଠାକୁ ଆସୁଥିଲେ । ସହରର ସ୍ଥାନୀୟ ବାସିନ୍ଦାମାନେ ସେମାନଙ୍କୁ ଅତ୍ୟନ୍ତ ଆଦର ଦେଖାଉଥିଲେ । ସେମାନଙ୍କୁ ସବୁ ପ୍ରକାରେ ସାହାଯ୍ୟ କରୁଥିଲେ । ଧନୀ ଓ ସମ୍ଭ୍ରାନ୍ତ ଘରର ଲୋକମାନେ ସାଧାରଣତଃ ହ୍ରଦକୂଳରେ ବାସ କରୁଥିଲେ । ସହରର ମନ୍ଦିରମାନଙ୍କରେ କେତେ କେତେ ଦେବତାଙ୍କର ମୂର୍ତ୍ତି ରହି ପୂଜା ପାଉଥିଲେ । ହ୍ରଦର ମଝିରେ ଦୁଇଟି ଦ୍ୱୀପ ଥିଲା ଓ ସେଠାରେ ଗୋଟିଏ ଗୋଟିଏ ସୌଧ ନିର୍ମାଣ କରାଯାଇଥିଲା । ନୌକା କରି ହ୍ରଦରେ ବିଳାସବିହାର କରି ହେଉଥିଲା । ଗୋଟିଏ ଗୋଟିଏ ନୌକାରେ ଦଶରୁ କୋଡ଼ିଏ ପର୍ଯ୍ୟନ୍ତ ଲୋକ ଏକତ୍ର ଯାଇପାରୁଥିଲେ । ଏଗୁଡ଼ିକୁ ଯେକୌଣସି ବ୍ୟକ୍ତି ପଇସା ଦେଇ ନିଯୁକ୍ତ କରିପାରୁଥିଲା । ନାଉରିଆ କାତ ମାରି ନୌକା ଚଳାଉଥିଲା । ସେହି ନୌକାରୁ ସମ୍ପୂର୍ଣ୍ଣ ସହରଟିର ସୁରମ୍ୟ ପ୍ରାକୃତିକ ଦୃଶ୍ୟମାନ ଦେଖିବାକୁ ମିଳୁଥିଲା । ଦିନମାନର କାମ ସାରି ବା ଦୋକାନପତ୍ର ବନ୍ଦ କରି ହାଙ୍ଗ୍-ଚାଓ ସହରର ଲୋକମାନେ ନୌକାବିହାର କରିବାକୁ ହ୍ରଦକୁ ବାହାରି ଯାଉଥିଲେ । ସେମାନେ ସପରିବାର ଅବସର ସମୟଟିକୁ ସେହିଠାରେ ହିଁ କଟାଇ ଦେଉଥିଲେ ।

 

ରାସ୍ତାଗୁଡ଼ିକ ପଥର ଅଥବା ଇଟାରେ ଛାଉଣି ହୋଇ ରହିଥିଲା । ରାସ୍ତାର ଦୁଇପାଖରେ ଜଳ ନିଷ୍କାସିତ ହୋଇଯିବାର ନାଳିମାନ ରହିଥିଲା । ଏହିପରି ଏକ ସୁନ୍ଦର ସହର ହାଙ୍ଗ୍-ଚାଓ ମାର୍କୋ ପୋଲୋଙ୍କୁ ଏତେ ବେଶୀ ଆକର୍ଷକ ମନେ ହୋଇଥିଲା ଯେ ସେ ଅନେକ ଥର ସେହି ସହରକୁ ବୁଲି ଦେଖିବାଲାଗି ସେଠାକୁ ଯାଇଥିଲେ ।

 

ମାର୍କୋ ପୋଲୋ ଯେତେବେଳେ କୁବ୍‌ଲାଇ ଖାଁଙ୍କର ଦରବାରରେ ପହଞ୍ଚିଥିଲେ, ସେତେବେଳେ ସିଏ ସତେ ଅବା ଏକ ନୂଆ ପୃଥିବୀରେ ପହଞ୍ଚିବା ପରି ଅନୁଭବ କରିଥିଲେ । ତାଙ୍କ ଆଖି ନୂଆ ନୂଆ ଜିନିଷ ଦେଖିବାକୁ ଓ ଜୀବନର ନୂଆ ନୂଆ ରୀତି ସହିତ ପରିଚିତ ହେବାକୁ ଭଲ ପାଉଥିଲା । ସିଏ ସମ୍ରାଟଙ୍କ ସହିତ ଶିକାରକୁ ଯାଉଥିଲେ, ଯୁଦ୍ଧକୁ ଯାଉଥିଲେ, ସମ୍ରାଟଙ୍କ ଦୂତରୂପେ କାର୍ଯ୍ୟ କରୁଥିଲେ ସତ, ମାତ୍ର ଯେଉଁଠାରେ ଯାହା କରିବାକୁ ଯାଉଥାନ୍ତୁ ନା କାହିଁକି; ସବା ଆଗ ମଣିଷକୁ ଦେଖୁଥିଲେ, ମଣିଷର ଜୀବନ ସହିତ ସବୁଠାରୁ ଅଧିକ ନିବିଡ଼ ଭାବରେ ପରିଚିତ ହେଉଥିଲେ । ଖୁବ ଅଳ୍ପ ଦିନରେ ସେ ଏହି କଥାଟିକୁ ଜାଣିପାରିଲେ ଯେ ଚୀନ ଦେଶ ହେଉଛି ଏକ ଅତ୍ୟନ୍ତ ସଭ୍ୟ ଦେଶ । ନିଜର ବିବରଣୀରେ ସେ ସେତେବେଳର ଚୀନକୁ ଇଉରୋପଠାରୁ ଅଧିକ ସଭ୍ୟ ବୋଲି ବର୍ଣ୍ଣନା କରି ଯାଇଛନ୍ତି । ଚୀନର ସାଧାରଣ ଲୋକଙ୍କୁ ସେ ଅତ୍ୟନ୍ତ ଧୀର ଓ ଭଦ୍ର ବୋଲି କହିଛନ୍ତି; ବିଦେଶୀମାନଙ୍କ ପ୍ରତି ସେମାନେ କେତେ ଅମାୟିକ ବ୍ୟବହାର କରନ୍ତି, ସେହି କଥାର ଭୂରି ଭୂରି ପ୍ରଶଂସା କରି ଯାଇଛନ୍ତି । ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଚୀନାମାନଙ୍କର ସାଧୁତାକୁ ପ୍ରଶଂସା କରିଛନ୍ତି ଓ ଚୀନର ଅଧିବାସୀମାନେ କେତେ କଳାପ୍ରିୟ ଥିଲେ, ସେହି ବିଷୟରେ କେତେ କେତେ ବର୍ଣ୍ଣନା ଦେଇଛନ୍ତି ।

 

ଚୀନାମାନେ ଘରର ବାହାର ପଟକୁ କେତେପ୍ରକାର କାରୁକାର୍ଯ୍ୟରେ ସୁନ୍ଦର କରି ଗଢ଼ୁଥିଲେ ଓ କେତେ ଉଜ୍ଜ୍ୱଳ ରଙ୍ଗରେ ସୁଶୋଭିତ କରି ରଖୁଥିଲେ । ଘରର ଭିତର ପଟେ ସବୁକିଛି ନିଖୁଣ ଭାବରେ ପରିଚ୍ଛନ୍ନ ଓ ଆରାମଦାୟକ ହୋଇ ରହୁଥିଲା । ଖାଇବାଲାଗି ସେମାନେ ସୁଦୃଶ୍ୟ ବାସନାମାନ ବ୍ୟବହାର କରୁଥିଲେ, ସରୁ ପୋର୍ସିଲେନ୍ କପ୍‌ ଗୁଡ଼ିକରେ କେତେଭଳି ପରିପାଟୀରେ ସୁନ୍ଦର ଛବିମାନ ଅଙ୍କା ହୋଇ ରହିଥିଲା । ଘରର କାନ୍ଥଯାକ କେତେପ୍ରକାର ସୁନ୍ଦର ଛବି ଝୁଲାହୋଇ ରହିଥିଲା । ବିଛଣାଗୁଡ଼ିକ ଉପରେ ରଙ୍ଗିନ୍ ରେଶମୀ ଚଦର ପଡ଼ି ଚକ୍‌ଚକ୍‌ ହେଉଥିଲା-। ଚୀନାମାନେ ପ୍ରାକୃତିକ ଦୃଶ୍ୟର ଶ୍ରଦ୍ଧା କରୁଥିଲେ, ବେଳେ ବେଳେ ଘଣ୍ଟା ଘଣ୍ଟା ସମୟ ବଗିଚାମାନଙ୍କରେ ହିଁ କଟାଇ ଦେଉଥିଲେ । ସେଠାରେ କେତେ ରଙ୍ଗର କେତେ ପ୍ରକାରର ଫୁଲ ଫୁଟି ଦଶଦିଗକୁ ସୁଗନ୍ଧିତ କରି ରଖିଥିଲା ।

 

ଚୀନର ପୋର୍ସିଲେନ୍ ଶିଳ୍ପ ପୃଥିବୀପ୍ରସିଦ୍ଧ ଥିଲା । ପୋର୍ସିଲେନ୍ କିପରି ତିଆରି କରାଯାଉଥିଲା, ମାର୍କୋ ପୋଲୋ ସେକଥା କାରିଗରମାନଙ୍କ ପାଖକୁ ଯାଇ ଅତ୍ୟନ୍ତ ଯତ୍ନ ସହକାରେ ଦେଖୁଥିଲେ । ସେମାନେ ମାଟିଖୋଳି ଗୋଟାଏ ବିଶେଷ ପ୍ରକାରର ମାଟି ସଂଗ୍ରହ କରି ଆଣୁଥିଲେ ଓ ତାକୁ ଗୋଟିଏ ଜାଗାରେ ଗଦାକରି ରଖୁଥିଲେ । ସେଇଠି ଖୋଲା ଜାଗାରେ ସେହି ମାଟି ଖରା ଖାଉଥିଲା, ପବନ ଖାଉଥିଲା, ବର୍ଷା ଖାଉଥିଲା । ଏମିତି ତିରିଶି ବର୍ଷ ବିତିଯାଉଥିଲା, ସେହି ମାଟି ସେଇଠି ସେମିତି ପଡ଼ି ରହୁଥିଲା । ଅର୍ଥାତ୍ ଯେଉଁମାନେ ନିଜେ ମାଟିକୁ ଖୋଳି ଆଣି ସଂଗ୍ରହ କରି ରଖୁଥିଲେ ସେମାନେ ନିଜେ ତାହାକୁ ବ୍ୟବହାର କରୁ ନ ଥିଲେ, ସେମାନଙ୍କର ପୁଅନାତିମାନେ ଯାଇ ତାହାର ବ୍ୟବହାର କରିପାରୁଥିଲେ । ତିରିଶି ବର୍ଷ ପରେ ସେହି ମାଟିରୁ ପାତଳା ସାନସାନ କପ୍‌ ମାନ ଗଢ଼ାଯାଇ ପାରୁଥିଲା, ଏଡ଼େ ପାତଳା ହୋଇ ଗଢ଼ା ହେଉଥିଲା ଯେ ତା’ଭିତରେ ସୂର୍ଯ୍ୟକିରଣ ବି ସ୍ୱଚ୍ଛ ହୋଇ ଦେଖାଯାଉଥିଲା । ଗଢ଼ା ସରିବାପରେ ଚିତ୍ରକାରମାନେ ନାନା ଉଜ୍ଜ୍ୱଳ ରଙ୍ଗ ଦେଇ ତା’ଉପରେ ଚିତ୍ରମାନ ଆଙ୍କି ଦେଉଥିଲେ; ତା’ପରେ ପାତ୍ରଗୁଡ଼ିକୁ ଭାଟି ଉପରେ ରଖାଯାଇ ଦୀର୍ଘ ସମୟଲାଗି ପୋଡ଼ା ଯାଉଥିଲା । ତା’ପରେ ସେହି ପୋର୍ସିଲେନ୍ ପାତ୍ରଗୁଡ଼ିକ ବିକ୍ରୀ ହେବାଲାଗି ବଜାରକୁ ପଠାଯାଉଥିଲା । ବିଦେଶରୁ ଆସୁଥିବା ବଣିକମାନେ ଏଗୁଡ଼ିକୁ କିଣି ପୃଥିବୀରେ କେତେ କେତେ ଦେଶକୁ ବହନ କରି ନେଉଥିଲେ ।

 

ପୃଥିବୀରେ ଚୀନାମାନେ ହିଁ ସବାଆଗ କାଗଜ ତିଆରି କରିବାର କୌଶଳଟିକୁ ଜାଣିଲେ ଓ ତା’ପରେ ପୃଥିବୀର ଅନ୍ୟାନ୍ୟ ଦେଶର ଲୋକମାନେ ସେହିମାନଙ୍କଠାରୁ ହିଁ ବିଦ୍ୟାଟିକୁ ଶିକ୍ଷା କରିଥିଲେ । କାଠର ଛାଞ୍ଚକରି ତାକୁ କାଗଜ ଉପରେ ଛାପିବାର କୌଶଳଟି ଚୀନରେ ୯୩୭ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇଥିଲା । ତାହାର ପ୍ରାୟ ପାଞ୍ଚଶହ ବର୍ଷ ପରେ ଯାଇ ଇଉରୋପର ଗୁଟେନ୍‌ବର୍ଗ ଅକ୍ଷରକୁ ଛାପିବା କଥା କଳ୍ପନା କରି ପାରିଲେ । ମାର୍କୋ ପୋଲୋଙ୍କର ବିବରଣୀରୁ ଜଣାପଡ଼ୁଛି ଯେ ସମ୍ରାଟଙ୍କର ଆଜ୍ଞାନୁକ୍ରମେ ଚୀନରେ ୯୮୦ ଖ୍ରୀଷ୍ଟାବ୍ଦରେ ଚୀନର ଇତିହାସ ଓ ଆଉ ସବୁପ୍ରକାର ବିବରଣୀ ନେଇ ଏକ ବୃହତ ପୁସ୍ତକ ପ୍ରସ୍ତୁତ କରାଯାଇଥିଲା, ହଁ, ସେତେବେଳେ ସେହି ଦେଶରେ କାଗଜ ମୁଦ୍ରାର ପ୍ରଚଳନ ବି ହୋଇସାରିଥିଲା । କୁବ୍‌ଲାଇ ଖାଁଙ୍କର କର୍ମଚାରୀମାନେ କାଗଜକୁ ମୁଦ୍ରାରୂପେ ବ୍ୟବହାର କରୁଥିବାର ଦେଖି ମାର୍କୋ ପୋଲୋ ବିସ୍ମିତ ହୋଇଯାଇଥିଲେ । ସିଏ ଏକଥା ତାଙ୍କ ଜୀବନରେ ପ୍ରଥମଥର ପାଇଁ ଦେଖିଲେ । କେଉଁ କିମିଆ ଲଗାଇ ସମ୍ରାଟ କାଗଜକୁ ମୁଦ୍ରାରେ ପରିଣତ କରିଦେଇ ପାରୁଥିଲେ ଓ ଦେଶ ତଥା ବିଦେଶର ବେପାରୀମାନେ ପୁଣି ସେହି ମୁଦ୍ରାକୁ ବିଶ୍ୱାସର ସହିତ ଗ୍ରହଣ କରି ପାରୁଥିଲେ, ତାହା ଦେଖି ମାର୍କୋ ପୋଲୋଙ୍କର ବିସ୍ମୟର ସୀମା ରହିଲା ନାହିଁ ।

 

ଏହି କାଗଜ ଟଙ୍କାର ସଂକ୍ରାନ୍ତରେ ମାର୍କୋ ପୋଲୋ ପୁଣି ତୁତ ଗଛର କଥା ଲେଖିଛନ୍ତି-। ତୁତଗଛର ପତ୍ର ଖୁଆଇ ରେଶମପୋକମାନଙ୍କୁ ଚାଷ କରାହୁଏ । ତୁତଗଛର ବକଳରୁ ବି ଗୋଟାଏ ପ୍ରକାରର କାଗଜ ତିଆରି କରାଯାଏ । ସେତେବେଳେ ଚୀନ ଦେଶର ଲୋକମାନେ ସେହି ପ୍ରଣାଳୀଟିକୁ ଜାଣିଥିଲେ । ତୁତଗଛର ପାତଳା ବକଳଗୁଡ଼ିକୁ ନେଇ ଗୋଟିଏ ପାତ୍ରରେ ରଖି ପିଟା ଯାଉଥିଲା, ତାକୁ ପାଣିରେ ମିଶାଇ ପୁଣି ପିଟା ଯାଉଥିଲା । ଏହିପରି ଭାବରେ ସେଥିରୁ କାଗଜ ପରି ଖଣ୍ଡ ଖଣ୍ଡ ହୋଇ କଳା ପରସ୍ତମାନ ବାହାରୁଥିଲା । ତାକୁ ଆକାର ଅନୁସାରେ ବଡ଼ ସାନ କରି କାଟି ବିଭିନ୍ନ ମୂଲ୍ୟର କାଗଜ ନୋଟରୂପେ ବ୍ୟବହାର କରାଯାଉଥିଲା । ଯେଉଁ ନୋଟ୍ ଯେତେ ବେଶୀ ମୁଦ୍ରା ମୂଲ୍ୟର ତାହାର ଆକାର ସେତେ ବଡ଼ । ଟଙ୍କାଶାଳରେ ମୁଦ୍ରା, ସୁନା ଓ ରୂପାଦି ମୁଦ୍ରା ତିଆରି ହେଉଥିବା ପରି ଏକ ବିଶେଷ ଯତ୍ନର ସହିତ ବିଶେଷ କର୍ମଚାରୀମାନେ ଏହି ନୋଟ୍‌କୁ ତିଆରି କରୁଥିଲେ । ସବୁ ନୋଟ୍‌ରେ ସେମାନଙ୍କର ହସ୍ତାକ୍ଷର ଏବଂ ମୋହର ଅଙ୍କିତ ହୋଇ ରହୁଥିଲା । ଅର୍ଥାତ୍ ବର୍ତ୍ତମାନ ପୃଥିବୀର ବିଭିନ୍ନ ଦେଶରେ ଯେପରି ହେଉଛି, ସାତଶହ ବର୍ଷତଳେ ଚୀନ୍‌ରେ ଠିକ୍ ସେହିପରି ହେଉଥିଲା । ସମସ୍ତଙ୍କଠାରୁ ବଡ଼ କର୍ମଚାରୀ ନାଲି ସ୍ୟାହିରେ ସମ୍ରାଟଙ୍କ ମୋହରକୁ ନେଇ ସେଥିରେ ଲଗାଇ ଦେଉଥିଲେ । ନାଲିରଙ୍ଗକୁ ସେତେବେଳେ ମଧ୍ୟ ଚୀନ ଦେଶରେ ସମ୍ରାଟଙ୍କର ରଙ୍ଗ ବୋଲି କୁହାଯାଉଥିଲା । ଜାଲ୍‌ନୋଟ୍‌ ତିଆରି କରି ଦେଶରେ ଚଳାଇବା ସକାଶେ ସେତେବେଳେ ଦେଶରେ କାହାରି ସାହସ ନ ଥିଲା, କାରଣ ସେପରି କୌଣସି ଅପରାଧ ଧରା ପଡ଼ିଲେ ମୃତ୍ୟୁଦଣ୍ଡ ପୁରସ୍କାର ମିଳୁଥିଲା । ତାତାରମାନେ ଚୀନକୁ ଆସିବାର ବହୁପୂର୍ବରୁ ଚୀନ୍‌ରେ କାଗଜମୁଦ୍ରାର ପ୍ରଚଳନ ଥିଲା ।

 

ଚୀନଦେଶର ଲୋକମାନେ ସେତେବେଳେ ନାନା ଧାତୁରେ କାର୍ଯ୍ୟ କରି ଜାଣିଥିଲେ । ସେମାନେ ଧାତୁକୁ ତରଳାଇ ଜାଣିଥିଲେ, ତରଳ ଧାତୁକୁ ବିଭିନ୍ନ ପ୍ରକାର ଛାଞ୍ଚରେ ଆଣି ଢାଳି ପାରୁଥିଲେ ଓ ଏହିପରି ଭାବରେ କେତେ କିସମର ସୁନ୍ଦର ଉପଯୋଗୀ ଦ୍ରବ୍ୟମାନ ତିଆରି କରି ପାରୁଥିଲେ । କଂସାରୁ ଗହଣାମାନ ତିଆରି କରିବାରେ ଚୀନର ବଣିଆମାନେ ସିଦ୍ଧହସ୍ତ ଥିଲେ । ଟିଣ ଆଉ ଦସ୍ତାକୁ ତରଳ କରି ଏକାଠି ମିଶାଇ ସେମାନେ କଂସା ତିଆରି କରୁଥିଲେ । ସମୁଦ୍ର ପାଣିରୁ ଲୁଣମାରି ଜାଣିଥିଲେ । ମାର୍କୋ ପୋଲୋ ସେତେବେଳେ ସେଠି ସମୁଦ୍ର ଉପକୂଳରେ ଲୁଣ ମାରିବାର କେତେ କେତେ ପଟାଳି ଦେଖିଥିବେ । ପଙ୍ଗାଲୁଣକୁ ଚୀନାମାନେ ସଫା କରିବାର କୌଶଳ ବି ଜାଣିଥିଲେ ।

 

ହଁ, ମାର୍କୋ ପୋଲୋ ଲେଖିଛନ୍ତି ଯେ ଚୀନଦେଶର ଲୋକମାନଙ୍କ ପାଖରେ ସେତେବେଳେ ଗୋଟାଏ ପ୍ରକାରର କଳାରଙ୍ଗର ପଥର ଥିଲା, ଯାହାକୁ ସେମାନେ ଜାଳେଣିରୂପେ ବ୍ୟବହାର କରୁଥିଲେ ଓ ସେହି ନିଆଁରୁ ପ୍ରଚୁର ଉତ୍ତାପ ପାଉଥିଲେ । ତାଙ୍କର ଏହି କଥାକୁ ଇଉରୋପରେ କେହି ବିଶ୍ୱାସ କରି ନଥିଲେ । ପରେ ଇଉରୋପର ମାଟିତଳୁ ବି ସେହି ପଥର ବାହାରିଲା ଓ ତାହାକୁ ପୃଥିବୀରେ ସମସ୍ତେ କୋଇଲା ବୋଲି ଜାଣିଲେ । ଅର୍ଥାତ୍ ଇଉରୋପୀୟମାନେ କୋଇଲାକୁ ବିହ୍ନିବାର ବେଶ୍ ଅନେକ ଶହବର୍ଷ ପୂର୍ବରୁ ଚୀନ୍‌ର ଲୋକମାନେ ତାହାକୁ ଖଣିରୁ ବାହାର କରି ବ୍ୟବହାର କରି ଜାଣିଥିଲେ ।

 

(୮)

 

ମାର୍କୋ ପୋଲୋ ତାଙ୍କର ଭ୍ରମଣ-ବିବରଣୀରେ ତାତାରମାନଙ୍କ ବିଷୟରେ ଚୀନାମାନଙ୍କର ଜୀବନ ବିଷୟରେ ଏବଂ ସମ୍ରାଟ କୁବ୍‌ଲାଇ ଖାଁଙ୍କ ବିଷୟରେ ବିସ୍ତୃତ ଭାବରେ କେତେ କଣ ଲେଖିଛନ୍ତି । ସମ୍ରାଟ ଯେଉଁସବୁ ଅନ୍ୟ ବଡ଼ ବଡ଼ ଦେଶ ଜୟ କରିଥିଲେ ଓ ଶାସନ କରିଥିଲେ ମାର୍କୋ ପୋଲୋଙ୍କର ବର୍ଣ୍ଣନାରୁ ଆମେ ସେହିସବୁ ଦେଶ ବିଷୟରେ ମଧ୍ୟ ଅନେକ କିଛି ଜାଣିବାକୁ ପାଉଛୁ ।

 

ବର୍ତ୍ତମାନ ଯାହାକୁ ଭିଏତ୍‌ନାମ ବୋଲି କୁହାଯାଇଛି, କେତେ ବର୍ଷ ପୂର୍ବେ ଯାହାର ନାମ ଇଣ୍ଡୋଚୀନ ଥିଲା, ମାର୍କୋ ପୋଲୋ ସେହି ଦେଶକୁ ମଧ୍ୟ ଭ୍ରମଣରେ ଯାଇଛନ୍ତି ଓ ସେହି ଭ୍ରମଣର ଅନେକ ବିବରଣୀ ଲେଖି ଯାଇଛନ୍ତି । ସେଥିରୁ ଆମେ ଜାଣିବାକୁ ପାଇବା ଯେ ଇଣ୍ଡୋଚୀନର ଲୋକମାନେ ଭାରି ଧନଶାଳୀ ଥିଲେ, ସେମାନେ ଆପଣା ରାଜାମାନଙ୍କ ଦ୍ୱାରା ଶାସିତ ହେଉଥିଲେ ଏବଂ ଆପଣାର ଏକ ସ୍ୱତନ୍ତ୍ର ଭାଷାରେ କଥାବାର୍ତ୍ତା କରୁଥିଲେ । ସେମାନେ ମନ୍ଦିରମାନଙ୍କରେ ନାନାପ୍ରକାର ମୂର୍ତ୍ତିର ପୂଜା କରୁଥିଲେ । କୁବ୍‌ଲାଇ ଖାଁଙ୍କର ଅଧୀନତା ସ୍ୱୀକାର କରିଥିବାର ନିଦର୍ଶନ ସ୍ୱରୂପ ଇଣ୍ଡୋଚୀନର ରାଜା ପ୍ରତିବର୍ଷ କେତୋଟି ହାତୀ ସମ୍ରାଟଙ୍କ ଲାଗି ଭେଟି ପଠାଉଥିଲେ ।

 

ଭାରତବର୍ଷକୁ ଜଳଯାତ୍ରା କରି ଆସିଥିବା ସମୟରେ ମାର୍କୋ ପୋଲୋ ଅନେକ ଦ୍ୱୀପ ଅତିକ୍ରମ କରି ଆସିଥିଲେ ବୋଲି ଲେଖିଛନ୍ତି । ସିଏ ସେହି ଦ୍ୱୀପଗୁଡ଼ିକର ବିବରଣୀ ମଧ୍ୟ ଦେଇଯାଇଛନ୍ତି । ଏହିପରି ଭାବରେ ସିଏ ସୁମାତ୍ରା ଦ୍ୱୀପ ବିଷୟରେ କେତେକ ବିଷୟ ଲେଖିଛନ୍ତି । ବର୍ତ୍ତମାନ ସୁମାତ୍ରା ହେଉଛି ଇଣ୍ଡୋନେସିଆ ଦେଶର ସବୁଠାରୁ ବଡ଼ ଦ୍ୱୀପ । ସୁମାତ୍ରା ବିଷୟରେ ମାର୍କୋ ପୋଲୋ ଲେଖିଛନ୍ତି : ‘‘ଏହି ଦ୍ୱୀପଟି ସମ୍ଭବତଃ ପୃଥିବୀର ବୃହତ୍ତମ ଦ୍ୱୀପ । ଏହାର ଉପକୂଳ ରେଖା ପ୍ରାୟ ଦୁଇ ହଜାର ମାଇଲ ଲମ୍ବ । ଦ୍ୱୀପଟି କେତୋଟି ରାଜ୍ୟରେ ବିଭକ୍ତ ଓ ମୁଁ ଏହା ଭିତରେ ପ୍ରାୟ ସବୁଯାକ ରାଜ୍ୟ ଦେଖି ସାରିଲିଣି । ଏହି ଦ୍ୱୀପ ବିଭିନ୍ନ ପ୍ରକାରର ମସଲା ପାଇଁ ବିଖ୍ୟାତ । ଅଧିକାଂଶ ଲୋକ ମୂର୍ତ୍ତିପୂଜା କରନ୍ତି, ତଥାପି କେତେକ ପରିବାର ମୁସଲମାନ ବି ଅଛନ୍ତି ଓ ସେମାନେ ସମୁଦ୍ର ଉପକୂଳରେ ଥିବା ବନ୍ଦରମାନଙ୍କରେ ବାସ କରନ୍ତି । ପାର୍ବତ୍ୟ ଅଞ୍ଚଳରେ କେତେକ ସମାଜରେ ମନୁଷ୍ୟର ମାଂସ ଖାଇବାର ରିବାଜ ବି ରହିଛି । ଏହି ଦ୍ୱୀପରେ ଅନେକ ବଣୁଆ ହାତୀ ଅଛନ୍ତି, ଗଣ୍ଡାର ବି ଅଛନ୍ତି । ଜଙ୍ଗଲରେ କେତେପ୍ରକାର ହନୁମାଙ୍କଡ଼ ଅଛନ୍ତି-। ଏପରି କେତେକ ମାଙ୍କଡ଼ ବି ଅଛନ୍ତି, ଯେଉଁମାନେ ପ୍ରାୟ ମଣିଷଙ୍କ ପରି ଦେଖାଯାଆନ୍ତି ।’’

 

ସୁମାତ୍ରା ଦ୍ୱୀପରେ ମାର୍କୋ ପୋଲୋ ପ୍ରାୟ ପାଞ୍ଚମାସ ରହି ସବୁକଥା ଦେଖିଥିଲେ । ସୁମାତ୍ରାର ମାଛ ତାଙ୍କୁ ପୃଥିବୀଯାକରେ ସବୁଠାରୁ ଭଲ ଲାଗିଥିଲା । ସେଠାରେ ପ୍ରାୟ କେହି ଗହମଚାଷ କରୁ ନଥିଲେ, ସମସ୍ତେ ଭାତଖାଇ ବଞ୍ଚୁଥିଲେ । ସେମାନେ ତାଳଗଛ ପରି ଗୋଟାଏ ଗଛର କନ୍ଦାକୁ କାଟି ସେଥିରେ ଠେକି ବସାଇ ମଦ ସଂଗ୍ରହ କରୁଥିଲେ । ନଡ଼ିଆଗୁଡ଼ାକ ମାର୍କୋ ପୋଲୋଙ୍କୁ ମଣିଷର ମୁଣ୍ଡ ପରି ଦେଖାଯାଉଥିଲା । ନଡ଼ିଆ ଖାଇ ଓ ପଇଡ଼ ପିଇ ମାର୍କୋ ପୋଲୋ ଯେ କେଡ଼େ ଖୁସୀ ହୋଇଥିଲେ, ଭୂରି ଭୂରି ପ୍ରଶଂସା କରି ସେ ସେହି କଥା ଲେଖି ଯାଇଛନ୍ତି ।

 

ସୁମାତ୍ରା ପରେ ମାର୍କୋ ପୋଲୋ ସିଂହଳ ଦ୍ୱୀପକୁ ଆସିଥିଲେ । ନିଜ ଦେଶକୁ ଫେରି ଯାଉଥିବାବେଳେ ସେ ସିଂହଳ ଆସିଥିଲେ । ସିଂହଳକୁ ସେ ପୃଥିବୀରେ ସବୁଠାରୁ ସୁନ୍ଦର ଦ୍ୱୀପ ବୋଲି ବର୍ଣ୍ଣନା କରିଛନ୍ତି । ସିଂହଳ ସେତେବେଳେ ଜଣେ ସ୍ୱାଧୀନ ରାଜାଙ୍କ ଦ୍ୱାରା ଶାସିତ ହେଉଥିଲା । ଜଳବାୟୁ ଅତ୍ୟନ୍ତ ପରିମାଣରେ ଗ୍ରୀଷ୍ମପ୍ରଧାନ ହୋଇଥିବାରୁ ଲୋକେ ସେଠି ଖୁବ୍ କମ୍ ଲୁଗାପଟା ବ୍ୟବହାର କରୁଥିଲେ । ସେମାନେ ପ୍ରଧାନତଃ ଭାତ ଓ ମାଂସ ଖାଉଥିଲେ, ଖଜୁରୀ ଗଛର ମଦ ତିଆରି କରୁଥିଲେ ।

 

ସିଂହଳ ପରେ ମାର୍କୋ ପୋଲୋ ଭାରତବର୍ଷକୁ ଆସିଥିଲେ । କେରଳ ରାଜ୍ୟରେ ବର୍ତ୍ତମାନ ଯାହାକୁ ମାଲବାର୍ ଅଞ୍ଚଳ ବୋଲି କୁହାଯାଉଛି, ମାର୍କୋ ପୋଲୋ ଭାରତବର୍ଷରେ ସେହି ଅଞ୍ଚଳଟିକୁ ଆସିଥଲେ ଏବଂ ସେହି ଅଞ୍ଚଳରେ ଦେଖିଥିବା କେତୋଟି କଥାର ବିବରଣୀ ଦେଇ ଯାଇଛନ୍ତି । ସେହି ଅଞ୍ଚଳରେ ସମୁଦ୍ର ଜଳରେ ସେ ନୋଳିଆମାନେ ମୁକ୍ତା ସଂଗ୍ରହ କରିବାର ଦେଖିଥିଲେ । ବୁଡ଼ି କରି ମୁକ୍ତା ଥିବା ଶାମୁକା ସଂଗ୍ରହ କରି ଆଣିବାକୁ କେତେକ ଲୋକଙ୍କୁ ତାଲିମ ଦିଆଯାଇଥିଲା ।

 

ମାଲବାରରେ ଲୋକମାନେ ପ୍ରତ୍ୟହ ସକାଳ ସନ୍ଧ୍ୟା ଦୁଇଥର ସ୍ନାନ କରୁଥିଲେ । ସେହି ଅଞ୍ଚଳରେ ଏତେ ଗରମ ହେଉଥିଲା ଯେ ଲୋକମାନେ ସାଧାରଣତଃ ଖୋଲା ଦେହରେ ରହୁଥିଲେ-। କେବଳ ଡାହାଣ ହାତ ବ୍ୟବହାର କରି ଭୋଜନ କରୁଥିଲେ । ପାତ୍ରମାନଙ୍କୁ ମୁହଁ ଉପରକୁ ଟେକି ଧରି ପାଣି ପିଉଥିଲେ ଓ ପାତ୍ରଟିକୁ କେବେହେଲେ ମୁହଁରେ ଲଗାଉ ନଥିଲେ । ଅନ୍ୟ ଲୋକମାନଙ୍କୁ ପାଣି ପିଇବାକୁ ଦେଲାବେଳେ ମଧ୍ୟ ସେମାନଙ୍କ ହାତରେ ପାଣି ଢାଳି ଦେଉଥିଲେ, ସେମାନଙ୍କୁ ପାତ୍ରଦ୍ୱାରା ପାଣି ପିଇବାକୁ ଦେଉନଥିଲେ । ଲୋକମାନେ ଦିନମାନର କୌଣସି ଏକ ନିର୍ଦ୍ଦିଷ୍ଟ ସମୟକୁ ବାରବେଳା ବୋଲି ମାନୁଥିଲେ ଏବଂ ସେହି ସମୟରେ କୁଆଡ଼କୁ ଅନୁକୂଳ କରି ଘରୁ ବାହାରୁ ନଥିଲେ ବା କୌଣସି ଶୁଭକାର୍ଯ୍ୟ ଆରମ୍ଭ ବି କରୁନଥିଲେ ।

 

ମାର୍କୋ ପୋଲୋ ଲେଖିଛନ୍ତି ଯେ ସେ ମାଲବାର ଅଞ୍ଚଳରୁ ପାଞ୍ଚଶହ ମାଇଲ ଉତ୍ତରକୁ ଆସି ଭାରତବର୍ଷର ଆଉ ଗୋଟିଏ ରାଜ୍ୟରେ ପହଞ୍ଚିଲେ, ସେଠାରେ ଲୋକମାନେ ମୂର୍ତ୍ତିପୂଜା କରୁଥିଲେ; ଭାତ, ମାଛ ଓ ମାଂସ ଏବଂ ଫଳ ଏହି ଲୋକମାନଙ୍କର ପ୍ରଧାନ ଖାଦ୍ୟ ଥିଲା । ସେହି ରାଜ୍ୟର ଜଙ୍ଗଲମାନଙ୍କରେ କୁଆଡ଼େ ଭାରି ବଢ଼ିଆ ହୀରା ମିଳୁଥିଲା । ବର୍ଷାଦିନେ ନଈରେ ବଢ଼ି ପାଣି ଗାଆଁ ଗଣ୍ଡା ଭସାଇ ନେଉଥିଲା । ବର୍ଷାଦିନ ପରେ ନଈ ଶୁଖିଲା ପଡ଼ିଥିବାବେଳେ ଲୋକମାନେ ନଈବାଲିକୁ ହୀରା ଖୋଜି ଯାଉଥିଲେ ।

 

ଭାରତବର୍ଷରେ ବ୍ରାହ୍ମଣମାନଙ୍କ ସହିତ ତାଙ୍କର ଭେଟ ହୋଇଥିଲା ବୋଲି ମାର୍କୋ ପୋଲୋ ଲେଖି ଯାଇଛନ୍ତି । ମାର୍କୋ ପୋଲୋଙ୍କର କହିବା ଅନୁସାରେ ବ୍ରାହ୍ମଣମାନେ କେବେ ମିଛ କହୁ ନଥିଲେ, ଜୀବନ ଗଲେ ବି ମିଛ କହୁନଥିଲେ । ବ୍ରାହ୍ମଣମାନେ କୁଆଡ଼େ ମାଂସାଶୀ ଥିଲେ ସତ, ମାତ୍ର ସେମାନେ ନିଜେ କୌଣସି ଜନ୍ତୁକୁ ବଧ କରୁ ନଥିଲେ । ଲୋକମାନେ ବିଭିନ୍ନ ସଙ୍କେତରୁ ଭାରି ଶୁଭଅଶୁଭ ବାରୁଥିଲେ । ଅନୁକୂଳ କରି ଘରୁ ବାହାରିବାବେଳେ ହଠାତ୍ କେହି ଛିଙ୍କିଦେଲେ ତାହାକୁ ଅଶୁଭ ବୋଲି କହୁଥିଲେ, ଏବଂ ତା’ପରେ ଯେଉଁଠାକୁ ଯିବାର ଥିଲା, ଆଉ ସେଠାକୁ ନ ଯାଇ ଘରକୁ ଲେଉଟି ଆସୁଥିଲେ । ମାର୍କୋ ପୋଲୋ ସେତେବେଳେ ଅନେକ ଯୋଗୀ ଦେଖିଥିଲେ ବୋଲି ମଧ୍ୟ ଲେଖି ଯାଇଛନ୍ତି । ଯୋଗୀମାନେ ଭାରି ଧର୍ମପରାୟଣ ଥିଲେ ଓ ଭଗବାନଙ୍କ ଲାଗି ହିଁ ଜୀବନ ବଞ୍ଚୁଥିଲେ । ସେମାନେ ସାଧାରଣତଃ କମ୍ ଲୁଗାପଟା ପିନ୍ଧୁଥିଲେ, ଅନେକ ଉଲଗ୍ନ ବି ରହୁଥିଲେ । ଜୀବମାତ୍ରକେ ସବୁରି ଆତ୍ମା ରହିଛି ବୋଲି ସେମାନେ ବିଶ୍ୱାସ କରୁଥିଲେ ଏବଂ ତେଣୁ ପ୍ରତ୍ୟେକ ପ୍ରକାରର ଜୀବହତ୍ୟାକୁ ଘୋର ଅପରାଧ ବୋଲି ଭାବୁଥିଲେ । ମାଛି ଓ ଅନିଷ୍ଟକାରୀ କୀଟମାନଙ୍କର ପ୍ରାଣ ନେବାକୁ ମଧ୍ୟ ସେମାନେ ପାପ ବୋଲି କହୁଥିଲେ । ମାଂସାହାରକୁ ସବୁଠାରୁ ବଡ଼ ପାପ ବୋଲି କହୁଥିଲେ । ସେମାନେ ଖାଇବାବେଳେ କୌଣସି ପାତ୍ର ବ୍ୟବହାର କରୁନଥିଲେ, ପତରଟିଏ ତଳେ ପାରିଦେଇ ତାହାରି ଉପରେ ଅନ୍ନ କୁଢ଼ାଇ ଖାଉଥିଲେ । ତୁଚ୍ଛା ମାଟି ଉପରେ ଶୟନ କରୁଥିଲେ । ମାର୍କୋ ପୋଲୋ ଲେଖିଛନ୍ତି ଯେ ଏହି ଯୋଗୀମାନେ ଅନେକ ବୟସ ପର୍ଯ୍ୟନ୍ତ ବଞ୍ଚୁଥିଲେ । ଅନେକ ଯୋଗୀ ଶହେ ଦେଢ଼ଶହ ବର୍ଷ ପର୍ଯ୍ୟନ୍ତ ବି ବଞ୍ଚୁଥିଲେ ଏବଂ ମରିବା ପର୍ଯ୍ୟନ୍ତ ସେମାନଙ୍କର ଶରୀର ସୁସ୍ଥ ଓ ବଳବାନ୍ ରହୁଥିଲା ଏବଂ ଶେଷରେ ମରଦେହ ତ୍ୟାଗକରି ଗଲାବେଳେ ସେମାନଙ୍କର ଶବକୁ ଦାହ କରି ଦିଆଯାଉଥିଲା ।

 

ଭାରତୀୟମାନଙ୍କର ତାମ୍ବୁଳ ସେବନ କଥାଟି ମଧ୍ୟ ମାର୍କୋ ପୋଲୋଙ୍କ ଆଖିରେ ପଡ଼ିଥିଲା । ଲୋକମାନଙ୍କ ପାଟିରେ ସେ କୁଆଡ଼େ ଦିନମାନର ସବୁ ସମୟରେ ତାମ୍ବୁଳ ରହିଥିବାର ଦେଖିଥିଲେ । ସମୟ ଅସମୟରେ ଲୋକମାନେ ପାନଖିଲ ଚୋବାଉଥିଲେ ଓ ତାହା ସ୍ୱାସ୍ଥ୍ୟ ପାଇଁ ଭାରି ଉପକାରୀ ବୋଲି ବିଶ୍ୱାସ କରୁଥିଲେ । ବଡ଼ ଲୋକମାନେ ଖାଉଥିବା ପାନ ନାନାପ୍ରକାର ବିଶେଷ ବହୁ ମୂଲ୍ୟ ମସଲା ପଡ଼ି ଭଙ୍ଗା ଯାଉଥିଲା ।

 

(୯)

 

କୁବ୍‌ଲାଇ ଖାଁଙ୍କର ଦରବାରରେ ସମ୍ରାଟଙ୍କ କାର୍ଯ୍ୟରେ ନିଯୁକ୍ତ ଥିଲାବେଳେ ସିଏ ଯେ କେବଳ ଦକ୍ଷିଣକୁ ସମୁଦ୍ରଯାତ୍ରା କରି ଆସିଥିଲେ ତା’ନୁହେଁ, ସିଏ ଚୀନର ଆହୁରି ଉତ୍ତରକୁ ମଧ୍ୟ ଯାଇଥିଲେ । ଉତ୍ତରଦେଶଗୁଡ଼ିକ ଶୀତପ୍ରଧାନ ଦେଶ, ସେଠାରେ ଶୀତ ଦିନେ ଆକାଶରେ ସୂର୍ଯଦେବ ପ୍ରାୟ ଉଦୟ ହେଉ ନ ଥିଲେ ଏବଂ ଚତୁର୍ଦ୍ଦିଗ ବରଫରେ ଧଳା ହୋଇ ରହିଥିଲା । ସେହି ସବୁ ଅଞ୍ଚଳ ଧଳା ଭାଲୁଙ୍କର ରାଜ୍ୟ ଥିଲା । ସେଠାରେ ମାର୍କୋ ପୋଲୋ ତାଙ୍କ ଜୀବନରେ ପ୍ରଥମ କରି କୁକୁରମାନଙ୍କ ଦ୍ୱାରା ଟଣା ହୋଇଥିବା ସ୍ଳେଜ ଗାଡ଼ି ଦେଖିଥିଲେ ।

 

ସମ୍ରାଟ କୁବ୍‌ଲାଇ ଖାଁଙ୍କର ସେବାରେ ଏହିପରି ମାର୍କୋ ପୋଲୋଙ୍କ ଦୀର୍ଘ ସତର ବର୍ଷ କଟିଗଲା । ସେତେବେଳକୁ ତାଙ୍କର ବାପା ଓ ଦାଦି ବୁଢ଼ା ହେବାକୁ ବସିଲେଣି । ଶେଷରେ ସେମାନଙ୍କୁ କ’ଣ ଏହି ଦୂର ବିଦେଶରେ ମାଟି ଖୋଳିବାକୁ ପଡ଼ିବ ? ଏଥର ସେମାନେ ନିଜ ମୂଳକକୁ ଫେରି ଯିବାର କଥା ଚିନ୍ତା କରିବାକୁ ଲାଗିଲେ । କିନ୍ତୁ ସମ୍ରାଟ କ’ଣ ସେମାନଙ୍କୁ ଛାଡ଼ି ଦେବାକୁ ରାଜି ହୋଇଯିବେ । ମାର୍କୋ ପୋଲୋଙ୍କୁ ସେ ନିଜର କେଡ଼େ ବିଶ୍ୱସ୍ତ ପରିକର ବୋଲି ଭାବୁଛନ୍ତି । ସମ୍ରାଟ ସେମାନଙ୍କୁ ଅତୁଳ ଧନ ସମ୍ପତ୍ତି ଓ ଅମାପ ସମ୍ମାନ ଦାନ କରିଛନ୍ତି । ତଥାପି ଦିନେ ସମ୍ରାଟ ଭାରି ଭଲ ମିଜାଜରେ ଥିଲାବେଳେ ମାର୍କୋ ପୋଲୋ ସାହସ କରି ତାଙ୍କୁ ତିନିଜଣ ଯାକଙ୍କ ତରଫରୁ ଦେଶକୁ ଫେରିଯିବା ବିଷୟରେ ଯାଇ ଜଣାଇଲେ । ସମ୍ରାଟଙ୍କ ଗୋଡ଼ତଳେ ସାଷ୍ଟାଙ୍ଗ ହୋଇପଡ଼ି ସେ ତାଙ୍କୁ ନିବେଦନ କଲେ : ‘‘ମଣିମା, ଆମେ ଦୀର୍ଘ ସତର ବର୍ଷ ହେଲା ଆପଣଙ୍କର ସେବା କରି ଆସିଲୁଣି । ଆପଣାର କର୍ତ୍ତବ୍ୟ କରିବାରେ ଆମେ କେବେହେଲେ କୌଣସି ଖିଲାପ କରିନାହୁଁ । ଏହି ଦୀର୍ଘକାଳ ମଧ୍ୟରେ ଆମେ ଘରେ ଥିବା ଆତ୍ମୀୟସ୍ୱଜନଙ୍କଠାରୁ କୌଣସି ସମ୍ବାଦ ପାଇନାହୁଁ ଓ ସେମାନେ ବଞ୍ଚିଛନ୍ତି କି ନାହିଁ, ଆମକୁ ସେ ବିଷୟରେ କିଛି ହେଲେ ଜଣାନାହିଁ । ଆପଣ ଆମକୁ କେତେ କେତେ ଅନୁଗ୍ରହ ଦେଖାଇ ଆସିଛନ୍ତି । ବର୍ତ୍ତମାନ ଆଉ ଥରେ ଅନୁଗ୍ରହ କରି ଆଜ୍ଞା ଦେଲେ ଆମେ ଆପଣଙ୍କଠାରୁ ବିଦାୟ ନେଇ ଆପଣାର ଦେଶକୁ ଫେରିଯାଆନ୍ତୁ ।’’

 

ସମ୍ରାଟ ରାଜି ହେଲେ ନାହିଁ । ମାର୍କୋ ପୋଲୋଙ୍କୁ ସେ ନିଜ ଜାଗାରୁ ଛାଡ଼ିଦେବାକୁ ମୋଟେ ଇଚ୍ଛା କରୁ ନଥିଲେ । ମାତ୍ର ଠିକ୍ ସେତିକିବେଳେ ଆଉ ଗୋଟିଏ ଘଟଣା ଘଟିଲା ଏବଂ ତାହାହିଁ ସେମାନଙ୍କର ଘରକୁ ଲେଉଟିବା ସକାଶେ ସମ୍ରାଟଙ୍କର ଅନୁମତି ପାଇବାଲାଗି ଏକ ସୁଯୋଗ ଆଣିଦେଲା । ସେତେବେଳେ ଭାରତ ବର୍ଷର ଏକ ଅଞ୍ଚଳରେ ଜଣେ ତାତାର ରାଜା ରାଜତ୍ୱ କରୁଥିଲେ । ସମ୍ରାଟ କୁବ୍‌ଲାଇ ଖାଁଙ୍କ ସହିତ ତାଙ୍କର ବଂଶଗତ ସମ୍ବନ୍ଧ ଥିଲା । ସମ୍ରାଟଙ୍କ ପାଇଁ ଭାରତବର୍ଷରୁ ସେ କେତେ କିସମର ଉପହାରମାନ ପଠାଉଥିଲେ । ସେହି ଦେଶର ରାଣୀ ହଠାତ୍ ଏକ ଗୁରୁତର ରୋଗରେ ପଡ଼ିଲେ । ସେ ପୁନର୍ବାର ସୁସ୍ଥ ହେବେ ବୋଲି ଆଉ କୌଣସି ଆଶା ଦେଖାଗଲା ନାହିଁ । ସେଇଠୁ ରାଣୀ ଆପଣାର ଶେଷ ଇଚ୍ଛା ପ୍ରକାଶ କରି ରାଜାଙ୍କୁ କହିଲେ, ‘‘ମହାରାଜ, ମୁଁ ତ ଯିବାକୁ ବସିଲି । ମୋ ଅନ୍ତେ ଆପଣ ନିଶ୍ଚୟ ଆଉ ଜଣକୁ ରାଣୀ କରି ଆଣିବେ-। ମୁଁ ହେଉଛି ସର୍ବଶ୍ରେଷ୍ଠ ସମ୍ରାଟ କୁବ୍‌ଲାଇ ଖାଁଙ୍କ ବଂଶର । ମୋର ବିନୀତ ଅନୁରୋଧ, ଆପଣ ବିବାହ କଲେ ସେହି ବଂଶର ହିଁ ଗୋଟିଏ କନ୍ୟାକୁ ବିବାହ କରିବେ । ଅନ୍ୟ କେଉଁଠାରେ କଦାପି ବିବାହ କରିବେ ନାହିଁ ।’’ ରାଜା ତାଙ୍କୁ ସେହି ପ୍ରତିଶ୍ରୁତି ଦେଇଥିଲେ ଓ ତା’ର ଅଳ୍ପ କେତେଦିନ ପରେ ରାଣୀ ଇହଧାମ ତ୍ୟାଗକଲେ ।

 

ରାଣୀଙ୍କ ମୃତ୍ୟୁ ପରେ ରାଜା ପ୍ରତିଶ୍ରୁତି ରକ୍ଷା କରି କୁବ୍‌ଲାଇ ଖାଁଙ୍କ ବଂଶରୁ ଆଉ ଗୋଟିଏ କନ୍ୟା ଭିକ୍ଷା କରି ତିନି ଜଣ ସାମନ୍ତକୁ ସସୈନ୍ୟ ତାଙ୍କ ପାଖକୁ ପଠାଇଲେ । ଅନେକ ବାଟ ଚାଲିବା ପରେ ସେମାନେ କୁବ୍‌ଲାଇ ଖାଁଙ୍କର କଟକରେ ପହଞ୍ଚିଲେ । ସମ୍ରାଟ ସେମାନଙ୍କର କଥା ଶୁଣିଲେ ଓ ସେମାନେ ଆଣିଥିବା ପ୍ରସ୍ତାବରେ ମଧ୍ୟ ରାଜି ହେଲେ । କନ୍ୟା ଖୋଜାଗଲା ଓ ଗୋଟିକୁ ଠିକ୍ ବି କରାଗଲା । କନ୍ୟାଟି ରୂପରେ ସୁନ୍ଦରୀ, ଗୁଣରେ ଅତୁଳନୀୟା ଓ କେତେ କେତେ କଳାରେ ନୈପୁଣ୍ୟ ହାସଲ କରିଥିଲା । କନ୍ୟାଟି ସାମନ୍ତମାନଙ୍କର ମଧ୍ୟ ପସନ୍ଦ ହେଲା । କନ୍ୟାକୁ ସାଙ୍ଗରେ ନେଇ ସେମାନେ ନିଜ ଦେଶକୁ ଗଲେ ମାତ୍ର ଆଠମାସ ପରେ ଅଧବାଟରୁ ପୁନର୍ବାର ଫେରି ଆସିଲେ । ସେହି ଅଞ୍ଚଳରେ ଯୁଦ୍ଧ ଲାଗିଥିବାରୁ ସେମାନେ ଆଉ ଆଗକୁ ଯାଇପାରିଲେ ନାହିଁ ଓ ଅଧିକ ବିପଦ ଭିତରେ ନ ପଶି ଯେଉଁଠାରୁ ବାହାରିଥିଲେ ସେହିଠାକୁ ଫେରିଆସିଲେ । ସେତିକିବେଳେ ମାର୍କୋ ପୋଲୋ ସମୁଦ୍ର ପଥରେ ତାଙ୍କର ଭାରତବର୍ଷ ଓ ଅନ୍ୟାନ୍ୟ ଦ୍ୱୀପପୁଞ୍ଜ ଭ୍ରମଣ କରିସାରି ଫେରିଥାନ୍ତି । ସମ୍ରାଟଙ୍କ ସହିତ ଆଲୋଚନା କରିବାପରେ ଠିକ୍ ହେଲା ଯେ ସାମନ୍ତମାନେ କନ୍ୟାକୁ ଧରି ଜଳ ପଥରେ ଭାରତବର୍ଷ ଫେରିବେ ଓ ମାର୍କୋ ପୋଲୋ ଜାହାଜଗୁଡ଼ିକୁ ପରିଚାଳିତ କରି ନେଇଯିବେ । ସମୁଦ୍ର ଯାତ୍ରାରେ ଅପେକ୍ଷାକୃତ କମ୍ ଖର୍ଚ୍ଚ ବି ହେବ-। ସମ୍ରାଟ ଅତ୍ୟନ୍ତ ଅନିଚ୍ଛା ସହକାରେ ଏହି ପ୍ରସ୍ତାବରେ ରାଜି ହେଲେ ଓ ମାର୍କୋ ପୋଲୋଙ୍କର ବାପା ଓ ଦାଦି ମଧ୍ୟ ତାଙ୍କ ସହିତ ଯାତ୍ରା କରିବେ ବୋଲି ଅନୁମତି ଦେଲେ । ଘରେ କିଛି ଦିନ ରହି ସେମାନେ ତିନିଜଣଙ୍କୁ ଆଉ ଥରେ ଚୀନଯାତ୍ରାରେ ଆସିବେ ଓ ତାଙ୍କର ମରିବା ପର୍ଯ୍ୟନ୍ତ ସେମାନେ ଚୀନରେ ରହିବେ ବୋଲି ସେ ସେମାନଙ୍କୁ ଅନୁରୋଧ କରିଥିଲେ । ସମ୍ରାଟ ସେମାନଙ୍କୁ ଆବଶ୍ୟକ ଅନୁମତି-ପତ୍ର, ଦୀର୍ଘଯାତ୍ରା ଲାଗି ଆବଶ୍ୟକ ରସିଦ ପ୍ରଭୃତି ଦିଆଯିବାର ବ୍ୟବସ୍ଥା କରିଦେଲେ । ତାଙ୍କ ତରଫରୁ ସେମାନଙ୍କୁ ପୋପ୍‌ଙ୍କ ଦରବାରରେ ତଥା ଇଂଲଣ୍ଡ ଏବଂ ଫ୍ରାନ୍‌ସର ଦରବାରରେ ଦୂତ ରୂପେ ନିଯୁକ୍ତ କରାଗଲା ବୋଲି ମଧ୍ୟ ଆଉ ଏକ ଚିଠିରେ ଲେଖି ସେମାନଙ୍କ ହାତରେ ଦିଆଗଲା । ଜାହାଜମାନଙ୍କୁ ପ୍ରସ୍ତୁତ କରାଗଲା । ଯାତ୍ରୀମାନେ ବି ସଜ ହୋଇଗଲେ ।

 

ଗୋଟି ଗୋଟି ହୋଇ ଚଉଦଟା ଜାହାଜ ସଜ କରାଗଲା । ପ୍ରତ୍ୟେକ ଜାହାଜରେ ନଅଟା କରି ମାସ୍ତୁଲ ଲାଗିଥାଏ । ପାଞ୍ଚୋଟି ଜାହାଜରେ ନାବିକ ଓ ସୈନ୍ୟସାମନ୍ତ ବୋଝେଇ ହେଲେ । ପ୍ରତ୍ୟେକ ଜାହାଜରେ ଦୁଇବରଷ ଯାଇପାରିବା ଭଳି ରସଦ ଲଦାଗଲା । ଚଉଦଟିଯାକ ଜାହାଜର ଅଧ୍ୟକ୍ଷରୂପେ ମାର୍କୋ ପୋଲୋ ସମସ୍ତଙ୍କୁ ଧରି ଦୀର୍ଘ ଯାତ୍ରାଟିକୁ ଆରମ୍ଭ କଲେ । ମାର୍କୋ ପୋଲୋ ଓ ତାଙ୍କର ବାପା ଓ ଦାଦି ଏହି କେତେ ବରଷରେ ଯେତେ ଐଶ୍ୱର୍ଯ୍ୟ ଠୁଳ କରିଥିଲେ, ସେଗୁଡ଼ାକ ବୋଝାଇ କରିଥିଲେ ଜାହାଜ ଅଣ୍ଟି ନଥାନ୍ତା । ସେମାନେ ଚୀନ ଦେଶ ଛାଡ଼ିବା ପୂର୍ବରୁ ସେହି ଜିନିଷଗୁଡ଼ିକୁ ବିକି ହୀରାନୀଳା ପ୍ରଭୃତି କିଣି ପକାଇଥିଲେ ଓ ସେଗୁଡ଼ିକୁ ଗୁପ୍ତଭାବରେ ଆପଣାର ପୋଷାକ ଭିତରେ ଏକାଠି ସିଇଁ କରି ରଖିଥିଲେ । ରାଜାଙ୍କୁ ଶେଷଥର ପାଇଁ ପ୍ରଣାମ କରି ଅନୁକୂଳ ପବନ ପାଇ ମାର୍କୋ ପୋଲୋ ଚୀନରୁ ବାହାରି ପଡ଼ିଲେ ।

 

ସତର ବର୍ଷ ପରେ ଚୀନରୁ ବିଦାୟ ନେଇ ଗଲାବେଳକୁ ମାର୍କୋ ପୋଲୋଙ୍କର ମନରେ କି ଭାବନା ଜାତ ହୋଇଥିବ ? ସିଏ ଯେଉଁ ଦେଶରେ ଜନ୍ମଗ୍ରହଣ କରିଥିଲେ, ସେଇଟି ଅପେକ୍ଷା ଏହି ଚୀନଦେଶକୁ ହିଁ ଅଧିକ ଭଲଭାବରେ ଚିହ୍ନିଥିଲେ । ଏହା ମଧ୍ୟରେ ତାଙ୍କର ବାପା ଓ ଦାଦି ଉଭୟେ ପଚାଶ ବର୍ଷ ବୟସ ପାର ହୋଇଯାଇଥିଲେ । ଦୀର୍ଘ ତିନିମାସ ଜାହାଜ ବାହିବାପରେ ସେମାନେ ଆସି ଜାଭା ଦ୍ୱୀପରେ ଲଙ୍ଗର ପକାଇଲେ ।

 

ଜାଭା ବା ଯବଦ୍ୱୀପ ସେତେବେଳେ ସୁନା, ଗୋଲମାରିଚ ଓ ଅନ୍ୟାନ୍ୟ ମସଲା ପାଇଁ ପ୍ରସିଦ୍ଧ ଥିଲା । ଜାଭାରେ କିଛିଦିନ ବିଶ୍ରାମ କରି ଓ ଆଉ କିଛି ଆବଶ୍ୟକ ସରଞ୍ଜାମପତ୍ର ସଂଗ୍ରହ କରି ଦୀର୍ଘ ଅଠର ମାସ କାଳ ପ୍ରତିକୂଳ ସମୁଦ୍ରପଥ ପାରହୋଇ ସେମାନେ ଭାରତବର୍ଷର ଉପକୂଳରେ ଆସି ଲାଗିଲେ । ଏତିକି ବାଟ ପାର ହେବା ମଧ୍ୟରେ ଜାହାଜଗୁଡ଼ିକରେ ଥିବା ଲୋକମାନଙ୍କ ମଧ୍ୟରୁ ପ୍ରାୟ ଛଅଶହ ସରିକି ଲୋକ ମରି ସାରିଥିଲେ । ତଥାପି ଦୁଃଖ ଭୋଗର ଶେଷ ହୋଇ ନ ଥିଲା । ଯେଉଁ ରାଜ୍ୟରେ ସେମାନେ ସାଙ୍ଗରେ ଆଣିଥିବା କନ୍ୟାଟିକୁ ଦେଇଯାଇଥାନ୍ତେ, ସେହି ରାଜ୍ୟକୁ ଆସି ଶୁଣିଲେ ଯେ ଇତିମଧ୍ୟରେ ରାଜା ବି ଇହଧାମ ତ୍ୟାଗ କରିଛନ୍ତି ଓ ତାଙ୍କ ଅନ୍ତେ ତାଙ୍କର ନାଁ ବାଳକ ପୁଅ ରାଜଗାଦୀରେ ବସିଛି । ଯୁବରାଜଙ୍କ ଯାଏ ପହଞ୍ଚିବା ଲାଗି ମାର୍କୋ ପୋଲୋଙ୍କୁ ଏକ ଦୀର୍ଘ ସ୍ଥଳପଥ ପାରି ହେବାକୁ ପଡ଼ିଥିଲା । ରାଜକନ୍ୟାକୁ ଯୁବରାଜଙ୍କ ହାତରେ ସମର୍ପଣ କରି ସିଏ ଆପଣାର ଦଳ ସହିତ ଭାରତବର୍ଷରେ ପ୍ରଥମେ ନଅମାସ ପର୍ଯ୍ୟନ୍ତ ବିଶ୍ରାମ ନେଇଥିଲେ ଓ ତା’ପରେ ଯାଇ ପୁନର୍ବାର ପଶ୍ଚିମ ଯାତ୍ରା ଆରମ୍ଭ କଲେ-

 

ଦୁଇ ହଜାର ସୈନ୍ୟଙ୍କ ଗହଣରେ ମାର୍କୋ ପୋଲୋ ଏହି ଯାତ୍ରାଟିକୁ ସ୍ଥଳଭାଗରେ ସମ୍ପୂର୍ଣ୍ଣ କରିଥିଲେ । କୃଷ୍ଣସାଗରକୁ ସ୍ପର୍ଶ କରୁଥିବା କନ୍‌ଷ୍ଟାଣ୍ଟିନୋପଲରେ ପହଞ୍ଚିବା ପରେ ସମସ୍ତଙ୍କର ଘରେ ଯାଇ ପହଞ୍ଚିବା ପରି ପ୍ରତ୍ୟୟ ହେଲା ଏବଂ ତା’ପରେ ଯେଉଁଦିନ ପ୍ରାୟ କୋଡ଼ିଏ ବର୍ଷର ପ୍ରବାସ ଶେଷ କରି ସେମାନେ ଭେନିସ ସହରରେ ଆସି ପହଞ୍ଚିଲେ, ସେଦିନ ସେମାନେ ହୁଏତ ଜୀବନର ଏକ ନୂତନ ରାଜ୍ୟରେ ଆସି ପାଦ ଦେଲାପରି ଅନୁଭବ କରିଥିବେ । ଏହି କଥାଟି ହେଉଛି ୧୨୯୫ ଖ୍ରୀଷ୍ଟାବ୍ଦର ଘଟଣା ।

 

ଆଉ ଚୀନଦେଶକୁ ଫେରିଯିବାର ପ୍ରଶ୍ନ ହିଁ ନଥିଲା । କାରଣ ଯାହାଙ୍କର ଦୂତ ହୋଇ ସେମାନେ ଘରକୁ ଫେରିବାର ଅନୁମତି ପାଇଥିଲେ, ସିଏ ମଧ୍ୟ ଏହା ଭିତରେ ସଂସାରରୁ ବିଦାୟ ନେଇ ସାରିଥିଲେ । ଆପଣା ଯାତ୍ରାର ଶେଷ ପର୍ଯ୍ୟାୟରେ ତାତାର ରାଜ୍ୟ ଦେଇ ଗତି କରୁ କରୁ ସେମାନଙ୍କୁ ଏହି ସମ୍ବାଦଟି ମିଳିଥିଲା ।

 

ମାର୍କୋ ପୋଲୋ ସ୍ୱଦେଶରୁ ସ୍ଥଳଭାଗରେ ଚୀନ ଯାଇଥିଲେ ଏବଂ ଜଳଭାଗରେ ସ୍ୱଦେଶ ଫେରିଲେ । ପ୍ରାୟ ସତରବର୍ଷର ଏହି ଯାତ୍ରା ଦ୍ୱାରା ମାର୍କୋ ପୋଲୋ କ’ଣ ସବୁ ପାଇଲେ-। ସିଏ ଅନେକ ଧନ ପାଇଲେ, ସମ୍ରାଟ କୁବ୍‌ଲାଇ ଖାଁଙ୍କର ଦୂତ ହୋଇ ବିଭିନ୍ନ ଦେଶକୁ ପ୍ରେରିତ ହେବାର ଖ୍ୟାତି ପାଇଲେ, ସ୍ୱଦେଶକୁ ଫେରିବା ସମୟରେ ସାଙ୍ଗରେ ଅନେକ ହୀରାନୀଳା ଘରକୁ ବୋହି ଆଣିପାରିଲେ । ମାତ୍ର ଆପଣାର ପ୍ରାୟ ଅଧେ ପୃଥିବୀର ଭ୍ରମଣ ବିଷୟରେ ସେ ଯେଉଁ ବ୍ୟକ୍ତିଗତ ଡାଏରୀଟି ଲେଖିଗଲେ, ସେଥିରୁ ସମଗ୍ର ପୃଥିବୀ ଅନେକ ଅଧିକ ଗୁଣ ଲାଭବାନ୍ ହେଲା । ପୃଥିବୀର ଗୋଟାଏ ପାଖର ଲୋକେ ଆରପାଖର ଲୋକମାନଙ୍କ ବିଷୟରେ କେତେ ବିଚିତ୍ର କଥାମାନ ଜାଣିବାକୁ ପାଇଲେ । ପରବର୍ତ୍ତୀ ଶତାବ୍ଦୀମାନଙ୍କରେ ପୃଥିବୀରେ ଯେଉଁସବୁ ଜଳପଥ ଏବଂ ସ୍ଥଳପଥମାନ ଆବିଷ୍କୃତ ହେଲା, ମାର୍କୋ ପୋଲୋ ସେହିଗୁଡ଼ିକ ଲାଗି ସତେଅବା ଏକ ପ୍ରସ୍ତୁତିମୂଳକ ମୂଳଦୁଆ ପକାଇଗଲେ ।

 

ପୃଥିବୀ ଯେ ଆକାରରେ ଗୋଲ, ସେତେବେଳେ ପୃଥିବୀର ଲୋକେ ସେ କଥା ଜାଣି ନଥିଲେ । ପୃଥିବୀ ଗୋଲ ହୋଇଥିବ ବୋଲି ସ୍ୱୟଂ ମାର୍କୋ ପୋଲୋ ମଧ୍ୟ କେବେହେଲେ କଳ୍ପନା କରିପାରି ନଥିବେ । ମାତ୍ର ତାଙ୍କ ଅନ୍ତେ ପ୍ରାୟ ଦୁଇଶହ ବର୍ଷ ପରେ ତାଙ୍କର ଭ୍ରମଣକାହାଣୀଟି ସମୁଦ୍ରଯାତ୍ରୀ କଲମ୍ବସଙ୍କୁ ପ୍ରକୃତରେ ଅନେକ ସାହାଯ୍ୟ କରିଥିଲା । ମାର୍କୋ ପୋଲୋ ଦେଇ ଯାଇଥିବା ବିବରଣୀରୁ ଜାଣିବାକୁ ମିଳିଲା ଯେ ଚୀନଦେଶର ପୂର୍ବଦିଗକୁ ଗୋଟିଏ ସମୁଦ୍ର ଘେରି କରି ରହିଛି । ସେହି ସମୁଦ୍ର ଏଣେ ପଶ୍ଚିମପଟେ ଇଉରୋପ ଯାଏ ଲାଗିଛି ବୋଲି କଲମ୍ବସ ଅନୁମାନ କରିବାକୁ ଲାଗିଲେ ଏବଂ ଏପାଖରେ ଆଟଲାଣ୍ଟିକ୍ ମହାସାଗରର ବାଟ ଦେଇ ସେ ସମୁଦ୍ରେ ସମୁଦ୍ରେ ଚୀନ ଓ ଭାରତରେ ଯାଇ ପହଞ୍ଚି ପାରିବେ ବୋଲି ବିଶ୍ୱାସ କରିବାକୁ ଲାଗିଲେ ଓ ସେହି ଅନୁସାରେ ଜଳଯାତ୍ରା କରି ବାହାରିବାଲାଗି ସାହସ ବାନ୍ଧିଥିଲେ । କହିବା ବାହୁଲ୍ୟ ଯେ କ୍ରିଷ୍ଟୋଫର୍ କଲମ୍ବସ ତାଙ୍କର ଭାରତ ଆବିଷ୍କାରରେ ପଶ୍ଚିମାଭିମୁଖୀ ଜଳଯାତ୍ରାରେ ବାହାରିବା ସମୟରେ ମାର୍କୋ ପୋଲୋଙ୍କର ଲେଖା ବହିଟିକୁ ସାଙ୍ଗରେ ନେଇଥିଲେ ।

Image

ଆମ ବଡ଼ ପୃଥିବୀକୁ ସାନ ପୃଥିବୀରେ ପରିଣତ କରିବାର ଇତିହାସରେ କେତେ ବୈଜ୍ଞାନିକ ଓ ଉଦ୍‌ଭାବକମାନଙ୍କର ଗୌରବମୟ ଅବଦାନ ରହିଛି । କିନ୍ତୁ ତା’ସହିତ କେତେଜଣ ସାହସୀ ଦୂରଯାତ୍ରୀଙ୍କର ମଧ୍ୟ କମ୍ ଅବଦାନ ରହିନାହିଁ । ଆମେ ମାର୍କୋ ପୋଲୋଙ୍କୁ ସେହିପରି ଜଣେ ସାହସୀ ବୋଲି ଜାଣିବା । ଦୂର ପ୍ରବାସକୁ ପ୍ରତିବେଶରେ ପରିଣତ କରିବାରେ ଯେଉଁ ପୁରୋଗାମୀମାନେ ଯୁଗେ ଯୁଗେ ସାହାଯ୍ୟ କରି ଆସିଛନ୍ତି, ସେମାନେ ସମସ୍ତେ ଆମ ପୃଥିବୀର ବନ୍ଧୁ, ସେମାନେ ସମଗ୍ର ମନୁଷ୍ୟ ଜାତିର ବନ୍ଧୁ । ସେହି ରୀତିରେ ମାର୍କୋ ପୋଲୋ ମଧ୍ୟ ଆମର ବନ୍ଧୁ ।

 

ମାର୍କୋ ପୋଲୋଙ୍କ ସମୟରେ ସାନ ଭେନିସ୍ ସହରରେ କେତେ ଯୁବକ ଥିଲେ, କେତେ ନାବିକ ଥିଲେ, କେତେ ଲକ୍ଷ୍ମୀମନ୍ତ ଥିଲେ । ସେମାନଙ୍କୁ କେହି ମନେ ରଖିଲେ ନାହିଁ । ମାତ୍ର ମାର୍କୋ ପୋଲୋ ଆମ ସମସ୍ତଙ୍କର ଚିହ୍ନା ହୋଇ ରହିଗଲେ, ସେ ବିଶ୍ୱସ୍ମରଣୀୟ ହୋଇ ରହିଲେ ।

Image